(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ବର : କଂଗ୍ରେସକୁ ଲାଗିଲା ଆଉ ଏକ ଝଟକା। ମହିଳା କଂଗ୍ରେସ ସଭାନେତ୍ରୀ ସୁସ୍ମିତା ଦେବ ଦଳ ଛାଡିବା ପରେ ଏବେ ଇସ୍ତଫା ଦେଇଛନ୍ତି ତ୍ରିପୁରା କଂଗ୍ରେସ ମୁଖ୍ୟ ପିଜୁଶ କାନ୍ତି ବିଶ୍ୱାସ । ତେବେ ସେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମସିରେ ସାମିଲ ହେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
ସେ ଶନିବାର ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି। ପିଜୁଶ ଟ୍ୱିଟ କରି ଲେଖିଛନ୍ତି, “ତ୍ରିପୁରା ପିସିସି (TPCC) ସଭାପତି ଭାବେ କାର୍ଯ୍ୟ କରିବା ବେଳେ ମୋତେ ସମର୍ଥନ ଓ ସହଯୋଗ କରିଥିବା ସମସ୍ତଙ୍କୁ କୃତଜ୍ଞତା ଜଣାଉଛି। ସମସ୍ତ କଂଗ୍ରେସ ନେତା ଓ କର୍ମୀଙ୍କୁ ଧନ୍ୟବାଦ। ଆଜି ମୁଁ ସଭାପତି ପଦରୁ ଇସ୍ତଫା ଦେଉଛି ଓ ରାଜନୀତିରୁ ମଧ୍ୟ ଅବସର ଘୋଷଣା କରୁଛି। ମୁଁ ସୋନିଆ ଗାନ୍ଧିଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛି।”
ତାଙ୍କ ଇସ୍ତଫା ଉପରେ ପ୍ରତିକ୍ରିୟା ପ୍ରକାଶ କରି ନିକଟରେ କଂଗ୍ରେସ ଛାଡି ଟିଏମସିରେ ସାମିଲ୍ ହୋଇଥିବା ସୁସ୍ମିତା ଦେବ କହିଛନ୍ତି, “ଆମର କାର୍ଯ୍ୟକାଳ କଠିନ ଥିଲା… ଭବିଷ୍ୟତ ପାଇଁ ଶୁଭକାମନା।”
ସୂଚନାଯୋଗ୍ୟ ଯେ ଆସନ୍ତା ୨୦୨୩ରେ ତ୍ରିପୁରାରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଆଗକୁ ନିର୍ବାଚନ ଥିବା ବେଳେ କଂଗ୍ରେସର ରାଜ୍ୟ ମୁଖିଆଙ୍କ ଇସ୍ତଫା ଦେବା ଦଳ ପାଇଁ ଶକ୍ତ ଝଟକା ବୋଲି କୁହାଯାଉଛି।