ମାଲକାନଗିରି ଲଘୁ ଖଣିଜ ଟେଣ୍ଡର ଦୁର୍ନୀତି ମାମଲା : ବାତିଲ ହେଲା ସମସ୍ତ ୪୮ଟି ଟେଣ୍ଡର , ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କଲେ କଂଗ୍ରେସ ନେତା ପ୍ରଦୀପ ମାଝୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଶେଷରେ ବାତିଲ ହେଲା ମାଲକାନଗିରି ଜିଲ୍ଲାର ବିବାଦୀୟ ଲଘୁ ଖଣିଜ ନିଲାମ ଟେଣ୍ଡର । ଟେଣ୍ଡର ଅନିୟମିତତା ଅଭିଯୋଗରେ ପୂର୍ବତନ ଜିଲ୍ଲାପାଳଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଥିବା ବେଳେ ଏବେ ସମସ୍ତ ୪୮ଟି ଲଘୁ ଖଣି ଲିଜ୍ ଟେଣ୍ଡର ବାତିଲ୍ କରି ଦିଆଯାଇଛି। ରାଜ୍ୟ ସରକାରଙ୍କ ରାଜସ୍ୱ ବିଭାଗର ନିର୍ଦ୍ଦେଶରେ ମାଲକାନଗିରି ଜିଲ୍ଲାପାଳ ସମସ୍ତ ୭ଟି ତହସିଲର ୪୮ଟି ଖଣି ନିଲାମ ପ୍ରକ୍ରିୟାକୁ ବାତିଲ କରିଛନ୍ତି ଜିଲ୍ଲାପାଳ ବିଶାଳ ସିଂ ।

କଂଗ୍ରେସ ନେତା ପ୍ରଦୀପ ମାଝୀ ଆଣିଥିଲେ ସାଙ୍ଘାତିକ ଅଭିଯୋଗ :-

ସୂଚନାଯୋଗ୍ୟ ଯେ ଗତ ଜୁନ ମାସ ୨୨ ତାରିଖରେ ମାଲକାନଗିରି ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ଡ. ୟେଦୁଲା ବିଜୟଙ୍କ ନାଁରେ ଟେଣ୍ଡର ଫିକ୍ସିଂ ଅଭିଯୋଗ ଆସିଥିଲା । ଏଭଳି ଏକ ସାଂଘାତିକ ଅଭିଯୋଗ ଆଣିଥିଲେ କଂଗ୍ରେସ ନେତା ପ୍ରଦୀପ ମାଝୀ । ଟେଣ୍ଡର ତହସିଲରେ ହେବାର ନିୟମ ଥିଲେ ମଧ୍ୟ ଜିଲ୍ଲାପାଳ ନିଜେ ଟେଣ୍ଡର କାଗଜପତ୍ର ଘରକୁ ନେଇ ତାହାକୁ ବଦଳାଇଥିବା ଅଭିଯୋଗ ହୋଇଥିଲା। ଏପରିକି କ୍ଷମତାର ଦୁରୁପଯୋଗ କରି ତତକାଳୀନ ଜିଲ୍ଲାପାଳ ଡ. ୟେଦୁଲା ବିଜୟ ଟେଣ୍ଡର ଫିକ୍ସିଂ କରି କୋଟିଏ ଟଙ୍କା ଲାଞ୍ଚ ନେଇଥିବା ନେଇ ସିଧାସଳଖ ଅଭିଯୋଗ ଆଣିଥିଲେ କଂଗ୍ରେସ ନେତା ପ୍ରଦୀପ ମାଝୀ। ଏହାପରେ ପୂର୍ବତନ ଜିଲ୍ଲାପାଳଙ୍କ ବଦଳି କରାଯାଇଥିଲା। ଏହା ସହ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଆରଡିସି ।

