(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଆମେରିକା ସେନା ଚାଲିଯିବା ପରେ ଆଫଗାନିସ୍ତାନକୁ ନିଜ ଅକ୍ତିଆରକୁ ନେଇଯାଇଛି ତାଲିବାନ। ଆଫଗାନିସ୍ତାନରେ ତାଲିବାନ ଶାସନ ଫେରିବା ପରେ ସେଠାକାର ଜନତାଙ୍କ ସମେତ ବିଶ୍ୱର ବିଭିନ୍ନ ସ୍ଥାନରୁ ଏଠାରେ ରହୁଥିବା ଲୋକମାନେ ଦେଶ ଛାଡି ପଳାଉଛନ୍ତି। ଭାରତ ମଧ୍ୟ ନିଜ ଦେଶର ଲୋକଙ୍କୁ ସ୍ବଦେଶ ଫେରାଇ ଆଣୁଛି। ଆଫଗାନିସ୍ତାନ ରାଜଧାନୀ କାବୁଲରେ ଥିବା ଦୂତାବାସରୁ ନିଜର ରାଷ୍ଟ୍ରଦୂତ ଏବଂ କର୍ମଚାରୀଙ୍କୁ ସ୍ବଦେଶ ଫେରାଇ ଆଣିଛି ଭାରତ । ତେବେ ଏହି ସମୟରେ ଦୂତାବାସରେ ରହୁଥିବା ତିନୋଟି ସନ୍ଧାନୀ କୁକୁରକୁ ମଧ୍ୟ ଭାରତ ଅଣାଯାଇଛି। ଏହି ତିନି କୁକୁରଙ୍କ ନାମ ହେଉଛି ମାୟା, ରୁବି ଏବଂ ବବି ।
ନ୍ଯୁଜ୍ ଏଜେନ୍ସି ANI ଅନୁଯାୟୀ ମଙ୍ଗଳବାର ଦିନ ଯେତେବେଳେ ଭାରତୀୟ ଟିମ ବାୟୁସେନା ବିମାନରେ କାବୁଲରୁ ଭାରତରେ ପହଞ୍ଚିଥିଲା, ସେତେବେଳେ ଏହି ତିନି କୁକୁରକୁ ଭାରତ ଅଣାଯାଇଥିଲା। ବର୍ତ୍ତମାନ ତାଙ୍କୁ ଆଇଟିବିପିର ଛୱଲା କ୍ୟାମ୍ପରେ ରଖାଯାଇଛି। ମାୟା, ରୁବି ଏବଂ ବବି ଏକ କମାଣ୍ଡୋଙ୍କ ସହ ମଙ୍ଗଳବାର ଗାଜିଆବାଦର ହିନ୍ଦନ ବାୟୁସେନା ବେସରେ ଅବତରଣ କରିଥିଲେ। ଏହି ତିନି ସନ୍ଧାନୀ କୁକୁରଙ୍କୁ ଭାରତୀୟ ଦୂତାବାସର ସୁରକ୍ଷା ପାଇଁ ପୋଷ୍ଟ କରାଯାଇଥିଲା ଏବଂ ଏହି କୁକୁର ମାନେ ସୁରକ୍ଷା ଅଧିକାରୀଙ୍କୁ ଅନେକ ସମୟରେ ସାହାଯ୍ୟ ମଧ୍ୟ କରିଥିଲେ।
ରିପୋର୍ଟ ଅନୁଯାୟୀ, ଏହି ତିନି କୁକୁର କାବୁଲରେ ଥିବା ଭାରତୀୟ ଦୂତାବାସ ନିକଟରେ ଅନେକ ସମୟରେ ବିସ୍ଫୋରକ ସାମଗ୍ରୀ ଚିହ୍ନଟ କରି ଭାରତୀୟ କର୍ମଚାରୀଙ୍କ ଜୀବନ ରକ୍ଷା କରିଥିଲେ । ଏହି ୩ କୁକୁରକୁ ହରିୟାଣାର ପଞ୍ଚକୁଲାରେ ଅବସ୍ଥିତ ଡଗ୍ ଟ୍ରେନିଂ ସ୍କୁଲ୍ ରେ ତାଲିମ ଦିଆଯାଇଛି।ଆଇଟିବିପିର ସୂଚନା ଅନୁଯାୟୀ, ଯେତେବେଳେ ଏହି ତିନି ସନ୍ଧାନୀ କୁକୁର ଭାରତରେ ପହଞ୍ଚିଥିଲେ, ସେମାନେ ବହୁତ ଖୁସି ଦେଖାଯାଉଥିଲେ।
ଏହି ତିନିଜଣଙ୍କୁ ଆଇଟିବିପିର ଛୱଲା କ୍ୟାମ୍ପରେ ରଖାଯାଇଛି। ସୂଚନା ମୁତାବକ ଭାରତୀୟ ବାୟୁସେନା ବର୍ତ୍ତମାନ ଆଫଗାନିସ୍ତାନରୁ କୂଟନୀତିଜ୍ଞ ଏବଂ ଅନ୍ୟମାନଙ୍କୁ ସ୍ଥାନାନ୍ତର କରିବାରେ ନିୟୋଜିତ ଅଛି। ମଙ୍ଗଳବାର ଦିନ କାବୁଲରୁ ବାୟୁସେନାର ଗ୍ଲୋବେମାଷ୍ଟର ବିମାନ 120 ଜଣଙ୍କୁ ନେଇ ଦିଲ୍ଲୀରେ ପହଞ୍ଚିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ପରିସ୍ଥିତିକୁ ଦୃଷ୍ଟିରେ ରଖି କାବୁଲରେ ଆମର ରାଷ୍ଟ୍ରଦୂତ ଏବଂ ସମସ୍ତ ଭାରତୀୟ କର୍ମଚାରୀ ତୁରନ୍ତ ଭାରତ ଆସିବେ ବୋଲି ନିଷ୍ପତ୍ତି ନିଆଯାଇଛି।