ଦେଶରେ ପ୍ରାୟ ୧୫କୋଟି ଶିଶୁ ଓ ଯୁବକ ଆନୁଷ୍ଠାନିକ ଶିକ୍ଷା ବ୍ୟବସ୍ଥାରୁ ବଞ୍ଚିତ : କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଦେଶର ପ୍ରାୟ ୧୫  କୋଟି ପିଲା ଏବଂ ଯୁବକ ଆନୁଷ୍ଠାନିକ ଶିକ୍ଷା ବ୍ୟବସ୍ଥା ବାହାରେ ଅଛନ୍ତି ଏବଂ ପାଖାପାଖି ୨୫ କୋଟି ଜନସଂଖ୍ୟା ସାକ୍ଷରତାର ମୂଳ ପରିଭାଷାରୁ ବି ନିମ୍ନରେ।  । ଏ ସମ୍ପର୍କରେ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କନଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରି (CII) ଦ୍ୱାରା ଆୟୋଜିତ “ଚାକିରି ସୃଷ୍ଟି ଏବଂ ଉଦ୍ୟୋଗୀତା (Job creation and entrepreneurship)” ଉପରେ ସେ ଆଲୋଚନା ସମୟରେ ସେ ଏହି ସୂଚନା ଦେଇଛନ୍ତି। 

ଏହି ଅବସରରେ ସେ କହିଛନ୍ତି “ଯଦି ଆମେ ୩ ରୁ ୨୨ ବର୍ଷ ବୟସ ମଧ୍ୟରେ ଥିବା ଶିଶୁ ଏବଂ ଯୁବକମାନଙ୍କ ସଂଖ୍ୟାକୁ ବିଚାରକୁ ନେବା ଯେଉଁମାନେ ସରକାରୀ, ବେସରକାରୀ ତଥା ଚାରିଟେବୁଲ ସ୍କୁଲ୍ , ଅଙ୍ଗନୱାଡି, ଉଚ୍ଚଶିକ୍ଷା ପ୍ରତିଷ୍ଠାନ ଏବଂ ସ୍କିଲିଂ ଇକୋସିଷ୍ଟମରେ ନାମ ଶିକ୍ଷାବ୍ୟବସ୍ଥାରେ ୩୫ କୋଟି ପିଲା ନାମ ଲେଖାଉଥିବା ବେଳେ ଦେଶରେ ଏହି ଆୟୁବର୍ଗର ୫୦ କୋଟି ପିଲା ଅଛନ୍ତି। 

ଏଥିରୁ ଦେଶର ୧୫ କୋଟି ପିଲା ଓ ଯୁବକ ଆନୁଷ୍ଠାନିକ ଶିକ୍ଷାରୁ ବଞ୍ଚିତ ଥିବା ଜଣାପଡୁଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ସ୍ୱାଧୀନତା ପରେ ହୋଇଥିବା ଜନଗଣନାରୁ ଜଣାପଡ଼େ ଯେ ଦେଶର ଏପର୍ଯ୍ୟନ୍ତ ମାତ୍ର ୧୯ ପ୍ରତିଶତ ଜନସଂଖ୍ୟା ଶିକ୍ଷିତ। ତେବେ ସ୍ୱାଧୀନତାର ୭୫ବର୍ଷ ତଥ୍ୟ ଅନୁସାରେ ଦେଶର ସାକ୍ଷରତା ହାର ୮୦ ପ୍ରତିଶତକୁ ପହଞ୍ଚି ଯାଇଛି। ଯାହାର ଅର୍ଥ ହେଉଛି ୨୦ ପ୍ରତିଶତ ଜନସଂଖ୍ୟା ଅର୍ଥାତ ୨୫ କୋଟି ଜନସଂଖ୍ୟା ଏପର୍ଯ୍ୟନ୍ତ ସାକ୍ଷରତାର ମୂଳ ପରିଭାଷାରୁ ବି ତଳେ ଅଛନ୍ତି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ନୂତନ ଜାତୀୟ ଶିକ୍ଷା ନୀତି (NEP) ର ବିଭିନ୍ନ ବ୍ୟବସ୍ଥା ଉପରେ ବର୍ଣ୍ଣନା କରି ପ୍ରଧାନ କହିଛନ୍ତି ଯେ ଏହା କେବଳ ଏକ ଦଲିଲ ନୁହେଁ, ବରଂ ଆମେ ସ୍ୱାଧୀନତାର ୧୦୦ ବର୍ଷ ପୂରଣ କରିବା ସମୟ ବେଳକୁ ଅର୍ଥାତ୍ ଆଗାମୀ ୨୫ ବର୍ଷରେ ଲକ୍ଷ ହାସଲ ଲାଗି ଏକ ସମ୍ପୂର୍ଣ୍ଣ ରୋଡ ମ୍ୟାପ। ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ସରକାର ପ୍ରଥମ ଥର ପାଇଁ ଶିକ୍ଷା ଏବଂ ଦକ୍ଷତା ବିଭାଗକୁ ଏକତ୍ର କରିଛନ୍ତି। ଯାହା ଶିକ୍ଷା ପରବର୍ତ୍ତି ରୋଜଗାର ଲାଗି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ସେ କହିଛନ୍ତି।  

Related Posts