‘କେବଳ ପ୍ଲାଟଫର୍ମ ବଦଳିଛି, କାମ ନୁହେଁ … ଆଶା କରୁଛି ସୋନିଆ ଜୀ କ୍ଷମା କରିବେ’: କଂଗ୍ରେସ ଛାଡି ଟିଏମସିରେ ଯୋଗଦେଇଥିବା ସୁସ୍ମିତା ଦେବ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଗତ କାଲି କଂଗ୍ରେସରୁ ଇସ୍ତଫା ଦେଇ ତୃଣମୂଳ କଂଗ୍ରେସରେ ସାମିଲ ହୋଇଥିଲେ ‘ସର୍ବ ଭାରତୀୟ ମହିଳା କଂଗ୍ରେସ’ର ପୂର୍ବତନ ସଭାପତି ସୁସ୍ମିତା ଦେବ। ଟିଏମସିରେ ସାମିଲ୍ ହେବା ପରେ ସୁସ୍ମିତା କହିଛନ୍ତି ଯେ କଂଗ୍ରେସ ନେତୃତ୍ୱ ବିରୋଧରେ ମୋର କୌଣସି ଆପତ୍ତି ନାହିଁ। ସେ କହିଛନ୍ତି ଯେ ,” ମୁଁ ମୋର ଇସ୍ତଫା ଅଗଷ୍ଟ ୧୫ରେ ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇଥିଲି ଏବଂ 16 ଅଗଷ୍ଟରେ ମମତା ବାନାର୍ଜୀଙ୍କୁ ଭେଟି ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିଲି। 

କଂଗ୍ରେସ ସହିତ ମୋର ୩୦ ବର୍ଷର ସମ୍ପର୍କ ଥିଲା। କଂଗ୍ରେସ ମୋତେ ଅନେକ ସୁଯୋଗ ଦେଇଛି । ସାଂସଦ ହୋଇଛି, ଅଲ ଇଣ୍ଡିଆ ମହିଳା କଂଗ୍ରେସର ସଭାପତି ଭାବେ ଦାୟିତ୍ୱ ତୁଲାଇଛି । କଂଗ୍ରେସ ମୋତେ କାମ କରିବାର ଅନେକ ସୁଯୋଗ ଦେଇଥିଲା । ଯଦି କୌଣସି କମି ରହିଯାଇଛି, ତେବେ ମୁଁ ଆଶା କରୁଛି ସୋନିଆଜୀ ମୋତେ କ୍ଷମା କରିଦେବେ।” 

ଟିଏମସିରେ ସାମିଲ୍ ହେବା ପରେ ସୁସ୍ମିତା ଦେବ କହିଛନ୍ତି ଯେ ମୁଁ ମୋର ଆଦର୍ଶ ଏବଂ ବିଚାରଧାରା ଉପରେ କୌଣସି ବୁଝାମଣା କରି ନାହିଁ। ମୁଁ ବିନା ସର୍ତ୍ତରେ ଟିଏମସିରେ ଯୋଗ ଦେଇଛି। ମୁଁ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କାମ କରିଥିଲି, ବର୍ତ୍ତମାନ ମୁଁ ମମତାଙ୍କ ନେତୃତ୍ୱରେ କାମ କରିବି। ଉଭୟ ନେତାଙ୍କ ଯୋଗ୍ୟତା ରହିଛି।  ସେ କହିଛନ୍ତି ଯେ ମୁଁ ଭାବୁଛି ତୃଣମୂଳ କଂଗ୍ରେସ ମୋ ପାଇଁ ଏକ ଭଲ ପ୍ଲାଟଫର୍ମ। 

କଂଗ୍ରେସ ନେତୃତ୍ୱଙ୍କୁ ଅଭିଯୋଗ ଉପରେ ସେ କହିଛନ୍ତି ଯେ କଂଗ୍ରେସ ନେତୃତ୍ୱ ପ୍ରତି ମୋର କୌଣସି ଆପତ୍ତି ନାହିଁ।  ମୁଁ ତାଙ୍କ ସହିତ ୩୦ ବର୍ଷ କାମ କଲି । ସଦ୍ଯ ଟିଏମସି ନେତା ହୋଇଥିବା ସୁସ୍ମିତା ଦେବ କହିଛନ୍ତି ଯେ ମୁଁ ଅଗଷ୍ଟ ୧୪ ରେ କଂଗ୍ରେସ ନେତୃତ୍ୱଙ୍କ ସହ ଏକ ଫଟୋ ଉଠାଇଥିଲି।  କେବଳ ପ୍ଲାଟଫର୍ମ ବଦଳିଛି, କାମ ପୂର୍ବ ପରି ଚାଲୁ ରହିବ ।

ସୁସ୍ମିତା ଦେବ ଦଳରେ ଯୋଗଦେବା ଉପରେ ତୃଣମୂଳ କଂଗ୍ରେସ ନେତା ଡେରେକ ଓ’ବ୍ରାଇନ୍ କହିଛନ୍ତି ଯେ ,”ଆମେ କୌଣସି ପୋଚିଂ କରୁନାହୁଁ। କୌଣସି ପାର୍ଟି ଭାଙ୍ଗିବାକୁ ଚେଷ୍ଟା କରୁନାହିଁ । ଯଦି ସେଠାରେ ଦକ୍ଷ ବ୍ୟକ୍ତି ଅଛନ୍ତି ଯେଉଁମାନେ ମମତା ବାନାର୍ଜୀଙ୍କ ନେତୃତ୍ୱରେ ଯୋଗଦେବାକୁ ଚାହୁଁଛନ୍ତି ତେବେ ସେମାନଙ୍କୁ ସ୍ୱାଗତ । ” ସେ କହିଛନ୍ତି ଯେ ଅଗଷ୍ଟ ୨୦ ରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଡକାଯାଇଥିବା ବୈଠକରେ ମମତା ବାନାର୍ଜୀ ଯୋଗଦେବେ।  

Related Posts