(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଜମ୍ମୁ ଓ କଶ୍ମୀରକୁ ବର୍ଷ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ରାଜ୍ୟର ମାନ୍ୟତା ଦେବା ପାଇଁ ଦାବି ଉଠାଇଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଯଶବନ୍ତ ସିହ୍ନା। ସିହ୍ନାଙ୍କ ରାଷ୍ଟ୍ର ମଞ୍ଚ ଦାବି କରିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସ୍ୱାଧୀନତା ଦିବସରେ ଭାଷଣରେ ଘୋଷଣା କରନ୍ତୁ ଯେ ଚଳିତ ବର୍ଷ ଶେଷ ସୁଦ୍ଧା ଜାମ୍ମୁ କାଶ୍ମୀରକୁ ସମ୍ପୂର୍ଣ୍ଣ ରାଜ୍ୟର ମାନ୍ୟତା ପ୍ରଦାନ କରାଯିବ। ଏକ ବିବୃତ୍ତି ଜାରି କରି ରାଷ୍ଟ୍ର ମଞ୍ଚ ପକ୍ଷରୁ କୁହାଯାଇଛି ଯେ ,” ୫ ଅଗଷ୍ଟ ୨୦୧୯ ରେ କେନ୍ଦ୍ର ସରକାରଙ୍କ “ସନ୍ଦେହଜନକ କାର୍ଯ୍ୟ” ପରେ ଯେତେବେଳେ ଜାମ୍ମୁ କାଶ୍ମୀରକୁ ସ୍ବତନ୍ତ୍ର ମାନ୍ଯତା ଦେଉଥିବା ଧାରା ୩୭୦ ର ରଦ୍ଦ କରିଦେଇଥିଲା, ସେତେବେଳେ ମଞ୍ଚ ଏ ବାବଦରେ ଚିନ୍ତିତ ଥିଲା।
ସୂଚନା ଥାଉକି ୫ ଅଗଷ୍ଟ ୨୦୧୯ ରେ କେନ୍ଦ୍ର ସରକାର ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ହଟାଇ ଜାମ୍ମୁ କାଶ୍ମୀର ଏବଂ ଲଦାଖ ଦୁଇଟି କେନ୍ଦ୍ର ଶାସିତ ପ୍ରଦେଶରେ ବିଭକ୍ତ କରି ଦେଇଥିଲେ। ରାଷ୍ଟ୍ରିୟ ମଞ୍ଚ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଯେ ସରକାର ଅଗଣତାନ୍ତ୍ରିକ ପଦ୍ଧତିରେ ଧାରା ୩୭୦ ହଟାଇ ଜାମ୍ମୁ କାଶ୍ମୀରବାସୀଙ୍କ ମନରେ ଗଭୀର ଆଘାତ, ଅପମାନ ଏବଂ ବିଶ୍ୱାସଘାତକତା କରିଛି। ମଞ୍ଚ କହିଛି ଯେ ମୋଦୀ ସରକାର ଜନତାଙ୍କ ସହ କୌଣସି ବିଚାର ବିମର୍ଶ ନକରି ଏହି ନିଷ୍ପତ୍ତି ନେଇଛନ୍ତି। ରାଷ୍ଟ୍ରୀୟ ମଞ୍ଚ ପକ୍ଷରୁ କୁହାଯାଇଛି ଯେ , “କାଶ୍ମୀରର ରାଜନୈତିକ ଦଳର ନେତାମାନଙ୍କୁ ଜନସାଧାରଣଙ୍କ ସୁରକ୍ଷା ପ୍ରତି ବିପଦ ଥିବା ଦର୍ଶାଇ ଦୀର୍ଘ ସମୟ ଧରି ବନ୍ଦୀ କରି ରଖାଯାଇଥିଲା। ଆଜି ମଧ୍ୟ ସାଧାରଣ ଜନତା ଏବଂ ସେମାନଙ୍କ ଜନପ୍ରତିନିଧୀମାନେ ସଭା ସମିତି ଆୟୋଜନ କରିବା କିମ୍ବା ନିଜର ମତ ପ୍ରକାଶ କରିବାରେ ସକ୍ଷମ ନୁହଁନ୍ତି। ଜମ୍ମୁ ଓ କଶ୍ମୀରର ଜନତା ସେମାନଙ୍କ ଅଧିକାରର ବ୍ୟବହାର କରିବାରେ ଏବେ ବି ଅସମର୍ଥ। ଏକ ମୁକ୍ତ ତଥା ଗଣତାନ୍ତ୍ରିକ ରାଷ୍ଟ୍ରରେ ଏଭଳି ପଦକ୍ଷେପ ଗ୍ରହଣୀୟ ନୁହେଁ ବୋଲି ରାଷ୍ଟ୍ରମଞ୍ଚ କହିଛି।
ମଞ୍ଚ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ ଧାରା ୩୭୦ ହଟାଇବା ପରେ ଜମ୍ମୁ ଓ କଶ୍ମୀରରେ ନୂତନ ପୁଞ୍ଜି ବିନିଯୋଗ ଏବଂ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ସରକାର ଯେଉଁ ସବୁ ପ୍ରତିଶ୍ରୁତି ଦେଇଥିଲେ ତାହା ଏବେ ଅବାସ୍ତବ ପାଲଟିଛି। ମୋଦି ସରକାରଙ୍କ ନିଷ୍ପତ୍ତି ଜମ୍ମୁ-କଶ୍ମୀରର ଅର୍ଥନୀତିକୁ ହଜାର ହଜାର କୋଟି ଟଙ୍କାର କ୍ଷତି ପହଞ୍ଚାଇଛି , ଲକ୍ଷ ଲକ୍ଷ ଯୁବକ ଚାକିରୀ ହରାଇଛନ୍ତି । ରାଷ୍ଟ୍ରୀୟ ମଞ୍ଚ ଦାବି କରିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସ୍ବାଧୀନତା ଦିବସ ଅଭିଭାଷଣରେ ବର୍ଷ ଶେଷ ସୁଦ୍ଧା ଜାମ୍ମୁ କାଶ୍ମୀରରେ ପୂର୍ଣ୍ଣ ରାଜ୍ୟର ମାନ୍ୟତା ପ୍ରଦାନ କରିବାକୁ ଘୋଷଣା କରନ୍ତୁ। ପୂର୍ଣ୍ଣ ରାଜ୍ୟ ମାନ୍ୟତା ମିଳିବା ପରେ ଖୁବ୍ ଶୀଘ୍ର ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ଅନୁଷ୍ଠିତ ହେବା ଉଚିତ୍ ବୋଲି ମଞ୍ଚ ପକ୍ଷରୁ କୁହାଯାଇଛି ।