କଂଗ୍ରେସ ନେତା ପ୍ରଦୀପ ମାଝୀ ଅଭିଯୋଗ କରିଥିଲେ ଯେ , ଜିଲ୍ଲାରେ ୭ଟି ଲଘୁ ଖଣିଜ ଉତ୍ସ ନିଲାମ ଲାଗି ଗତ ମାର୍ଚ୍ଚ ୨୦ ତାରିଖ ସନ୍ଧ୍ୟା ୫ଟା ସମୟରେ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଥିଲା। ହେଲେ ଟେଣ୍ଡର ବକ୍ସ ୨୩ ତାରିଖ ଦିନ ୧.୪୦ ରେ ଟ୍ରେଜରୀ ଷ୍ଟ୍ରଙ୍ଗ ରୁମକୁ ଯାଇଥିଲା। ଜିଲ୍ଲାପାଳଙ୍କ ଅଫିସ୍ ରୁ ଟ୍ରେଜରି ଷ୍ଟ୍ରଙ୍ଗ୍ ରୁମ୍‌ ଦୂରତା ମାତ୍ର ଗୋଟିଏ କିଲୋମିଟର ହୋଇଥିବା ବେଳେ ଟେଣ୍ଡର ବକ୍ସ ପହଞ୍ଚିବାକୁ କଣ ପାଇଁ ୩ ଦିନ ଲାଗିଗଲା ବୋଲି ପ୍ରଦୀପ ମାଝୀ ପ୍ରଶ୍ନ କରିଥିଲେ।

ସେ ଆହୁରି ମଧ୍ୟ କହିଥିଲେ ଯେ , ” ନିଲାମ ପାଇଥିବା ସିଏଚ୍ ବେନୁଗୋପାଳ ଟେଣ୍ଡର ଆବେଦନ ପାଇଁ ଯେଉଁ ସଲଭେନ୍ସି ଦେଇଥିଲେ, ସେଥିରେ ଅନିୟମିତତା ହୋଇଛି। ସଲଭେନ୍ସିରେ ଦର୍ଶାଯାଇଥିବା ଘରର ମୂଲ୍ୟ ୪ କୋଟି ୯୮ ଲକ୍ଷ ଥିବାବେଳେ ଏହାର ବାସ୍ତବ ମୂଲ୍ୟ ଉକ୍ତ ମୂଲ୍ୟ ଠାରୁ ଯଥେଷ୍ଟ କମ୍ ବୋଲି କଂଗ୍ରେସ ନେତା ଅଭିଯୋଗ କରିଥିଲେ । ସେ ଆହୁରି ମଧ୍ୟ ପ୍ରଶ୍ନ କରିଥିଲେ ଯେ ଦୁଇଟି ଜମିର କିସମ ଅନୁସାରେ ଏହାର ମୂଲ୍ୟ ୧ ଲକ୍ଷ ୫୯ ହଜାର ଟଙ୍କା କିପରି ହେଲା ? ଏସବୁ ବାଦ ୭ଟି ପଥର ଖାଦାନର ମିନିମମ୍‌ ଗ୍ୟାରେଣ୍ଟି କ୍ୱାଣ୍ଟିଟି (MGQ) ୨ କୋଟି ୩୮ ଲକ୍ଷ ୯୩ ହଜାର ୨୦୦ ଟଙ୍କା ହୋଇଥିଲେ ବି ମାତ୍ର କୋଟିଏ ଟଙ୍କାର ସଲଭେନ୍ସି ସାର୍ଟିଫିକେଟରେ ଲିଜ୍ ମିଳିଲା କେମିତି ? ଟେଣ୍ଡର ମିଳିବା ପରଦିନ ଅର୍ଥାତ ମାର୍ଚ୍ଚ ୩୧ରେ ପଞ୍ଜୀକରଣ ହୋଇଥିବା ଏକ ଦାମୀ ଗାଡ଼ି ଜିଲ୍ଲାପାଳ ବ୍ୟବହାର କରୁଛନ୍ତି। ଉକ୍ତ ଗାଡ଼ିଟି ଜଣେ ମହିଳାଙ୍କ ନାଁରେ କିଣାଯାଇଥିବାରୁ ଏହା ଜିଲ୍ଲାପାଳଙ୍କୁ ଟେଣ୍ଡର ଫିକ୍ସିଂର ଭେଟି ବୋଲି ଅଭିଯୋଗ ଉଠାଇଥିଲେ ପ୍ରଦୀପ ମାଝୀ।”

