(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : କୋଭିଡ୍ ମହାମାରୀ ସାଧାରଣ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଛି। ସଂକ୍ରମଣ ରୋକିବାକୁ ଲକଡାଉନ୍ ହେତୁ ଲୋକଙ୍କ ଆର୍ଥିକ ଅବସ୍ଥା ଖରାପ ଥିବା ବେଳେ କରୋନା ଆକ୍ରାନ୍ତ ହେଉଥିବା ବ୍ୟକ୍ତି ମାନେ ବ୍ୟାଙ୍କରୁ ଋଣ ନେଇ ଚିକିତ୍ସିତ ହେଉଛନ୍ତି। ତେବେ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ , ଓଡିଶାର ୫୫୨୨ ଜଣ ବ୍ୟକ୍ତି କୋଭିଡ୍ ଚିକିତ୍ସା କରାଇବା ପାଇଁ ସରକାରୀ ବ୍ୟାଙ୍କ୍ମାନଙ୍କରୁ ଋଣ ନେଇଛନ୍ତି। ତେବେ କରୋନା ଚିକିତ୍ସା ପାଇଁ ସରକାରୀ ବ୍ୟାଙ୍କ୍ରୁ ଋଣ ନେବା କ୍ଷେତ୍ରରେ ଓଡ଼ିଶାର ସ୍ଥାନ ଦେଶରେ ଷଷ୍ଠ । ସେହିପରି ତାମିଲନାଡୁ ଏ କ୍ଷେତ୍ରରେ ଶୀର୍ଷ ସ୍ଥାନରେ ରହିଥିବା ବେଳେ କର୍ଣ୍ଣାଟକ ଦ୍ବିତୀୟ ଏବଂ ଉତ୍ତର ପ୍ରଦେଶ ତୃତୀୟ ସ୍ଥାନରେ ରହିଛି।
କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ତଥ୍ୟ ଅନୁସାରେ ଦେଶରେ ବିଭିନ୍ନ ସରକାରୀ ବ୍ୟାଙ୍କ୍ ଗୁଡିକରୁ ୧.୩୩ ଲକ୍ଷ ବ୍ୟକ୍ତି ଋଣ ନେଇ କୋଭିଡ୍-୧୯ ଚିକିତ୍ସା କରିଛନ୍ତି। ତେବେ ଘରୋଇ ବ୍ୟାଙ୍କ୍ ଏବଂ ଅନ୍ୟାନ୍ୟ ଆର୍ଥିକ ସଂସ୍ଥା ଗୁଡ଼ିକରୁ କୋଭିଡ୍-୧୯ ଚିକିତ୍ସା ପାଇଁ ଋଣ କରିବାର ପରିମାଣ ବହୁତ ଅଧିକ ରହିଥିବ ବୋଲି ଅନୁମାନ କରାଯାଉଛି। ଏହାର ସଠିକ୍ ତଥ୍ୟ ବର୍ତ୍ତମାନ ସୁଦ୍ଧା ଜଣା ପଡ଼ି ନାହିଁ।
ତେବେ କରୋନା ଚିକିତ୍ସା ପାଇଁ ତାମିଲନାଡୁରେ ୩୩,୯୧୭ ଜଣ , କର୍ଣ୍ଣାଟକରେ ୨୦,୩୯୧ ଓ ଉତ୍ତର ପ୍ରଦେଶରେ ୧୨,୫୬୯ ଜଣ ବ୍ୟକ୍ତି ସରକାରୀ ବ୍ୟାଙ୍କ୍ମାନଙ୍କରୁ ଋଣ ନେଇଛନ୍ତି। ସେହିପରି ପଶ୍ଚିମବଙ୍ଗରେ ୮,୦୦୦ ଜଣ ଏବଂ ମହାରାଷ୍ଟ୍ରରେ ୭,୯୬୭ ଜଣ ସରକାରୀ ବ୍ୟାଙ୍କ୍ରୁ ଋଣ ନେଇଥିବା ଅର୍ଥ ମନ୍ତ୍ରଣାଳୟ ରିପୋର୍ଟରୁ ଜଣାପଡିଛି । କିନ୍ତୁ କେତେ ସଂଖ୍ୟକ ଲୋକ କୋଭିଡ୍ ଚିକିତ୍ସା ପାଇଁ ଋଣ ନେବା ପାଇଁ ସରକାରୀ ବ୍ୟାଙ୍କ୍ମାନଙ୍କରେ ଆବେଦନ କରିଥିଲେ ତାହା କେନ୍ଦ୍ର ସରକାରଙ୍କର ରିପୋର୍ଟରେ ସ୍ପଷ୍ଟ କରାଯାଇନାହିଁ। ଅପରପକ୍ଷେ, ଅଧିକାଂଶ ରାଜ୍ୟରେ ଘରୋଇ ଡାକ୍ତରଖାନା ସବୁ କୋଭିଡ୍-୧୯ ଆକ୍ରାନ୍ତଙ୍କ ଚିକିତ୍ସାରେ ଅଧିକ ଖର୍ଚ୍ଚ ଆଦାୟ କରିଥିବାର ମଧ୍ୟ ଅଭିଯୋଗ ଆସିଛି।
ତେବେ ଯେତେବେଳେ କୋଭିଡ୍ ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ଥିଲା , ସେତେବେଳେ କେନ୍ଦ୍ର ସରକାର ଆକାଉଣ୍ଟଧାରୀଙ୍କୁ ଗ୍ୟାରେଣ୍ଟିବିହୀନ ୫ ଲକ୍ଷ ଟଙ୍କା ଋଣ ଦେବା ପାଇଁ ପବ୍ଲିକ୍ ସେକ୍ଟର ବ୍ୟାଙ୍କମାନଙ୍କୁ କହିଥିଲେ। ଏହି ଗ୍ୟାରେଣ୍ଟିବିହୀନ ଋଣ ୩ ବର୍ଷରୁ ୫ ବର୍ଷର ଅବଧି ପାଇଁ ଧାର୍ଯ୍ୟ କରାଯାଇଥିଲା। ସେତେବେଳେ ସରକାର ଏହା ମଧ୍ୟ ସ୍ପଷ୍ଟ କରିଥିଲେ ବ୍ୟାଙ୍କ ସବୁ ଗ୍ରାହକଙ୍କୁ ସେମାନଙ୍କ ପରିସ୍ଥିତି ମୁତାବକ ଋଣର ପ୍ରଥମ କିସ୍ତି ତିନିରୁ ଛଅ ମାସ ମଧ୍ୟରୁ ପୈଠ କରିବା ପାଇଁ ସମୟ ଦେଇପାରିବେ।ତେବେ ବ୍ୟାଙ୍କରୁ ଋଣ ନେଇ ଜୀବନ ବଞ୍ଚିଯିବା ପରେ ଏବେ ଋଣ ଶୁଝିବା ଚିନ୍ତା ଘାରିଛି । ରୋଜଗାର ହରାଇଥିବା ବେଳେ , କାମଧନ୍ଧା ବି ନାହିଁ। ତେଣୁ ଏଭଳି ଏକ ସଙ୍କଟ ସମୟରେ ଋଣ ଶୁଝିବା ସମସ୍ୟା ଅଧିକ ବିଚଳିତ କରି ପକାଉଛି।