(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ବର : ରାଜ୍ୟରେ ଜଳବାୟୁ ପରିବର୍ତ୍ତନ ପ୍ରଭାବ ଯୋଗୁଁ ପ୍ରାକୃତିକ ବିପର୍ଯ୍ୟୟ ବୃଦ୍ଧି ପାଉଛି। ବିଗତ ୨୫ ବର୍ଷ ମଧ୍ୟରେ ରାଜ୍ୟରେ ୯ ଥର ମରୁଡ଼ି ଦେଖାଦେଇଛି। ମରୁଡ଼ି ଯୋଗୁଁ ଫସଲହାନି ସାଙ୍ଗକୁ କୃଷକ ମାନେ କ୍ଷତିଗ୍ରସ୍ତ ହେଉଛନ୍ତି। ରାଜ୍ୟ କୃଷି ନିର୍ଦେଶାଳୟର ତଥ୍ୟ ଅନୁଯାୟୀ , ୧୯୯୬, ୧୯୯୮, ୨୦୦୦, ୨୦୦୨, ୨୦୧୦, ୨୦୧୧, ୨୦୧୨, ୨୦୧୫ ମସିହାରେ ରାଜ୍ୟରେ ମରୁଡ଼ି ଦେଖାଦେଇଥିଲା। ୧୯୯୬ ମସିହାରୁ ୨୦୦୦ ମସିହା ପର୍ଯ୍ୟନ୍ତ ରାଜ୍ୟରେ ହାରାହାରି ୧୫୦୨.୫ ମିଲିମିଟର ବର୍ଷାର ଆବଶ୍ୟକତା ରହିଥିବା ବେଳେ ୧୯୯୬ ମସିହାରେ ୯୯୦.୧ ମିଲିମିଟର, ୧୯୯୮ ମସିହାରେ ୧୨୭୭.୫ ମିଲିମିଟର ବର୍ଷା ହୋଇଥିଲା।
ଫଳରେ ଉତ୍କଟ ମରୁଡ଼ି ଦେଖାଦେଇଥିଲା। ଉଭୟ ବର୍ଷରେ ୩୮.୨୭ ଲକ୍ଷ ମେଟ୍ରିକ ଟନ୍, ୪୮.୮୫ ଲକ୍ଷ ମେଟ୍ରିକ ଟନ୍ ଚାଉଳ ଉତ୍ପାଦନ ହୋଇଥିଲା। ୧୯୯୭ ମସିହାଠାରୁ ପ୍ରାୟ ୧୦ ଲକ୍ଷ ମେଟ୍ରିକ ଟନ୍ କମ୍। ୨୦୦୦ ମସିହାରେ ୧୦୩୫.୧ ମିଲିମିଟର ବର୍ଷା ରେକର୍ଡ ହୋଇ ୪୧.୭୨ ଲକ୍ଷ ମେଟ୍ରିକ ଟନ୍ ଚାଉଳ ଉତ୍ପାଦନ ହୋଇଥିଲା। ଏହି ବର୍ଷରେ ଉଭୟ ମରୁଡ଼ି ଏବଂ ବନ୍ୟା ହୋଇଥିଲା।
୨୦୦୧ରୁ ୨୦୧୫ ମସିହା ମଧ୍ୟରେ ରାଜ୍ୟରେ ୧୪୫୧.୨ ମିଲିମିଟର ବର୍ଷାର ଆବଶ୍ୟକତା ରହିଥିବା ବେଳେ ୨୦୦୨ ମସିହାରେ ମାତ୍ର ୧୦୦୭.୮ ମିଲିମିଟର ବର୍ଷା ହୋଇ ଉତ୍କଟ ମରୁଡ଼ି ଦେଖା ଦେଇଥିଲା। ଏହି ସମୟ ମଧ୍ୟରେ ଚାଉଳ ଉତ୍ପାଦନ ଇତିହାସର ସର୍ବନିମ୍ନ ଅର୍ଥାତ ୨୮.୨୬ ଲକ୍ଷ ମେଟ୍ରିକ ଟନ୍ ଚାଉଳ ଉତ୍ପାଦିତ ହୋଇଥିଲା। ୨୦୧୦, ୨୦୧୧, ୨୦୧୨ ମସିହାରେ ଲଗାତାର ତିନି ବର୍ଷ ଧରି ରାଜ୍ୟରେ ମରୁଡ଼ି ଦେଖାଦେଇଥିଲା।
ଏହି ସମୟ ମଧ୍ୟରେ ୧୪୫୧.୨ମିଲିମିଟର ବର୍ଷାର ଆବଶ୍ୟକତା ଥିବା ବେଳେ ୨୦୧୦ ମସିହାରେ ମାତ୍ର ୧୨୯୩ ମିଲିମିଟର, ୨୦୧୧ ରେ ୧୩୨୭.୮ ମିଲିମିଟର, ୨୦୧୨ ରେ ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, ନୂଆପଡ଼ାରେ ୧୩୯୧.୩ ମିଲିମିଟର ବର୍ଷା ରେକର୍ଡ ହୋଇଥିବାରୁ ମରୁଡ଼ି ଭଳି ସ୍ଥିତି ଦେଖାଦେଇଥିଲା। ମରୁଡ଼ି ଦେଖାଦେଇଥିବା ବର୍ଷଗୁଡ଼ିକ ମଧ୍ୟରେ ଯଥାକ୍ରମେ ୨୦୧୦ ମସିହାରେ ୬୦.୫୧ ମେଟ୍ରିକ ଟନ୍, ୨୦୧୧ ମସିହାରେ ୫୧.୨୭ ମେଟ୍ରିକ ଟନ୍, ୨୦୧୨ ମସିହାରେ ୮୬.୮୧ ମେଟ୍ରିକ ଟନ ଚାଉଳ ଉତ୍ପାଦିତ ହୋଇଥିଲା। ସେହିପରି ୨୦୧୫ ମସିହାରେ ୧୨୨୪.୭ ମିଲିମିଟର ବର୍ଷା ହୋଇ ୨୭ ଜିଲ୍ଲାରେ ମରୁଡ଼ି ହୋଇଥିଲା। ୨୦୧୮ ମସିହାରେ ଆବଶ୍ୟକତା ଅନୁସାରେ ବର୍ଷା ନ ହେବା କାରଣରୁ ୯ ଜିଲ୍ଲାରେ ମରୁଡ଼ି ହୋଇଥିଲା।
ତେବେ ଏହାକୁ ନେଇ ବୈଜ୍ଞାନିକ ମାନଙ୍କ ମତ ହେଉଛି ବର୍ତ୍ତମାନ ଯେଉଁଭଳି ଭାବରେ ବର୍ଷା ହେବାର ତାଳମେଳ ରହୁନି ଏହାକୁ ଦୃଷ୍ଟିରେ ରଖି ପଞ୍ଚାୟତସ୍ତରରେ ବର୍ଷା ମନଟରିଂ ପ୍ରକ୍ରିୟା ଆରମ୍ଭ କରାଯାଇ ତଦନୁସାରେ ଯୋଜନା ପ୍ରସ୍ତୁତ କରାଯିବା ଉଚିତ ।