(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଦେଶର ବିଭିନ୍ନ ସ୍ୱତନ୍ତ୍ର ସିବିଆଇ କୋର୍ଟରେ ଅନେକ କାର୍ଯ୍ୟରତ ଏବଂ ପୂର୍ବତନ ସାଂସଦ ଏବଂ ବିଧାୟକଙ୍କ ନାଁରେ ୧୫୧ଟି କେସ୍ ବିଚାରଧୀନ ରହିଛି। ଏହା ମଧ୍ୟରୁ ୫୮ଟି ଏମିତି କେସ୍ ରହିଛି, ଯେଉଁଥିରେ ଦୋଷୀ ସାବ୍ୟସ୍ତ ହେଲେ ସାଂସଦ କିମ୍ବା ବିଧାୟକଙ୍କୁ ଆଜୀବନ ଜେଲଦଣ୍ଡ ମଧ୍ୟ ମିଳିପାରେ। କିନ୍ତୁ ବିଡମ୍ବନାର ବିଷୟ ହେଉଛି ଏହା ମଧ୍ୟରୁ ଏକ ତୃତୀୟାଂଶ ମାମଲାରେ ଟ୍ରାଏଲ ଅତ୍ୟନ୍ତ ଧିମା ଗତିରେ ଚାଲିଛି। ବହୁତ ବର୍ଷ ତଳେ ଘଟଣା ଘଟିଥିଲେ ହେଁ ସେମାନଙ୍କ ବିରୋଧରେ ଚାର୍ଜଫ୍ରେମ ହୋଇନାହିଁ।
ଏ ସମ୍ପର୍କରେ ସୁପ୍ରିମକୋର୍ଟଙ୍କୁ ଅବଗତ କରିଛନ୍ତି ବରିଷ୍ଠ ଆଡଭୋକେଟ୍ ତଥା ଆମିକସ୍ କ୍ୟୁରି ବିଜୟ ହାନସରିଆ । ସେ ମଙ୍ଗଳବାର ଦିନ ସୁପ୍ରିମକୋର୍ଟଙ୍କୁ ପରାମର୍ଶ ଦେଇଛନ୍ତି ଯେ ସର୍ବୋଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି କିମ୍ବା ହାଇକୋର୍ଟର ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ମନିଟରିଂ କମିଟି ଗଠନ କରାଯାଇ ସିବିଆଇ ଏବଂ ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ (ଇଡି), ରେ ବିଚାରଧୀନ କର୍ଯ୍ୟରତ ଏବଂ ପୂର୍ବତନ ସାଂସଦ ଓ ବିଧାୟକଙ୍କ ବିରୋଧରେ ବିଚାରଧୀନ ମାମଲାର ଯାଞ୍ଚରେ ବିଳମ୍ବ ହେବାର କାରଣ ମୂଲ୍ୟାଙ୍କନ କରିବ । ସିବିଆଇ ଏବଂ ଇଡି ମୁଖ୍ୟ ତଥା ଗୃହ ସଚିବଙ୍କୁ ମଧ୍ୟ ଏହି କମିଟିରେ ସାମିଲ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ କୁହାଯାଇଛି। ହାନସରିଆ କୋର୍ଟଙ୍କୁ କହିଛନ୍ତି ଯେ ଦେଶର ସ୍ୱତନ୍ତ୍ର ସିବିଆଇ କୋର୍ଟରେ ବସିଥିବା ତଥା ପୂର୍ବତନ ସାଂସଦ ତଥା ବିଧାୟକଙ୍କ ବିରୋଧରେ ମୋଟ ୧୨୧ ମାମଲା ବିଚାରାଧୀନ ଅଛି। ମାମଲାର ୧୪ତମ ରିପୋର୍ଟରେ କୁହାଯାଇଛି ଯେ ୧୫୧ଟି କେସ୍ ବିଭିନ୍ନ ସ୍ୱତନ୍ତ୍ର ସିବିଆଇ କୋର୍ଟରେ ଟ୍ରାଏଲ ଅପେକ୍ଷାରେ ରହିଛି।
