ତାଲିବାନ ଶାସନରେ ପୂର୍ବ ତୁଳନାରେ ଅଧିକ ସୁରକ୍ଷିତ ରହିବ କାବୁଲ: ଋଷିଆ ରାଷ୍ଟ୍ରଦୂତ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଆଫଗାନିସ୍ତାନରେ ତାଲିବାନି ଶାସନ ଫେରିବା ପରେ ସାରା ବିଶ୍ୱ ଏବେ ଚିନ୍ତିତ । କିନ୍ତୁ ଏହା ମଧ୍ୟରେ ଋଷିଆ ଦେଇଛି ବଡ ବୟାନ । ଆଫଗାନିସ୍ତାନରେ ତାଲିବାନ ଶାସନ ସପକ୍ଷରେ ମତ ରଖିଛି  ଋଷିଆ । ତାଲିବାନୀଙ୍କୁ ପ୍ରଶଂସା କରିଛନ୍ତି ଋଷିଆ ରାଷ୍ଟ୍ରଦୂତ ଡିମିଟ୍ରି ଝିରନୋଭ । ଝିରନୋଭ କହିଛନ୍ତି, “ତାଲିବାନ ଶାସନରେ ଅଧିକ ସୁରକ୍ଷିତ ରହିବ କାବୁଲ । ତାଲିବାନ କ୍ଷମତାକୁ ଫେରିବାର ୨୪ ଘଣ୍ଟା ଭିତରେ ଯାହା ଦେଖିବାକୁ ମିଳିଛି, ସେଥିରୁ ଲାଗୁଛି କାବୁଲ ପୂର୍ବ ସରକାର ଅପେକ୍ଷା ଅଧିକ ସୁରକ୍ଷିତ ।”

ତାଲିବାନ ଭୟରେ ଦେଶ ଛାଡ଼ି ଚାଲି ଯିବାକୁ ଲୋକେ ଡହକ ବିକଳ ହେଉଥିବା ବେଳେ ଆଫଗାନିସ୍ତାନକୁ କବଜା କରିବା ଖୁସିରେ ଉତ୍ସାହିତ ତାଲିବାନ। ତାଲିବାନମାନେ ଖୁସିରେ ନାଚିବା ସହ ଦୋଳି ଖେଳିବା, ଜିମ୍ ରେ ଯାଇ ନାଚୁ ଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ତାଲିବାନ ମାନଙ୍କର ମଜା ମସ୍ତିର ଏହି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଯେ ଛୋଟ ପିଲାଙ୍କ ଖେଳନା ଗାଡ଼ି ଚଳାଇ ମଜା ‌ନେଉଛନ୍ତି ତାଲିବାନ । 

ଏହା ସହ ଜିମ ଭିତରେ ବ୍ୟାୟାମ କରୁଥିବାର ମଧ୍ୟ ଦେଖିବାକୁ ମିଳିଛି । ତାଲିବାନମାନେ ଅଫଗାନିସ୍ତାନକୁ ଦଖଲ କରିବା ପରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । ଲୋକେ ନିଜ ଜୀବନ ବଞ୍ଚାଇବା ପାଇଁ ଅନ୍ୟ ଦେଶକୁ ଚାଲିଯିବା ପାଇଁ ପ୍ରୟାସ କରୁଛନ୍ତି। ଏହା ମଧ୍ୟରେ ତାଲିବାନମାନେ ଖୁସି ମନାଇବା ଆରମ୍ଭ କରିଛନ୍ତି ।

ଅପରପକ୍ଷରେ , କ୍ଷମତାକୁ ଆସିବା ପରେ ତାଲିବାନ ମଙ୍ଗଳବାର ଦିନ ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ସର୍ବକ୍ଷମା କରିଛି। ଏହା ସହ ପୂର୍ବ ସରକାରଙ୍କ ସହ କାମ କରୁଥିବା ସମସ୍ତ କର୍ମଚାରୀ ପୁଣି ଥରେ କାର୍ଯ୍ୟାଳୟକୁ ଫେରନ୍ତୁ ବୋଲି ତାଲିବାନ ନିର୍ଦ୍ଦେଶ ଦେଇଛି। ପୂର୍ବ ଆଫଗାନିସ୍ତାନ ସରକାରଙ୍କ କର୍ମଚାରୀଙ୍କ ପାଇଁ ସର୍ବକ୍ଷମା ଘୋଷଣା କରିବାବେଳେ ତାଲିବାନର ଜଣେ ଅଧିକାରୀ ମହିଳାମାନଙ୍କୁ ତାଙ୍କ ସରକାରରେ ଯୋଗଦେବାକୁ ଅନୁରୋଧ କରିଛନ୍ତି। 

Related Posts