(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : କଂଗ୍ରେସର ଜଣେ ଯୁବ ନେତ୍ରୀ ତଥା ଜାତୀୟ ମହିଳା କଂଗ୍ରେସର ସଭାନେତ୍ରୀ ସୁସ୍ମିତା ଦେବ ଦଳରୁ ଇସ୍ତଫା ଦେଇଛନ୍ତି। ସୁସ୍ମିତା ଦେବ ଦଳ ଛାଡିବାକୁ ନେଇ ଦଳର ବରିଷ୍ଠ ନେତା କପିଲ ସିବଲ ଶୀର୍ଷ ନେତୃତ୍ୱଙ୍କୁ ଟାର୍ଗେଟ କରିଛନ୍ତି । ସୁସ୍ମିତା ଦେବଙ୍କ ଇସ୍ତଫା ଖବର ଆସିବାର କିଛି ସମୟ ପରେ କପିଲ ସିବଲ ଟ୍ୱିଟ୍ କରି କଂଗ୍ରେସ ନେତୃତ୍ୱଙ୍କୁ ପ୍ରଶ୍ନ କରିଛନ୍ତି।
ସେ ଟ୍ବିଟ୍ କରି ଲେଖିଛନ୍ତି ଯେ , ସୁସ୍ମିତା ଦେବ ଆମ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେତେବେଳେ ଯୁବ ନେତାମାନେ ଦଳ ଛାଡୁଥିବାବେଳେ ଦଳକୁ ମଜବୁତ କରିବାକୁ ଚେଷ୍ଟା କରୁଥିବା ବରିଷ୍ଠ (oldies) ନେତାଙ୍କ ଉପରେ ଆରୋପ ଲଗାଯାଉଛି। ଦଳ ଏବେ ଆଖି ବନ୍ଦ କରି ଅନ୍ଧ ଭାବରେ ଆଗକୁ ବଢୁଛି।
ସୂଚନାଯୋଗ୍ୟ ଯେ କପିଲ ସିବଲ ଦଳ ଭିତରେ ଥାଇ ପାର୍ଟି ଭିତରେ ସଂସ୍କାର ଆଣିବା ପାଇଁ ଲଗାତାର ସ୍ୱର ଉତ୍ତୋଳନ କରୁଛନ୍ତି। ସେ ଜି -23 ନେତାଙ୍କ ମଧ୍ୟରୁ ଅନ୍ୟତମ। ଜି -23 ନେତା ମାନେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ଦଳ ଭିତରେ ପରିବର୍ତ୍ତନ ଆବଶ୍ୟକ ଅଛି ବୋଲି ଦାବି କରିଥିଲେ, ଯାହା ପରେ ଏହି ଚିଠିକୁ ନେଇ ଅନେକ ବିବାଦ ସୃଷ୍ଟି ହୋଇଥିଲା।
ସୂଚନାଯୋଗ୍ୟ ଯେ , ନିକଟରେ ଶେଷ ହୋଇଥିବା ଆସାମ ବିଧାନସଭା ନିର୍ବାଚନରେ ଦଳର ପରାଜୟ ପରେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ସାଂସଦ ସୁସ୍ମିତା ଦେବ । ସେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ତାଙ୍କ ଇସ୍ତଫା ପତ୍ର ପଠାଇଦେଇଛନ୍ତି। ସୁସ୍ମିତା ଦେବ ଅଲ ଇଣ୍ଡିଆ ମହିଳା କଂଗ୍ରେସ ସଭାପତି ଥିଲେ। ରିପୋର୍ଟ ଅନୁଯାୟୀ, ସେ ପାର୍ଟି ସହ ଜଡିତ ହ୍ବାଟସ୍ ଆପ୍ ଗ୍ରୁପ୍ ମଧ୍ୟ ଛାଡିଦେଇଛନ୍ତି।
ଉଲ୍ଲେଖଯୋଗ୍ୟ ଯେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଅଗଷ୍ଟ ୨୦ରେ ବିରୋଧୀ ଦଳର ନେତାଙ୍କ ସହ ବୈଠକ କରିବାକୁ ଯାଉଛନ୍ତି। ସୋନିଆ ଗାନ୍ଧୀଙ୍କ ଏହି ବିରୋଧୀ ଏକଜୁଟତା ପଦକ୍ଷେପକୁ ବରିଷ୍ଠ ନେତା କପିଲ ସିବଲ ସ୍ୱାଗତ କରିଥିଲେ। ଏବଂ ଦଳକୁ ମଜବୁତ କରିବାକୁ ଅନୁରୋଧ କରିଥିଲେ। କଂଗ୍ରେସ ବିନା କୌଣସି ବିରୋଧୀ ଏକତା ସମ୍ଭବ ନୁହେଁ ବୋଲି ସିବଲ କହିଥିଲେ।
ଆସନ୍ତା ଅଗଷ୍ଟ ୨୦ ରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ବିରୋଧୀଦଳର ନେତାଙ୍କ ସହ ଭିଡିଓ କନଫରେନ୍ସ ମାଧ୍ୟମରେ ବୈଠକ କରିବାକୁ ଯାଉଛନ୍ତି। ଏହି ବୈଠକରେ ପଶ୍ଚିମବଙ୍ଗର ସିଏମ ମମତା ବାନାର୍ଜୀ, ମହାରାଷ୍ଟ୍ରର ଉଦ୍ଧବ ଠାକରେ ଏବଂ ତାମିଲନାଡୁର ଏମ.କେ ଷ୍ଟାଲିନଙ୍କ ସମେତ ଅଣ-ବିଜେପି ଶାସିତ ରାଜ୍ୟର ବହୁ ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ବିରୋଧୀଦଳର ନେତାମାନେ ଯୋଗଦେବେ ବୋଲି ଆଶା କରାଯାଉଛି।