ସମୀକ୍ଷା ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିଷ୍ପତ୍ତି : ଏଣିକି ସମସ୍ତ ବିଦ୍ୟାଳୟ କୋଠାର ରଙ୍ଗ ଏକ ପ୍ରକାର

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଏଣିକି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଆସୁଥିବା ସମସ୍ତ ବିଦ୍ୟାଳୟ କୋଠାର ରଙ୍ଗ ଏକ ପ୍ରକାର ହେବ। ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ବିଭାଗର ନିଷ୍ପତ୍ତି କ୍ରମେ ସ୍କୁଲଗୁଡ଼ିକର ରକ୍ଷଣାବେକ୍ଷଣ, ମଧ୍ୟାହ୍ନଭୋଜନ ଓ ରୋଷେଇ, ବଗିଚାର କାର୍ଯ୍ୟ ଦାୟିତ୍ବ ୧୫ ହଜାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି) ର ସଦସ୍ୟାଙ୍କୁ ପ୍ରଦାନ କରାଯିବ । ମଙ୍ଗଳବାର ଦିନ ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ) ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକ(ଡିପିସି), ସମଗ୍ର ଶିକ୍ଷାଙ୍କ ସମୀକ୍ଷା ବୈଠକରେ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ମାନଙ୍କୁ ଅଧିକ କ୍ଷମତା ପ୍ରଦାନ କରାଯାଇଛି। 

ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ଜିଲ୍ଲା ଗୁଡ଼ିକରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟଗୁଡ଼ିକର ସମସ୍ୟା ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ) ମାନେ ତଦାରଖ କରିବେ। ଆଦର୍ଶ ବିଦ୍ୟାଳୟ ନିର୍ମାଣ ପାଇଁ ଜମି ଅଧିଗ୍ରହଣ ହୋଇ ସାରିଥିବା କାରଣରୁ ସେଠାରେ ଯୁଦ୍ଧକାଳୀନ ଭିତ୍ତିରେ କାମ ଶେଷ କରିବା ପାଇଁ ଡିଇଓ ମାନଙ୍କୁ ନେଇ ଦିଆଯାଇଛି। ତେବେ ଆସନ୍ତା ଶିକ୍ଷା ବର୍ଷଠାରୁ ଆଦର୍ଶ ବିଦ୍ୟାଳୟରେ ପଢୁଥିବା ସମସ୍ତ ଛାତ୍ରଛାତ୍ରୀ ଯେପରି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ ସେଥିପାଇଁ ସ୍କୁଲ ଅଧ୍ୟକ୍ଷ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ଏବେ ଗଣଶିକ୍ଷା ବିଭାଗ ଅଧୀନକୁ ଆସିଥିବା କାରଣରୁ ଡିଇଓମାନେ ଯୁକ୍ତ୨ କଲେଜର ତଦାରଖ କରିବା ସହ ବିଭାଗର ସମସ୍ତ ନିର୍ଦ୍ଦେଶ ପାଳନ କରିବେ।

ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଯୋଜନା) ଏଥିପାଇଁ ନୋଡାଲ ଅଧିକାରୀ ଭାବେ କାର୍ଯ୍ୟ କରିବେ । ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁ ସବୁ ଜନ କଲ୍ୟାଣକାରୀ ଯୋଜନା ହେଉଛି, ତାହାର ସୁଫଳ ଯେପରି ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚାଯାଇ ପାରିବ ସେଥିପାଇଁ ଡିଇଓମାନେ ସେମାନଙ୍କର ମୋବାଇଲ୍‌ ନମ୍ବର ସଂଗ୍ରହ କରିବେ । ଏହା ସଙ୍ଗେ ସଙ୍ଗେ ପିଲା ମାନଙ୍କୁ ପ୍ରଭାବିତ କରିବା ପାଇଁ ବିଭିନ୍ନ ସାମାଜିକ ବାର୍ତ୍ତାଗୁଡ଼ିକୁ ହୋର୍ଡିଂ ଜରିଆରେ ସ୍କୁଲର ପ୍ରମୁଖ ସ୍ଥାନଗୁଡ଼ିକରେ ଲଗାଯିବ। ଏହା ସଙ୍ଗେ ସଙ୍ଗେ ସେପ୍ଟେମ୍ବର ୧ ତାରିଖରେ ମାଧ୍ୟମିକ ଶିକ୍ଷକ ଚାକିରିରେ ନିଯୁକ୍ତି ପାଇଁ ଓଡ଼ିଶା ମାଧ୍ୟମିକ ଶିକ୍ଷା ଯୋଗ୍ୟତା ପରୀକ୍ଷା (ଓଏସ୍‌ଏସ୍‌ଟିଇଟି) ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା କରାଯିବ। ପରୀକ୍ଷା ପରିଚାଳନା ଦାୟିତ୍ବ ଡିଇଓମାନଙ୍କୁ ଦିଆଯାଇଛି।

