ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମ ନିଶ୍ଚିତ ରୋଜଗାର ଯୋଜନାରେ ସାମିଲ ହେବ ଗୁଆ ଚାଷ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ବର : ନଡିଆ, କାଜୁ ଓ ପାମ୍‍ ଚାଷ ଭଳି ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମ ନିଶ୍ଚିତ ରୋଜଗାର ଯୋଜନା (ଏମ୍‍ଜିଏନ୍‍ଆରଇଜିଏସ୍‍) ଯୋଜନାରେ ରାଜ୍ୟରେ ଗୁଆ ଚାଷ କରାଯିବ । ଏ ଦିଗରେ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ।

ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ଉଦ୍ୟାନ ନିର୍ଦ୍ଦେଶାଳୟର ମତାମତ ଲୋଡାଯାଇଥିବାବେଳେ ନିର୍ଦ୍ଦେଶାଳୟ ପକ୍ଷରୁ ଲାଭଜନକ ଗୁଆ ଚାଷକୁ ଗ୍ରୀନ୍ ସିଗନାଲ ଦିଆଯିବା ସାଙ୍ଗକୁ ଏ ସଂକ୍ରାନ୍ତରେ ବିସ୍ତୃତ ସୂଚନା ପ୍ରଦାନ କରିଛି । ଉଦ୍ୟାନ ନିର୍ଦ୍ଦେଶାଳୟ ଦେଇଥିବା ସୂଚନା ମୁତାବକ ଗୋଟିଏ ହେକ୍ଟର ଜମିରେ ୧୩୭୦ଟି ଗୁଆଗଛ ଲଗାଯାଇ ପାରିବ । ପ୍ରଥମ ବର୍ଷରେ ୭୦୦ ଗୁଆଗଛ ଲଗାଇବାକୁ ପ୍ରାୟ ଅଢେଇ ଲକ୍ଷ ଟଙ୍କା , ଦ୍ୱିତୀୟ ବର୍ଷରେ ୨୭୫ ଓ ତୃତୀୟ ବର୍ଷରେ ୩୦୦ ଗୁଆଗଛ ରୋପଣ ହେବ ବୋଲି କୁହାଯାଇଛି ।

ଗୁଆଚାଷ ପାଇଁ ଜମି ପ୍ରସ୍ତୁତି, ଗାତ ଖୋଳିବା, ଗଛ ଲଗାଇବା, ପାଣି ଦେବା, ଔଷଧ ସିଞ୍ଚନ, ଗୁଆ ବଗିଚାରୁ ଅଳିଆ ଉଠାଇବା, ମାଟି ସମତୁଲ କରିବା ଭଳି ଆଦି କାମ ଏମଜିଏନ୍‍ଆରଇଜିଏସ୍‍ ଶ୍ରମିକାମାନଙ୍କ ଦ୍ୱାରା କରାଯାଇ ପାରିବ ବୋଲି କୁହାଯାଇଛି । ତେବେ କେଉଁ କାର୍ଯ୍ୟ ପାଇଁ କେତେ ଶ୍ରମିକଙ୍କ ଆବଶ୍ୟକତା ରହିଛି ସେ ସମ୍ପର୍କରେ ଉଦ୍ୟାନ ନିର୍ଦ୍ଦେଶାଳୟ ଅବଗତ କରିଛି ।

ତେବେ ଗୁଆଚାଷ ପାଇଁ ଜମିକୁ ସମତୁଲ କରିବା ଏବଂ ଗାତଖୋଳା ଭଳି କାର୍ଯ୍ୟକୁ ଏମ୍‍ଜିଏନ୍‍ଆରଇଜିଏସ୍‍ ଯୋଜନାରେ ମାଟିକାମ ହିସାବରେ ନିଆଯିବା ସଙ୍ଗେ ସଙ୍ଗେ ତଦନୁସାରେ ପାରିଶ୍ରମିକ ମଧ୍ୟ ପ୍ରଦାନ କରାଯିବା । ଗୁଆ ବଗିଚା ଦେଖାଶୁଣା କରିବାପାଇଁ ନିୟୋଜିତ ଅର୍ଦ୍ଧକୁଶଳୀ ଶ୍ରମିକଙ୍କୁ ଦୈନିକ ୩୩୮ ଟଙ୍କା ହିସାବରେ ପାରିଶ୍ରମିକ ମିଳିବ ବୋଲି ନିଷ୍ପତ୍ତି ନିଆଯାଇଛି ।

ନିର୍ଦ୍ଦେଶାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ ଗୁଆଚାଷ ପାଇଁ ପ୍ରଥମ ବର୍ଷରେ ସମସ୍ତ ଖର୍ଚ୍ଚକୁ ହିସାବ କଲେ ଏହା ଅଢେଇ ଲକ୍ଷ ଟଙ୍କା ହେବବୋଲି ଦର୍ଶାଯାଇଛି । ଏଥି ମଧ୍ୟରୁ ଶ୍ରମିକଙ୍କ ପାଉଣା ବାବଦରେ ୬୦ ପ୍ରତିଶତ ଓ ଗୁଆଗଛ ଓ ଅନ୍ୟାନ୍ୟ ସାମଗ୍ରୀର ହାର ୪୦ ପ୍ରତିଶତ ରହିବ । ଗୋଟିଏ ଗୁଆଚାରାର ଦର ୨୧ ଟଙ୍କା ଦର୍ଶାଯାଇଛି ଏଥିରେ ଜିଆଖତ ଏବଂ ସହରାଞ୍ଚଳରେ ପ୍ରସ୍ତୁତ ଖତ ବ୍ୟବହାର ହେବ । ସେହିଭଳି ଦ୍ୱିତୀୟ ବର୍ଷରେ ୯୪ହଜାର ଓ ତୃତୀୟ ବର୍ଷରେ ପ୍ରାୟ ଲକ୍ଷେ ଟଙ୍କା ଖର୍ଚ୍ଚହେବ ।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଓଡ଼ିଶାରେ ଗୁଆ ଚାଷକୁ ସେତେଟା ଗୁରୁତ୍ୱ ଦିଆଯାଉନଥିବାବେଳେ ରାଜ୍ୟକୁ ସାଧାରଣତଃ ଆଣ୍ଡାମାନ ନିକୋବରରୁ ହିଁ ଗୁଆ ଆସିଥାଏ । ବର୍ତ୍ତମାନ ଗୁଆଚାଷକୁ ଏମ୍‍ଜିଏନ୍‍ଆରଇଜିଏସ୍‍ ଯୋଜନାରେ ସାମିଲ କରାଯିବା ପରେ ରାଜ୍ୟରେ ଗୁଆ ଉତ୍ପାଦନ ବୃଦ୍ଧି ପାଇବ ବୋଲି କର୍ତ୍ତୃପକ୍ଷ ଆଶା କରୁଛନ୍ତି ।

Related Posts