ଜନ୍ତର ମନ୍ତରରେ ସାମ୍ପ୍ରଦାୟିକ ନାରା, ଗିରଫ ହେବାର ଦିନକ ପରେ ଉପାଧ୍ୟାୟଙ୍କୁ ମିଳିଲା ଜାମିନ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଦିଲ୍ଲୀର ଜନ୍ତର ମନ୍ତ୍ରରେ ମୁସଲମାନ ସମ୍ପ୍ରଦାୟ ବିରୋଧରେ ଉତ୍ତେଜନାମୂଳକ ସ୍ଲୋଗାନ ଦେଇ ଗିରଫ ହୋଇଥିବା ବିଜେପି ନେତା ଅଶ୍ୱିନୀ ଉପାଧ୍ୟାୟଙ୍କୁ କୋର୍ଟରୁ ମିଳିଲା ଜାମିନ । ଏହି ମାମଲାରେ ଅଶ୍ୱିନୀ ଉପାଧ୍ୟାୟଙ୍କ ସମେତ ମୋଟ ୬ଜଣଙ୍କୁ ପୋଲିସ ଗିରଫ କରିଥିଲା। ଯାହା ପରେ କୋର୍ଟ ଏହି ଚାରି ଜଣଙ୍କୁ ଅଗଷ୍ଟ ୧୦ ମଙ୍ଗଳବାର ଦିନ ପର୍ଯ୍ୟନ୍ତ ୨ ଦିନିଆ ନ୍ୟାୟିକ ହେପାଜତକୁ ପଠାଇଥିଲେ। ଅଶ୍ୱିନୀ ଉପାଧ୍ୟାୟ ମଧ୍ୟ ସେମାନଙ୍କ ମଧ୍ୟରେ ଥିଲେ। ଏଥିସହ ଦୁଇ ଜଣଙ୍କୁ ୧ ଦିନ ପାଇଁ ପୋଲିସ ହେପାଜତକୁ ପଠାଯାଇଥିଲା। ଗିରଫ ପରେ ଦିଲ୍ଲୀ ପୋଲିସ ଅଶ୍ୱିନୀ ଉପାଧ୍ୟାୟ ଏବଂ ଅନ୍ୟମାନଙ୍କ ପାଇଁ ୧୪ ଦିନ ନ୍ୟାୟିକ ହେପାଜତ ଦାବି କରିଥିଲା । ମାତ୍ର କୋର୍ଟ ତାଙ୍କୁ ମାତ୍ର ଦୁଇ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଥିଲେ। ବର୍ତ୍ତମାନ ଅଶ୍ୱିନୀ ଉପାଧ୍ୟାୟ ନ୍ୟାୟିକ ହେପାଜତ ସମାପ୍ତ ହେବା ପୂର୍ବରୁ ମଧ୍ୟ ଜାମିନ ପାଇଛନ୍ତି। ସେ କହିଛନ୍ତି ଯେ ସେ ଏହି ଘଟଣା ବିଷୟରେ ଅବଗତ ନଥିଲେ ଏବଂ ତାଙ୍କ ଯିବା ପରେ ହିଁ ଏପରି ସ୍ଲୋଗାନ ଦିଆଯାଇଥିଲା। ତେବେ ଏହି ଘଟଣାରେ ସମ୍ପୃକ୍ତ ଥିବାରୁ ପୋଲିସ ତାଙ୍କୁ ଗିରଫ କରିଥିଲା।

ସୂଚନାଯୋଗ୍ୟ ଯେ, ଗତ ରବିବାର ଦିନ ଦିଲ୍ଲୀର ଯନ୍ତରମନ୍ତର ଠାରେ ଭାରତ ଯୋଡ ଆନ୍ଦୋଳନ ଦ୍ୱାରା ଆୟୋଜିତ ସଭାରେ କୋଭିଡ୍ କଟକଣା ଭାଙ୍ଗି ହଜାର ହଜାର ଲୋକ ସାମିଲ ହୋଇଥିଲେ। ଏହି ସଭାକୁ ଦିଲ୍ଲୀ ବିଜେପିର ପୂର୍ବତନ ମୁଖପାତ୍ର ଅଶ୍ୱିନୀ ଉପାଧ୍ୟାୟ ନେତୃତ୍ୱ ନେଇଥିଲେ। ପୁଲିସର ବିନା ଅନୁମତିରେ ଏହି ସଭା କରାଯାଇ ସାଂପ୍ରଦାୟିକ ନାରା ଦିଆଯାଇଥିଲା। ଉକ୍ତ ଶୋଭାଯାତ୍ରାରେ ସାଂପ୍ରଦାୟିକ ନାରା ଦିଆଯାଉଥିବା ବେଳର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ମୁସଲିମ ସଂପ୍ରଦାୟ ବିରୋଧରେ ଏଥିରେ ନାରା ଦିଆଯାଇଥିଲା। ସେପଟେ ଭାଇରାଲ ଭିଡିଓ ସମ୍ପର୍କରେ ତାଙ୍କର କୌଣସି ସମ୍ପୃକ୍ତି ନାହିଁ।

Related Posts