କୋଭିଡ୍ ଟିକା ପ୍ରମାଣପତ୍ରରେ କାହିଁକି ରହୁଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋ ? ରାଜ୍ୟସଭାରେ ଉତ୍ତର ରଖିଲେ ମନ୍ତ୍ରୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : କିଛି ଦିନ ପୂର୍ବରୁ କୋଭିଡ୍ ଟୀକା ପ୍ରମାଣପତ୍ର (certificate) ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ କୁ ନେଇ ବିବାଦ ଜୋର୍ ଧରିଥିଲା। ତେବେ ପ୍ରଶ୍ନ ଉଠୁଛି ଯେ ଟୀକା ସାର୍ଟିଫିକେଟ୍ ରେ କାହିଁକି ରହୁଛି ମୋଦୀଙ୍କ ଫଟୋ। ସଂସଦରେ ଏହାର ଉତ୍ତର ଦେଇଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ସରକାର ମଙ୍ଗଳବାର ସଂସଦରେ କହିଛନ୍ତି ଯେ,” କୋଭିଡ -୧୯ ଟିକା ନେବା ପରେ ଦିଆଯାଉଥିବା ସାର୍ଟିଫିକେଟ୍ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାର୍ତ୍ତା ଥିବା ଫଟୋ ଜନସାଧାରଣଙ୍କ ଭିତରେ ଟିକା ନେବା ପରେ ମଧ୍ୟ ସଚେତନତା ସୃଷ୍ଟି କରୁଛି। ”  

ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଭାରତୀ ପାୱାର କହିଛନ୍ତି ଯେ କୋଭିଡ -୧୯ ଟୀକାକରଣ ପ୍ରମାଣପତ୍ରର ଫର୍ମାଟ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଦ୍ବାରା ଜାରି ନିର୍ଦ୍ଦେଶାବଳୀ ଆଧାରରେ ଏହାକୁ ପ୍ରସ୍ତୁତ କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। କଂଗ୍ରେସ ସାସଂଦ କୁମାର କେତକର ପ୍ରଶ୍ନ କରିଥିଲେ ଯେ କୋଭିଡ୍ ଟିକା ପ୍ରମାଣପତ୍ରରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ରହିବା ଆବଶ୍ୟକ ନା ବାଧ୍ୟତାମୂଳକ। 

ଏହାର ଉତ୍ତରରେ ପାୱାର କହିଛନ୍ତି ଯେ ମହାମାରୀ ରୂପ ପରିବର୍ତ୍ତନ କରୁଥିବା କାରଣରୁ କୋଭିଡ୍ ଗାଇଡଲାଇନ ପାଳନ କରିବା ହେଉଛି ଏହି ଜୀବାଣୁ ବିସ୍ତାରକୁ ରୋକିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଉଭା ହୋଇଛି।  ସେ କହିଛନ୍ତି, ଟୀକା ପ୍ରମାଣପତ୍ରରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ଥିବା ଫଟୋରେ ଜନସାଧାରଣଙ୍କ ସ୍ୱାର୍ଥରେ ଟୀକାକରଣ ପରେ ମଧ୍ୟ ସଚେତନତା ସୃଷ୍ଟି କରିବାର ବାର୍ତ୍ତା ଉପରେ ଗୁରୁତ୍ୱ ଦିଆଯାଇଛି।

 ପୱାର କହିଛନ୍ତି ଯେ ଲୋକଙ୍କ ନିକଟରେ ଏଭଳି ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତାକୁ ଅଧିକ ପ୍ରଭାବଶାଳୀ ଢଙ୍ଗରେ ପହଞ୍ଚାଇବା ସରକାରଙ୍କର ନୈତିକ ଏବଂ ନୀତିଗତ ଦାୟିତ୍ବ ଅଟେ।  ସେ କହିଛନ୍ତି, ‘ଟୀକାକରଣ ପ୍ରମାଣପତ୍ର ଉପରେ WHO ମାନଦଣ୍ଡ ଅନୁଯାୟୀ ଟୀକାକରଣ ପ୍ରମାଣପତ୍ର ପ୍ରସ୍ତୁତ କରିବାର ନିଷ୍ପତ୍ତି, ଟୀକାକରଣ ପରେ ମଧ୍ୟ କୋଭିଡ ବିସ୍ତାର ରୋକିବା ଉପରେ ବାର୍ତ୍ତା ଦିଆଯାଇଛି । ତେଣୁ ସରକାର ଏ ସବୁ ତଥ୍ୟକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।

 କୌଣସି ରାଜ୍ୟର ସରକାର ପ୍ରଧାନମନ୍ତ୍ରୀଙ୍କ ଫଟୋ ଟୀକା ପ୍ରମାଣପତ୍ର ବ୍ୟବହାର କରିନାହାଁନ୍ତି କି ବୋଲି କଂଗ୍ରେସ ସାଂସଦ ପ୍ରଶ୍ନ କରିଥିଲେ। ତେବେ ପାୱାର ଏହାର ଉତ୍ତରରେ କହିଛନ୍ତି ଯେ ସମସ୍ତ ରାଜ୍ୟ କୋଭିଡ୍ ଟୀକାକରଣ ପାଇଁ କୋୱିନ ଆପ୍ ଏବଂ ୱେବସାଇଟ୍ ବ୍ୟବହାର କରୁଛନ୍ତି। କଂଗ୍ରେସ ସାସଂଦ ଆଉ ଏକ ପ୍ରଶ୍ନ ପଚାରିଥିଲେ ଯେ, ଏହା ପୂର୍ବରୁ ପୋଲିଓ ଏବଂ ଅନ୍ୟ ଟୀକାକରଣ ସମୟରେ ଫଟୋ ରଖିବା ବାଧ୍ୟତାମୂଳକ ନା ଆବଶ୍ୟକ ଥିଲା। ତେବେ ମନ୍ତ୍ରୀ ଏହି ପ୍ରଶ୍ନର ଉତ୍ତର ଦେଇନଥିଲେ। 

Related Posts