୧୨ ବର୍ଷରୁ ଊର୍ଦ୍ଧ୍ବ ପିଲାଙ୍କ ପାଇଁ ପ୍ରଥମ କୋଭିଡ୍ ଭ୍ୟାକ୍ସିନ୍ କୁ ଭାରତ ସରକାରଙ୍କ ମଞ୍ଜୁରୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର ; ୧୨ ବର୍ଷରୁ ଉର୍ଦ୍ଧ୍ୱ ବୟସର ପିଲାମାନଙ୍କ ପାଇଁ ଆସିଲା କରୋନା ଟିକା।ବିଶ୍ୱର ପ୍ରଥମ ଡିଏନ୍ଏ ଭିତ୍ତିକ କରୋନା ଟିକାକୁ ଭାରତ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ଭାରତରେ ଜରୁରୀ କାଳୀନ ବ୍ୟବହାର ପାଇଁ ଡିସିଜିଆଇ ଅନୁମତି ଦେବା ସହ ଭାରତର ପ୍ରଥମ ଟିକା ଭାବେ ପିଲାଙ୍କୁ ଦିଆଯାଇପାରିବ ଜାଇକୋଭ୍-ଡି। ଏହି ଟିକାର ରହିଛି ତିନିଟି ଡୋଜ୍। ସୂଚନା ଥାଉକି ଏହା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଦେଶର ଦ୍ୱିତୀୟ ଟିକା। ଏହାକୁ ମଧ୍ୟ ବିଶ୍ୱର ପ୍ରଥମ ଡିଏନ୍ଏ ଭିତ୍ତିକ କରୋନା ଟିକା ବୋଲି କୁହାଯାଉଛି।

ଗତ ଜୁଲାଇ ୧ ତାରିଖରେ ଏହି ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଡିସିଜିଆଇକୁ ଅନୁମତି ମାଗିଥିଲା ଜାଇଡସ୍ କାଡ଼ିଲା। ଦେଶବ୍ୟାପୀ ପ୍ରାୟ ୨୮ ହଜାର ସ୍ୱେଛାସେବୀଙ୍କ ଉପରେ ଏହାର ଟ୍ରାଏଲ କରାଯାଇଥିଲା। ଯେଉଁଥିରେ ପ୍ରାୟ ୬୬ ଦଶମିକ ୬ ପ୍ରତିଶତ ଫଳପ୍ରଦ ବୋଲି କମ୍ପାନୀ ପକ୍ଷରୁ ଦାବି କରାଯାଇଥିଲା। ତେବେ ଜାଇକୋଭ୍-ଡିକୁ ମିଶାଇ ଏଯାବତ ୫ଟି ଟିକା ଯଥା କୋଭାକ୍ସିନ, କୋଭିସିଲ୍ଡ, ସ୍ପୁଟନିକ-ଭି ଏବଂ ମଡର୍ଣ୍ଣାକୁ ଅନୁମତି ମିଳିସାରିଛି।

ସୂଚନାଯୋଗ୍ୟ, ଜାୟଡସ କାଡିଲା ପ୍ରସ୍ତୁତ କରିଥିବା ତିନି ଡୋଜ୍‌ ବିଶିଷ୍ଟ ଟିକା ଜାଇକୋଭ-ଡିର ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦେବାକୁ ସିଡିଏସ୍‌ଓର ସବଜେକ୍ଟ ଏକ୍ସପର୍ଟ କମିଟି(ଏସ୍‌ଇସି) ପ୍ରସ୍ତାବ ଦେଇଥିଲା। ତେବେ ଟ୍ରିପଲ ଡୋଜ୍‌ର ଅର୍ଥ ବୁଷ୍ଟର ଡୋଜ୍‌ ନୁହେଁ। କୋଭାକ୍ସିନ କିମ୍ବା କୋଭିସିଲ୍ଡର ଦୁଇଟି ଡୋଜ୍‌ ନେବା ପରେ ଯେମିତି ଜଣେ ପୂର୍ଣ୍ଣ ଟିକାକରଣର ମାନ୍ୟତା ପାଉଥିଲେ, ଏବେ ଜାଇକୋଭ-ଡିର ୩ଟି ଡୋଜ୍‌ ନେବା ପରେ ପୂର୍ଣ୍ଣ ଟିକାକରଣର ମାନ୍ୟତା ମିଳିବ। ଜାଇକୋଭ-ଡି ଟିକା ନେବା ବେଳେ କୌଣସି ଛୁଞ୍ଚିର ବ୍ୟବହାର ହେବନି। ତେଣୁ ଏହା ଟିକା ନେବା ପରେ ସୃଷ୍ଟି ହେଉଥିବା ପାର୍ଶ୍ୱପ୍ରତିକ୍ରିୟାକୁ ହ୍ରାସ କରିପାରିବ ବୋଲି କୁହାଯାଉଛି।

ଟିକା ପାଇଁ ଜରୁରୀକାଳୀନ ବ୍ୟବହାର ପ୍ରାଧିକରଣ ପାଇବା ପରେ, ୦, ୨୮ ଏବଂ ୫୬ ଦିନରେ ସମସ୍ତ ତିନୋଟି ଡୋଜ ଦିଆଯିବ ବୋଲି ସୂଚନା ରହିଛି। କମ୍ପାନୀ ZyCoV-D ର ବାର୍ଷିକ 100 ନିୟୁତରୁ 120 ନିୟୁତ ଡୋଜ ଉତ୍ପାଦନ କରିବାକୁ ଯୋଜନା କରୁଥିବା କହିଛି। କମ୍ପାନୀ ମଧ୍ୟ ଏହି ଟିକା ଷ୍ଟକ୍ କରିବା ଆରମ୍ଭ କରିଛି। ଅନ୍ୟ ପକ୍ଷରେ ଜନସନ୍‌ ଆଣ୍ଡ୍ ଜନସନ୍‌ ସିଙ୍ଗିଲ୍ ଡୋଜ୍ କରୋନା ଟିକାକୁ କିଶୋରଙ୍କ ଉପରେ ପରୀକ୍ଷଣ ପାଇଁ ଆବେଦନ କରାଯାଇଛି।

Related Posts