ଏହି ଘଟଣାକୁ ନେଇ ସେହି ସମୟରେ ତମ୍ବିତୋଫାନ ସୃଷ୍ଟି ହୋଇଥିଲା। ଗଣମାଧ୍ୟମରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। କିନ୍ତୁ ପ୍ରଦୀପ ମାଝୀଙ୍କ ଏଭଳି ସଙ୍ଗୀନ ଅଭିଯୋଗକୁ ଭିତ୍ତିହୀନ ବୋଲି କହି ଜିଲ୍ଲାପାଳ ଡ. ଓ୍ୱାଇ. ବିଜୟ ଏଡାଇ ଯିବାକୁ ଚେଷ୍ଟା କରିଥିଲେ। ଏଥିସହ ଦାମୀ ଗାଡ଼ି ବ୍ୟବହାର ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ଜି ମୋ ଗାଡ଼ି ଖରାପ ହୋଇଯିବାରୁ ଭଡ଼ାରେ ଆଣି ଗାଡ଼ି ବ୍ୟବହାର କରିଥିବା କହିଥିଲେ । ଅଫିସ୍ ରେ ସିକ୍ୟୁରିଟି ପଏଣ୍ଟ ନଥିବାରୁ ଟେଣ୍ଡର ବକ୍ସ ବାସଭବନକୁ ନେଇଥିଲେ ବୋଲି କହିଥିଲେ । ଛୁଟିରେ ଯିବାର ଆବଶ୍ୟକତା ପଡ଼ିବାରୁ ଟେଣ୍ଡର ବକ୍ସ ଟ୍ରେଜେରୀରେ ରଖିଲି ବୋଲି ସେ କହିଥିଲେ। କିନ୍ତୁ ଜିଲ୍ଲାପାଳଙ୍କ ଏହି ସଫେଇ କାହାର ବିଶ୍ୱାସ ଭାଜନ ହୋଇ ପାରି ନଥିଲା।

ବର୍ତ୍ତମାନ ଆରଡିସିଙ୍କ ସୁପାରିଶ -କ୍ରମେ ସମସ୍ତ ୪୮ଟି ଖଣି ଟେଣ୍ଡରକୁ ବାତିଲ କରିବାକୁ ରାଜସ୍ୱ ବିଭାଗ ପକ୍ଷରୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଖୁବ ଶୀଘ୍ର ଏହି ସମସ୍ତ ଖଣି ଲାଗି ନିୟମ ଅନୁଯାୟୀ ନୂତନ ଟେଣ୍ଡର ଆହ୍ୱାନ କରାଯିବ ବୋଲି ବର୍ତ୍ତମାନର ମାଲକାନଗିରି ଜିଲ୍ଲାପାଳ ବିଶାଳ ସିଂ ସୂଚନା ଦେଇଛନ୍ତି ।

ଏପଟେ ଟେଣ୍ଡର ବାତିଲ ପରେ ଟେଣ୍ଡର ଫିକ୍ସିଂର ପର୍ଦ୍ଦାଫାସ ହୋଇଛି ବୋଲି କହିଛନ୍ତି କଂଗ୍ରେସ ନେତା ପ୍ରଦୀପ ମାଝୀ । ସେ କହିଛନ୍ତି ଯେ ଖଣି ଦୁର୍ନୀତିରେ ବହୁ ଉପର ଅଫିସର ଓ ମାଫିଆଙ୍କ ସମ୍ପୃକ୍ତ ଥିବା ପ୍ରମାଣିତ ହୋଇଛି । ତେଣୁ ଅଭିଯୋଗର ନିରପେକ୍ଷ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି କଂଗ୍ରେସ ନେତା ପ୍ରଦୀପ ମାଝୀ ।

Related Posts