ସେପ୍ଟେମ୍ବର ପହିଲାରୁ ଖୋଲିବ ଲିଙ୍ଗରାଜ ମନ୍ଦିର

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ସେପ୍ଟେମ୍ବର ପହିଲାରୁ ଖୋଲିବ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି । ମନ୍ଦିର ଖୋଲିବା ନେଇ ଟ୍ରଷ୍ଟ ଓ ସେବାୟତଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଥିଲା । ଏହା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଲିଙ୍ଗରାଜ ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଛି ।

ତେବେ କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ମନ୍ଦିର ଭିତରେ ଏବଂ ପରିସରରେ ଶ୍ରଦ୍ଧାଳୁମାନେ କଟକଣାକୁ ବାଧ୍ୟତାମୂଳକ ଭାବେ ପାଳନ କରିବେ। ୨ ଡୋଜ୍‌ କରୋନା ଟିକା ନେଇଥିବା ଭକ୍ତ କେବଳ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ। କୋଭିଡ କଟକଣା କଡ଼ାକଡ଼ି କରିବାକୁ ପ୍ରଶାସନର ନିର୍ଦ୍ଦେଶ ହୋଇଛି। ଶ୍ରଦ୍ଧାଳୁମାନେ ଗର୍ଭଗୃହ ଭିତରକୁ ପ୍ରବେଶ କରିପାରିବେ ନାହିଁ ବୋଲି କୁହାଯାଇଛି।

ସୂଚନାଯୋଗ୍ୟ, ରାଜ୍ୟରେ ତଥା ଭୁବନେଶ୍ୱରରେ କରୋନା ସଂକ୍ରମଣ ପୂର୍ବାପେକ୍ଷା ହ୍ରାସ ପାଉଥିବା କାରଣରୁ ପ୍ରଶାସନ ତରଫରୁ ଶ୍ରୀଲିଙ୍ଗରାଜ ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ହୋଇଛି। ଚଳିତ ମାସ ଶେଷ ବେଳକୁ ଭୁବନେଶ୍ୱରରେ କରୋନା ସଂକ୍ରମଣ ଅଧିକ ହ୍ରାସ ପାଇଥିବ ବୋଲି ଆଶା କରାଯାଉଛି।

ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୪ ହଜାର ୪୯୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରୁ ୧ ଲକ୍ଷ ୩୪୦ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ୯୭୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ହଜାର ୧୫୩ ଜଣ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି।

ସଂପ୍ରତି କରୋନା ମହାମାରୀର ଦ୍ୱିତୀୟ ଲହର କାରଣରୁ ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରହିଥିଲା । ତେବେ ରାଜ୍ୟରେ କରୋନା ସଂକ୍ରମଣରେ ହ୍ରାସ ପରେ ଧର୍ମାନୁଷ୍ଠାନ ଗୁଡ଼ିକୁ ଖୋଲିବାକୁ ସ୍ଥାନୀୟ ପ୍ରଶାସନ ଉପରେ ଦ୍ୱାୟିତ୍ୱ ନ୍ୟସ୍ତ କରାଯାଇଥିଲା ।

Related Posts