୪୦ ବର୍ଷରୁ କମ୍ ବୟସର ବ୍ୟକ୍ତିଙ୍କୁ ଡିଏଲ୍ ଆବେଦନ ସମୟରେ ଦେବାକୁ ପଡ଼ିବ ନାହିଁ ମେଡ଼ିକାଲ ସାର୍ଟିଫିକେଟ୍‌ : କେନ୍ଦ୍ର ପରିବହନ ବିଭାଗ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : କେନ୍ଦ୍ର ସଡ଼କ ପରିବହନ ବିଭାଗ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ର ସରକାରଙ୍କ ନୂତନ ନିୟମ ଅନୁଯାୟୀ ଏଣିକି ୪୦ ବର୍ଷରୁ କମ୍‌ ବୟସ୍କ ବ୍ୟକ୍ତିଙ୍କ ପାଇଁ ମେଡ଼ିକାଲ ସାର୍ଟିଫିକେଟ୍‌ ଦେବାର ଆବଶ୍ୟକତା ନାହିଁ। ମିଳିଥିବା ସୂଚନା ମୁତାବକ ବିନା ମେଡ଼ିକାଲ ସାର୍ଟିଫିକେଟ୍ ରେ ସେମାନେ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିପାରିବେ । କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ ପରିବହନ ବିଭାଗ ସାରଥୀ ପରିବହନ ସଫ୍ଟୱେରାରେ ବଡ଼ ପରିବର୍ତ୍ତିନ କରିଛି। ଉତ୍ତର-ପ୍ରଦେଶ, ବିହାର, ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତରାଖଣ୍ଡ ଏବଂ ଝାଡ଼ଖଣ୍ଡରେ ଏହି ନିୟମ କାର୍ଯ୍ୟକାରୀ ହୋଇଥିବା ନେଇ ସୂଚନା ମିଳିଛି।

ଏହି ନିୟମ କେବଳ ୪୦ ବର୍ଷରୁ କମ୍‌ ବ୍ୟକ୍ତିଙ୍କ ପାଇଁ ଲାଗୁ ହେବାକୁ ଯାଉଛି। ମେଡ଼ିକାଲ ସାର୍ଟିଫିକେଟ୍‌ ବଦଳରେ କେବଳ ଡିକ୍ଲାରେସନ୍‌ ସାର୍ଟିଫିକେଟ୍ ଦେବାକୁ ପଡ଼ିବ । ଆବେଦନକାରୀ ଯେକୌଣସି ଗାଡ଼ି ଚଳାଇବାକୁ ଯୋଗ୍ୟ ବୋଲି ପ୍ରମାଣପତ୍ର ଦେବାକୁ ପଡ଼ିବ ବୋଲି କେନ୍ଦ୍ର ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କିନ୍ତୁ ୪୦ ବର୍ଷୀୟ ବ୍ୟକ୍ତିଙ୍କ କ୍ଷେତ୍ରରେ ସେମାନେ ପୂର୍ବରୁ ଯେମିତି DL ଆବେଦନ ସମୟରେ ମେଡ଼ିକାଲ ସାର୍ଟିଫିକେଟ୍‌ ଦେଉଥିଲେ ସେମିତି ହିଁ ଦେବେ।

ତେବେ ଅନଲାଇନରେ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିବା ସମୟରେ ଆବେଦନକାରୀଙ୍କୁ ଜନ୍ମ ପ୍ରମାଣପତ୍ର, ସ୍ଥାନୀୟ ପ୍ରମାଣ ପତ୍ର, ଆଧାର କାର୍ଡ ସହ ମେଡ଼ିକାଲ ପ୍ରମାଣପତ୍ର ଅପଲୋଡ୍ କରିବାକୁ ପଡିବ। ଅନଲାଇନ୍ ବ୍ୟବସ୍ଥାରେ ବିଭାଗ ସାରଥୀ ସଫ୍ଟୱେୟାରରେ କିଛି ପରିବର୍ତ୍ତନ କରାଯାଇଛି। ଫଳରେ ବର୍ତ୍ତମାନ ଲାଇସେନ୍ସ ପାଇବା ପାଇଁ ଡାକ୍ତରୀ ପ୍ରମାଣପତ୍ର ଅପଲୋଡ୍ କରିବାର କୌଣସି ଆବଶ୍ୟକତା ନାହିଁ। ସୂଚନାଯୋଗ୍ୟ ଯେ ଏହି ସୁବିଧା କେବଳ ୪୦ ବର୍ଷରୁ କମ୍ ବୟସର ଲୋକଙ୍କ ପାଇଁ ରହିଛି।

ଦେଶର ପ୍ରାୟ ପ୍ରତ୍ୟେକ ଆରଟିଓର କାର୍ଯ୍ୟ ବର୍ତ୍ତମାନ ଅନଲାଇନ ବ୍ୟବସ୍ଥା କରାଯାଇଛି। ଡ୍ରାଇଭିଂ ଲାଇସେନ୍ସ ଏବଂ ଅନଲାଇନରେ ଏହା ସହ ଜଡିତ ସମସ୍ତ ସେବା ଅନଲାଇନ୍‌ରେ କରିବାକୁ ସରକାର ପ୍ରୟାସ କରୁଛନ୍ତି। ପରିବହନ କର୍ତ୍ତୃପକ୍ଷଙ୍କ ଅଧିକାଂଶ ସେବା ଯେପରିକି ଲାଇସେନ୍ସ ନବୀକରଣ, ଡ୍ୟୁପ୍ଲିକେଟ୍‌ ଲାଇସେନ୍ସ, ଠିକଣା ପରିବର୍ତ୍ତନ ଏବଂ ଆରସି ତିଆରି କରିବାକୁ ଲୋକଙ୍କୁ ବର୍ତ୍ତମାନ ଆରଟିଓ ଅଫିସ୍‌ ନଯାଇ ଅନଲାଇନରେ କରି ଦେଉଛନ୍ତି।

Related Posts