ଓଡ଼ିଆ ସିଆଇଏସ୍‌ଏଫ୍‌ ଯବାନ ସୋମନାଥ ମାମଲାରେ ନୂଆ ଟ୍ୱିଷ୍ଟ, ” କାର୍ଯ୍ୟାନୁଷ୍ଠାନ ନୁହେଁ କାର୍ଯ୍ୟ ପାଇଁ ମିଳିଛି ପ୍ରଶଂସା “

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ବଲିଉଡ ଅଭିନେତା ସଲମାନଙ୍କୁ ଅଟକାଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ଓଡିଆ ସିଆଇଏସ୍‌ଏଫ୍‌ ଯବାନ ସୋମନାଥଙ୍କୁ ନେଇ ଆସିଲା ନୂଆ ଟ୍ୱିଷ୍ଟ। ତେବେ ସଲାମାନ ଖାନଙ୍କୁ ଅଟକାଇବା ପାଇଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ନା ପ୍ରଶଂସିତ କରାଯାଇଛି ଏ ନେଇ ସ୍ପଷ୍ଟ କଲା ସିଆଇଏସ୍ଏଫ।

ନିକଟରେ ସଲମାନ ଖାନଙ୍କୁ ମୁମ୍ବାଇ ବିମାନ ବନ୍ଦରରେ ଅଟକାଇ ଯାଞ୍ଚ କରିଥିଲେ ଓଡ଼ିଆ ଯବାନ ସୋମନାଥ ମହାନ୍ତି। ଏ ଘଟଣା ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ପରେ ସିଆଇଏସଏଫ ପକ୍ଷରୁ ସୋମନାଥଙ୍କ ମୋବାଇଲ ଜବତ ହୋଇଥିବା ଘଟଣା ସାମ୍ନାକୁ ଆସିଥିଲା। ଘଟଣା ସଂପର୍କରେ ଗଣମାଧ୍ୟମକୁ ଜଣାଇଥିବା ଯୋଗୁଁ ସିଆଇଏସଏଫ ପ୍ରୋଟକଲ ବିରୋଧି ହୋଇଥିବାରୁ ତାଙ୍କର ମୋବାଇଲ ଜବତ କରାଯାଇଥିବା କୁହାଯାଇଥିଲା। ତେବେ ଏଭଳି ଖବରକୁ ସିଆଇଏସ୍‌ଏଫ୍‌ ପକ୍ଷରୁ ଟ୍ବିଟ୍ କରି ଖଣ୍ଡନ କରାଯାଇଛି। ତାଙ୍କ ମୋବାଇଲୋ ଜବତ କରାଯାଇନାହିଁ ବୋଲି ସିଆଇଏସ୍‌ଏଫ୍‌ ସ୍ପଷ୍ଟ କରିଛି।

ସିଆଇଏସ୍‌ଏଫ୍‌ ପକ୍ଷରୁ ଟୁଇଟ୍‌ କରି କୁହାଯାଇଛି ଯେ, ‘ ଯବାନ ସୋମନାଥ ମହାନ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ, ବରଂ ତାଙ୍କୁ ସମ୍ମାନିତ କରାଯାଇଛି। ଗୋଟିଏ ଟୁଇଟ୍‌କୁ ରି-ଟୁଇଟ୍‌ କରି ସିଆଇଏସ୍‌ଏଫ୍ କହିଛି, ଏଥିରେ ଦିଆଯାଇଥିବା ସମସ୍ତ ସୂଚନା ଭ୍ରାମକ ଏବଂ ନିରାଧାର। ସତ ହେଉଛି ଯେ, ସୋମନାଥ ମହାନ୍ତି ତାଙ୍କ କର୍ତ୍ତବ୍ୟକୁ ସୁଚାରୁ ଭାବେ ପାଳନ କରିଥିବା ଯୋଗୁଁ ତାଙ୍କୁ ସମ୍ମାନିତ କରାଯାଇଛି।’

ସୂଚନା ଯୋଗ୍ୟ ଯେ, ସୋମନାଥଙ୍କୁ ନେଇ ବିବାଦ ବଢ଼ିବା ପରେ ସିଆଇଏସ୍‌ଏଫ୍‌ ପକ୍ଷରୁ ଏଭଳି ସ୍ପଷ୍ଟୀକରଣ ଦିଆଯାଇଛି। ଟାଇଗର-ଥ୍ରୀର ସୁଟିଂ ପାଇଁ ଏକ ଘରୋଇ ଜେଟରେ ରୁଷିଆ ଯିବା ପାଇଁ ବଲିଉଡ ଅଭିନେତା ସଲମାନ ଖାନ ମୁମ୍ବାଇ ବିମାନବନ୍ଦରରେ ପହଞ୍ଚିଥିଲେ ।

ଏହି ସମୟରେ ସୁରକ୍ଷା ସମ୍ପର୍କୀତ ଯାଞ୍ଚ ପାଇଁ ଅଟକାଇଥିଲେ ଓଡିଆ ଯବାନ ସୋମନାଥ। ପ୍ରଶଂସକ ଓ ଫଟୋଗ୍ରାଫରଙ୍କ ଭିଡ଼ ଭିତରେ ସଲମାନ ବିମାନବନ୍ଦରରେ ପହଂଚିବା ପରେ ତାଙ୍କୁ ପାସପୋର୍ଟ ଓ ଅନ୍ୟାନ୍ୟ କାଗଜପତ୍ର ଯାଞ୍ଚ ପାଇଁ ସୋମନାଥ ଅଟକାଇଥିଲେ। ଏହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ପରେ ତାଙ୍କୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଥିଲା।

Related Posts