ଏହା ବ୍ୟତୀତ ଛାତ୍ରଛାତ୍ରୀଙ୍କର ନିୟମିତ ୟୁନିଟ୍‌ ଟେଷ୍ଟ କରାଯିବ। ସେଥିପାଇଁ ସମସ୍ତ ଜିଲ୍ଲା ରିସୋର୍ସ ଗ୍ରୁପ୍‌ ଜରିଆରେ ପ୍ରଧାନଶିକ୍ଷକଙ୍କ ପ୍ରଶିକ୍ଷଣକୁ ଶୀଘ୍ର ଶେଷ କରିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦକୁ ନିର୍ଦ୍ଦେଶ ଦିଆଯାଇଛି। ଏବଂ ପିଲାମାନଙ୍କ ମଧ୍ୟାହ୍ନ ଭୋଜନ ପାଇଁ ଡିଇଓମାନେ ଚାଉଳ ଉଠାଇପାରିବେ ଏବଂ କାର୍ଯ୍ୟ ଦକ୍ଷତା ଗ୍ରେଡିଂ ଇନ୍‌ଡେକ୍ସ (ପିଜିଆଇ) ପରଫର୍ମାନ୍ସର ଉନ୍ନତି ପାଇଁ ପ୍ରଚେଷ୍ଟା କରିବେ। 

ଏ ସବୁ ବାଦ୍ ଭିତ୍ତିଭୂମି ଓ କୋଠାବାଡ଼ି ଉନ୍ନୟନରେ ଦିଆଯାଇଥିବା ଅନୁଦାନର ସଠିକ୍‌ ବିନିଯୋଗ କରିବା ପାଇଁ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଏପଟେ ସେପ୍ଟେମ୍ବର ମାସ ସୁଦ୍ଧା ୬୩ ହଜାର ପ୍ରାଥମିକ ଶିକ୍ଷକଙ୍କୁ ପଦୋନ୍ନତି ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଚଳିତ ବର୍ଷ ଠାରୁ ନବମ ଓ ଦଶମ ଶ୍ରେଣୀର ସାହିତ୍ୟ ବହିରେ ‘ବନ୍ଦେ ଉତ୍କଳ ଜନନୀ’କୁ ଅନ୍ତର୍ଭୁକ୍ତ କରାଯାଇଛି। ୧୧୨୩ ହାଇସ୍କୁଲରେ ରୂପାନ୍ତରଣ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ମାର୍ଟ କ୍ଲାସ / ଇ-ଲାଇବ୍ରେରି / ଲାବୋରେଟୋରି ବ୍ୟାପକ ଭାବେ କାର୍ଯ୍ୟକାରୀ ହେବ। ଏଥିପାଇଁ ଜିଲ୍ଲାସ୍ତରରେ ସ୍ୱତନ୍ତ୍ର ଭାବେ ଇ-କଣ୍ଟେଟ୍‌ ସମୃଦ୍ଧ କରାଯିବ। ‘ମୋ ସ୍କୁଲ’ କାର୍ଯ୍ୟକ୍ରମରେ ୩୨ ହଜାର ୪୪୭ଟି ବିଦ୍ୟାଳୟ ସାମିଲ ହୋଇଛି। ଆଗାମୀ ଦିନରେ ଅଧିକରୁ ଅଧିକ ପ୍ରାଥମିକ ବିଦ୍ୟାଳୟକୁ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। 

Related Posts