ମମତା ବାନାର୍ଜୀଙ୍କୁ ଶକ୍ତ ଝଟକା : ନିର୍ବାଚନ ପରବର୍ତ୍ତୀ ହିଂସା ମାମଲାର ଯାଞ୍ଚ କରିବ ସିବିଆଇ, ନିର୍ଦ୍ଦେଶ ଦେଲେ ହାଇକୋର୍ଟ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ବେଙ୍ଗଲ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାରଙ୍କୁ କୋଲକାତା ହାଇକୋର୍ଟରୁ ବଡ଼ ଝଟ୍‌କା । ନିର୍ବାଚନ ପରବର୍ତ୍ତୀ ହିଂସା ମାମଲାର ଯାଞ୍ଚ କରିବ ସିବିଆଇ। ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋଲକାତା ହାଇକୋର୍ଟ । ଏହି ନିର୍ଦ୍ଦେଶ ଏବେ ମମତା ବାନାର୍ଜୀଙ୍କ ସମସ୍ୟା ବଢାଇଛି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରବର୍ତ୍ତୀ ହିଂସା ମାମଲାର ଶୁଣାଣି କରି କୋଲକାତା ହାଇକୋର୍ଟ ଏସ୍‌ଆଇଟି ଟିମ ଗଠନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ପୀଡ଼ିତଙ୍କୁ କ୍ଷତିପୂରଣ ଦେବାକୁ ରାଜ୍ୟ ସରକାରଙ୍କୁ କହିଛନ୍ତି। ଏହି ନିର୍ଦ୍ଦେଶ ଦେବାବେଳେ ହାଇକୋର୍ଟ କହିଛନ୍ତି ଯେ କୋର୍ଟଙ୍କ ତତ୍ତ୍ୱାବଧାନରେ ସିବିଆଇ ତଦନ୍ତ କରିବ।

ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପରବର୍ତ୍ତୀ ହିଂସା ମାମଲାରେ ଜାତୀୟ ମାନବ ଅଧିକାର ଆୟୋଗ (NHRC) କଲିକତା ହାଇକୋର୍ଟରେ ନିଜର ରିପୋର୍ଟ ଉପସ୍ଥାପନ କରିଛନ୍ତି। ଏଥିରେ ପୀଡିତଙ୍କ ପ୍ରତି ମମତା ସରକାରଙ୍କ ଉଦାସୀନତାର ଅଭିଯୋଗ ଉଲ୍ଲେଖ କରାଯାଇଥିଲା। ଏହି ରିପୋର୍ଟରେ କୁହାଯାଇଛି ଯେ ରାଜ୍ୟରେ ହିଂସା ଘଟଣାରେ ପୀଡିତଙ୍କ ଦୁର୍ଦ୍ଦଶା ପ୍ରତି ରାଜ୍ୟ ସରକାର ଉଦାସୀନତା ଦେଖାଇଛନ୍ତି ଏବଂ ରାଜ୍ୟର ଆଇନ ଶୃଙ୍ଖଳା ବ୍ୟବସ୍ଥା ବିଗିଡି ଯାଇଛି।  

କୋର୍ଟରେ ଦାଖଲ ହୋଇଥିବା ୫୦ ପୃଷ୍ଠାର ରିପୋର୍ଟରେ NHRC କହିଛି ଯେ ଏହା ଶାସକ ଦଳର ସମର୍ଥକଙ୍କ ଦ୍ବାରା ମୁଖ୍ୟ ବିରୋଧୀ ଦଳର ସମର୍ଥକଙ୍କ ପ୍ରତି ପ୍ରତିଶୋଧ ପରାୟଣ ପୂର୍ବକ ହିଂସା ହୋଇଛି । ଏହା ଦ୍ବାରା , ହଜାର ହଜାର ଲୋକଙ୍କ ଜୀବନ ଏବଂ ଜୀବିକା ବ୍ୟାହତ ହୋଇଛି ।  ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ନିର୍ବାଚନ ପରବର୍ତ୍ତୀ ହିଂସା ମାମଲାରେ ଯୌନ ଅପରାଧ ଘଟିଛି କିନ୍ତୁ ପୀଡିତାମାନେ ଭୟରେ କହିବାକୁ ଡରୁଛନ୍ତି। ପୀଡିତଙ୍କ ମନରେ ରାଜ୍ୟର ପ୍ରଶାସନ ପ୍ରତି ବିଶ୍ୱାସର ଅଭାବ ଅତ୍ୟନ୍ତ ସ୍ପଷ୍ଟ ହୋଇଛି।

ସୂଚନାଯୋଗ୍ୟ ଯେ ନିର୍ବାଚନ ପରବର୍ତ୍ତୀ ହିଂସା ଘଟଣାରେ ଲୋକଙ୍କୁ ମାରପିଟ କରାଯାଇଥିବା , ଘରୁ ପଳାଇବାକୁ ବାଧ୍ୟ କରାଯାଇଥିବା ଏବଂ ସେମାନଙ୍କ ସମ୍ପତ୍ତି ନଷ୍ଟ କରାଯାଇଥିବା ଭଳି ସଙ୍ଗୀନ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗଗୁଡିକର ତଦନ୍ତ ଦାବି କରାଯାଇଥିଲା।

ଅଗଷ୍ଟ ୩ରେ ଏହି ମାମଲାର ଶୁଣାଣି ଶେଷ ହୋଇ ରାୟ ସଂରକ୍ଷିତ ରଖାଯାଇଥିଲା। କାର୍ଯ୍ୟକାରୀ ପ୍ରଧାନ ବିଚାରପତି ରାଜେଶ ବିନ୍ଦଲଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। ଖଣ୍ଡପୀଠରେ ଜଷ୍ଟିସ ଆଇପି ମୁଖାର୍ଜୀ, ହରିଶ ଟଣ୍ଡନ, ସୋମେନ ସେନ ଏବଂ ସୁବ୍ରତ ତାଲୁକଦାରଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା। ଅକ୍ଟୋବର ୨୪ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

Related Posts