ଜୋର ଧରିଲା ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ମାନ୍ୟତା ଦାବି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରଦାନ କରିବା ଲାଗି ଦାବି ଜୋର ଧରୁଛି। ବିଗତ ୪୦ବର୍ଷ ଧରି ବିଭିନ୍ନ ମହଲରୁ ଉଠୁଥିବା ସ୍ବର ଏବେ ପୁଣି ଥରେ ଥରେ ଜୋରଦାର ହେବାରେ ଲାଗିଛି । ଉତ୍କଳ ସାଙ୍ଗକୁ ଆଉ ଦୁଇଟି ବିଶ୍ୱବିଦ୍ୟାଳୟକୁ ମଧ୍ୟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବାପାଇଁ ଦାବି ଜୋର ଧରିଛି ।

ପ୍ରଫେସର ମନ୍ମଥ ନାଥ ଦାସ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ଥିବାବେଳେ ବିଧିବଦ୍ଧ ଭାବେ ଉତ୍କଳକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଉଠାଇଥିଲେ । ତାଙ୍କର ଏହି ଦାବିକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଥିଲା। ସେହି ସମୟରେ ଶିକ୍ଷାବିତ୍‍, ବୁଦ୍ଧିଜୀବୀ, ଛାତ୍ରଛାତ୍ରୀଙ୍କ ସମେତ ଦଳ ମତ ନିର୍ବିଶେଷରେ ରାଜନେତାମାନେ ବି ସମର୍ଥନ ଜଣାଇଥିଲେ । ସେ ସମୟରେ କିନ୍ତୁ ବିଭିନ୍ନ ରାଜ୍ୟର ଅନେକ କେତେକ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମାନ୍ୟତା ଦିଆଯାଇଥିବାବେଳେ ଦିଲ୍ଲୀ ଲବି ଜୋରଦାର ହୋଇନପାରିବାରୁ ଉତ୍କଳ ୟୁନିଭରସିଟି ବାଦ୍ ପଡିଯାଇଥିଲା। ସୂଚନାଯୋଗ୍ୟ ଯେ ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାର କୋରାପୁଟରେ ଏକ ନୂଆ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସ୍ଥାପନ କରିଛନ୍ତି ।

ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ରନେତା ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରରେ ଶିକ୍ଷାମନ୍ତ୍ରୀ ଥିବାବେଳେ ଏହି ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦର ପୂର୍ବତନ ସଭାପତି ଡକ୍ଟର ଅରୁଣ ସାହୁ ରାଜ୍ୟର ଉଚ୍ଚଶିକ୍ଷା ମନ୍ତ୍ରୀ ଅଛନ୍ତି । ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେହେତୁ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଦାୟିତ୍ୱରେ ଅଛନ୍ତି ତେଣୁ ଉତ୍କଳକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା ମିଳିବା ନେଇ ଶିକ୍ଷକ, ଛାତ୍ରଛାତ୍ରୀ, ପୁରାତନ ଛାତ୍ର ଓ ବିଭିନ୍ନ ମହଲରୁ ଆଶା ଦୃଢ ହେବାରେ ଲାଗିଛି ।

ତେବେ ଏହା ମଧ୍ୟରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଏବଂ ସମ୍ବଲପୁର ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବାପାଇଁ ମଧ୍ୟ ଦାବି ଜୋର ଧରିଛି । ୨୦୧୯ ଲୋକସଭା ନିର୍ବାଚନରେ ପଶ୍ଚିମ ଓଡିଶାର ୫ଟି ଯାକ ଲୋକସଭା ଆସନ ବିଜେପି ହାତକୁ ଯାଇଥିବା କାରଣରୁ ପଶ୍ଚିମାଞ୍ଚଳର ବିଜେପି ନେତାମାନେ ସମ୍ବଲପୁର ବିଶ୍ୱବିଦ୍ୟାଳୟ କେନ୍ଦ୍ରୀୟ ମାନ୍ୟତା ମିଳିବା ନେଇ ଆଶା କରିବା ସ୍ୱାଭାବିକ ।

ଅପରପକ୍ଷରେ ଓଡିଶାର ସର୍ବ ପୁରାତନ ମହିଳା କଲେଜ କଟକର ଶୈଳବାଳା ମହିଳା ମହାବିଦ୍ୟାଳୟ ସମେତ ପୁରୀର ସାମନ୍ତ ଚନ୍ଦ୍ରଶେଖର କଲେଜ, ଖୋର୍ଦ୍ଧାର ପ୍ରାଣନାଥ କଲେଜ ଓ କେନ୍ଦ୍ରାପଡା କଲେଜକୁ ଏକକ ବିଶ୍ୱବିଦ୍ୟାଳୟରେ ପରିଣତ କରିବାପାଇଁ ମଧ୍ୟ ଦାବି ଜୋର ଧରିଛି। ଏହି ୪ଟି ଯାକ ଶିକ୍ଷାନୁଷ୍ଠାନକୁ ସ୍ୱୟଂଶାସିତ ମାନ୍ଯତା ମିଳିଛି ।

୧୯୪୩ ମସିହାରେ ଓଡିଶାର ପ୍ରଥମ ବିଶ୍ୱବିଦ୍ୟାଳୟ ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ଥାପିତ ହୋଇଥିଲା । ବର୍ତ୍ତମାନ ଓଡିଶାରେ ୨୦ରୁ ଅଧିକ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟ ରହିଛନ୍ତି ।

Related Posts