ଏହା ମଧ୍ୟରୁ ୫୮ଟି କେସରେ ଦଣ୍ଡ ସ୍ୱରୂପ ଦୋଷୀଙ୍କୁ ଆଜୀବନ ଜେଲଦଣ୍ଡ ମିଳିପାରିବ। ୪୫ଟି ଏମିତି କେସ୍ ରହିଛି, ଯାହା ବହୁ ବର୍ଷ ପୂର୍ବେ ଘଟିଥିଲେ ହେଁ ଏଯାଏ ଚାର୍ଜଫ୍ରେମ ହୋଇନାହିଁ। ସାଂସଦ ଓ ବିଧାୟକଙ୍କ ବିରୋଧରେ ଆସିଥିବା ୩୭ଟି ମାମଲାର ତଦନ୍ତ ସିବିଆଇ ଜାରି ରଖିଛି। ଆମିକସ୍ କ୍ୟୁରି ୨୦୧୬ ରେ ଆଡଭୋକେଟ୍ ଅଶ୍ୱିନୀ କୁମାର ଉପାଧ୍ୟାୟଙ୍କ ଦ୍ବାରା ଦାଖଲ ହୋଇଥିବା ଏକ ଆବେଦନ ଉପରେ ଏହି ରିପୋର୍ଟ ଦାଖଲ କରିଛନ୍ତି। ଉପାଧ୍ୟାୟ ତାଙ୍କ ଆବେଦନରେ ବର୍ତ୍ତମାନ ତଥା ପୂର୍ବତନ ସାଂସଦ ତଥା ବିଧାୟକଙ୍କ ବିରୋଧରେ ଅପରାଧିକ ମାମଲା ତ୍ୱରାନ୍ୱିତ କରିବାକୁ ଫାଷ୍ଟଟ୍ରାକ୍ ବ୍ୟବସ୍ଥା କରିବାକୁ ଆବେଦନ କରିଥିଲେ।
ଏହାସହ ଏହା ମଧ୍ୟ କୁହାଯାଇଛି ଯେ ଯଦି ଅତିରିକ୍ତ ଅଦାଲତର ଆବଶ୍ୟକତା ଥାଏ, ତେବେ ହାଇକୋର୍ଟ ଏବଂ ସମ୍ପୃକ୍ତ ରାଜ୍ୟ ସରକାର ଏଭଳି କୋର୍ଟ ଗଠନ କରିବା ଉଚିତ। ସିବିଆଇ ନିଶ୍ଚିତ କରିବା ଉଚିତ ଯେ ସରକାରୀ ଓକିଲମାନେ ସ୍ଥଗିତ ରଖିବାକୁ ଚାହାଁନ୍ତି ନାହିଁ ଏବଂ ନିର୍ଦ୍ଧାରିତ ତାରିଖରେ ସାକ୍ଷୀ ପ୍ରସ୍ତୁତ କରାଯାଏ। ଯଦି ଅଭିଯୁକ୍ତମାନେ ଏହି ମାମଲାରେ ସହଯୋଗ କରନ୍ତି ନାହିଁ, ତେବେ ଜାମିନ ଖାରଜ କରିବାକୁ କୋର୍ଟ ବିଚାର କରିପାରନ୍ତି।
ତେବେ ସବୁଠାରୁ ଅଧିକ ଦିନ ପେଣ୍ଡିଂ ହୋଇଥିବା ମାମଲା ପାଟନାରେ ରହିଛି। ଏଠାରେ ଅଭିଯୁକ୍ତଙ୍କ ବିରୋଧରେ ୨୦୦୦ ମସିହା ଜୁନ୍ ୧୨ରେ ଚାର୍ଜଶିଟ୍ ଦାଖଲ କରାଯାଇଥିଲେ ହେଁ ଏଯାଏ ରାୟ ପ୍ରକାଶ ପାଇନାହିଁ। ଇଡିର ଷ୍ଟାଟସ ରିପୋର୍ଟ ଅନୁଯାୟୀ, ୫୧ ଜଣ ପୂର୍ବତନ ଓ କାର୍ଯ୍ୟରତ ସାଂସଦଙ୍କ ବିରୋଧରେ ପ୍ରିଭେନସନ ଅଫ ମନି ଲଣ୍ଡରିଂ ଆକ୍ଟ ୨୦୦୨ ଅଧୀନରେ ମାମଲା କରାଯାଇଛି। ତେବେ ଏହି ରିପୋର୍ଟରେ କେତେ ଜଣ ପୂର୍ବତନ ଓ କେତେ ଜଣ କାର୍ଯ୍ୟରତ ସାଂସଦ ଅଛନ୍ତି କୁହାଯାଇ ନାହିଁ। ରିପୋର୍ଟରେ ଦର୍ଶାଯାଇଛି ଯେ ଯେଉଁ କୋର୍ଟଗୁଡ଼ିକରେ ମାମଲା ପଡ଼ି ରହିଛି, ସେମାନଙ୍କୁ ସିଆରପିସିର ଧାରା ୩୦୯ ଅନୁଯାୟୀ ଦୈନିକ ଶୁଣାଣି କରିବାକୁ ନିର୍ଦ୍ଦେଶ ଦିଆଯାଇ ପାରିବ।