(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ବିଚାରପତିଙ୍କ ସୁରକ୍ଷାକୁ ନେଇ ଆବଶ୍ୟକ ପଦକ୍ଷେପ ନେବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ସୁପ୍ରିମକୋର୍ଟ ଏକ ମାମଲାର ଶୁଣାଣି ବେଳେ କହିଛନ୍ତି ଯେ ଜଜ୍ ଙ୍କ ସୁରକ୍ଷା କେଵଳ ରାଜ୍ୟ ସରକାରଙ୍କ ଭରସାରେ ଛାଡି ଦିଆଯାଇପାରିବ ନାହିଁ। ସୂଚନାଯୋଗ୍ୟ ଯେ ଝାଡଖଣ୍ଡର ଧନବାଦ୍ ଜିଲ୍ଲାରେ ଜଜ୍ ଉତ୍କଳ ଆନନ୍ଦଙ୍କ ହତ୍ୟା ମାମଲା ସାମ୍ନାକୁ ଆସିବା ପରେ ନ୍ଯାୟଧୀଶଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଥିଲା। ସମ୍ବେଦନଶୀଳ ମାମଲାରେ ରାୟ ପ୍ରଦାନ କରୁଥିବା ବିଚାରପତିଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଥିଲା। ତେବେ ଏହାପରେ ସିବିଆଇ ଘଟଣାର ତଦନ୍ତଭାର ସମ୍ଭାଳୁଛି । ଜଜ୍ ଙ୍କ ହତ୍ୟାକାରୀଙ୍କୁ ପଚରାଉଚରା କରିବା ପରେ ସମଗ୍ର ଷଡଯନ୍ତ୍ରର ପର୍ଦ୍ଦାଫାସ୍ କରିବା ପାଇଁ ତଦନ୍ତ ଜାରି ରଖିଛି।
ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ ସ୍ବତଃ ସଂଜ୍ଞାନ ନେଇଛନ୍ତି। ବିଚାରପତିଙ୍କ ସୁରକ୍ଷା ପାଇଁ ନିଆଯାଇଥିବା ପଦକ୍ଷେପ ଉପରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିନଥିବାରୁ ରାଜ୍ୟମାନଙ୍କୁ ମଧ୍ୟ ସୁପ୍ରିମକୋର୍ଟ ଚେତାବନୀ ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ବିଚାରପତିଙ୍କ ସୁରକ୍ଷାକୁ ନେଇ ରାଜ୍ୟ ସରକାର ମାନେ ଏକ ଗୋଲାପି ଚିତ୍ର ଦେଖାଉଛନ୍ତି କିନ୍ତୁ ବାସ୍ତବିକତା ହେଉଛି ବିଚାରପତି ମାନଙ୍କ ଉପରେ ଲଗାତାର ହମଲା ହେଉଛି। ସିସିଟିଭି ପାଇଁ ଅର୍ଥ ଅଭାବ ଥିବା ଆଳ ଦେଖାଇ ରାଜ୍ୟମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ରାଜ୍ୟ ସରକାର ମାନେ କେବଳ ଅପରାଧରେ ରେକର୍ଡ ପରେ ରେକର୍ଡ କରୁଛନ୍ତି ।
ରାଜ୍ୟ ସରକାର ମାନେ ଅପରାଧୀଙ୍କ ଆକ୍ରମଣ କିମ୍ବା ଧମକକୁ ରୋକିବାରେ ବିଫଳ ହୋଇଛନ୍ତି। କୋର୍ଟ ରାଜ୍ୟମାନଙ୍କୁ ଏକ ସପ୍ତାହ ସମୟ ଦେଇଛନ୍ତି ଏବଂ ସମୟସୀମା ମଧ୍ୟରେ ଷ୍ଟାଟସ୍ ରିପୋର୍ଟ ଦାଖଲ ନକଲେ ଏକ ଲକ୍ଷ ଟଙ୍କା ଜୋରିମାନା ଦେବାକୁ ଚେତାବନୀ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଯଦି ରିପୋର୍ଟ ଦାଖଲ କରା ନ ଯାଏ ତେବେ ସେହି ରାଜ୍ୟର ମୁଖ୍ୟ ଶାସନ ସଚିବ କୋର୍ଟରେ ହାଜରହେବେ।
ସୂଚନାଯୋଗ୍ୟ ଯେ ଜୁଲାଇ 28 ରେ ସକାଳୁ ସକାଳୁ ମର୍ଣ୍ଣିଂ ୱାର୍କରେ ବାହାରକୁ ଯିବାବେଳେ ଧନବାଦ୍ ଜିଲ୍ଲା ଜଜ୍ ଉତ୍ତମ ଆନନ୍ଦଙ୍କୁ ଏକ ଅଟୋ ଧକ୍କା ଦେଇଥିଲା। ପ୍ରଥମେ ଏହାକୁ ହିଟ୍ ଏବଂ ରନ୍ ମାମଲା ବୋଲି କୁହାଯାଉଥିଲା , କିନ୍ତୁ ଯେତେବେଳେ ସିସିଟିଭି ଫୁଟେଜ୍ ସ୍କାନ୍ କରାଯାଇଥିଲା, ଘଟଣା ପୁରା ଓଲଟା ଥିଲା । ସିସିଟିଭି ଫୁଟେଜରୁ ଜଣାପଡିଥିଲା ଯେ ଅଟୋ ଡ୍ରାଇଭର ଜାଣିଶୁଣି ବିଚାରପତିଙ୍କୁ ମାରିବା ପାଇଁ ଯୋଜନାବଦ୍ଧ ଭାବେ ଧକ୍କା ଦେଇଥିଲେ। ଧନବାଦରେ ମାଫିଆଙ୍କ ହତ୍ୟା ସହ ଜଡିତ ଅନେକ ମାମଲା ବିଚାରପତି ଉତ୍ତମ ଆନନ୍ଦ ଶୁଣାଣି କରୁଥିଲେ । ନିକଟରେ ସେ ଦୁଇ ଗ୍ୟାଙ୍ଗଷ୍ଟରଙ୍କ ଜାମିନ ଆବେଦନକୁ ମଧ୍ୟ ଖାରଜ କରିଥିଲେ। ସେ ଜଣେ ବିଧାୟକଙ୍କ ଘନିଷ୍ଠ ବନ୍ଧୁଙ୍କ ହତ୍ୟା ମାମଲାର ମଧ୍ୟ ଶୁଣାଣି କରୁଥିଲେ।