(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବା ଦିନଠାରୁ ପେଗାସସ୍ ତାତି ଜାରି ରହିଛି । ବିରୋଧୀଙ୍କ ହଙ୍ଗାମାରେ ସଂସଦ ବାରମ୍ବାର ଅଚଳ ହୋଇଯାଇଛି। ଏହି ପ୍ରସଙ୍ଗରେ ବିରୋଧୀ ଦଳମାନେ ଲଗାତାର ସରକାରଙ୍କୁ ପ୍ରଶ୍ନ ପଚାରିଥିଲେ ଯେ ସରକାର ଏହି ପେଗାସସ୍ ସ୍ପାଇୱୟାର ଇସ୍ରାଏଲ୍ କମ୍ପାନୀ NSO ଠାରୁ କିଣିଛନ୍ତି କି ନାହିଁ ଏହାର ସିଧାସଳଖ ଜବାବ ଦିଅନ୍ତୁ ? ତେବେ ଏ ସବୁ ବିବାଦ ମଧ୍ୟରେ ପ୍ରଥମ ଥର ପାଇଁ ସଂସଦରେ ଏ ସମ୍ପର୍କରେ ଉତ୍ତର ରଖିଛି ପ୍ରତିରକ୍ଷା ମନ୍ତ୍ରଣାଳୟ । ମନ୍ତ୍ରାଳୟ ସଂସଦକୁ ସୂଚନା ଦେଇଛି ଯେ NSO ଗ୍ରୁପ୍ ସହିତ ଭାରତ ସରକାରଙ୍କର କୌଣସି ପ୍ରକାରର କାରବାର ହୋଇନାହିଁ ।
ପ୍ରଥମ ଥର ପାଇଁ ଉତ୍ତର ରଖିଲେ ସରକାର
ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟସଭାରେ ପ୍ରଥମ ଥର ପାଇଁ ଏହାର ଜବାବ ଦିଆଯାଇଛି। ଏହି ଉତ୍ତର ଜରିଆରେ ମନ୍ତ୍ରଣାଳୟ ସ୍ପଷ୍ଟ କରିବାକୁ ଚେଷ୍ଟା କରିଛି ଯେ ଏହି ସ୍ପାଇୱୟାର ଭାରତୀୟ ସେନା ଦ୍ୱାରା ବ୍ୟବହୃତ ହୋଇନାହିଁ ଏବଂ ସେଥିପାଇଁ NSO ଗ୍ରୁପ୍ ସହିତ କୌଣସି କାରବାର ହୋଇନାହିଁ।
ସୂଚନାଯୋଗ୍ୟ ଯେ ଗତ କିଛି ଦିନ ହେବ ବିରୋଧୀ ଦଳ ସରକାରଙ୍କ ଠାରୁ ଏହି ପ୍ରଶ୍ନର ଉତ୍ତର ମାଗିଆସୁଥିଲେ। ବିରୋଧୀଙ୍କ ପ୍ରଶ୍ନ ଥିଲା ଯେ ପେଗାସସ୍ ସ୍ପାଏୱେୟାର ସରକାର ବ୍ୟବହାର କରିଛନ୍ତି କି ନାହିଁ ଏହାର ସିଧାସଳଖ ଉତ୍ତର ହଁ କିମ୍ବା ନାଁ ରେ ଦିଅନ୍ତୁ। ବର୍ତ୍ତମାନ ସରକାର ଏକ ଲିଖିତ ଉତ୍ତରରେ ଏହାର ଜବାବ ଦେଇଛନ୍ତି।
ପୁରା ମାମଲା କ’ଣ ?
ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବ ଦିନ ଆନ୍ତର୍ଜାତୀୟ ଗଣମାଧ୍ୟମ ସମୂହ ଦ୍ବାରା ” ପେଗାସସ୍ ପ୍ରୋଜେକ୍ଟ “ରିପୋର୍ଟ ପ୍ରକାଶ ପାଇଥିଲା । ଯେଉଁଥିରେ ଦାବି କରାଯାଇଥିଲା ଯେ ପେଗାସସ୍ ଦ୍ୱାରା ଦେଶର ୩୦୦ରୁ ଅଧିକ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଉପରେ ଜାସୁସି କରାଯାଇଥିଲା। ବିରୋଧୀ ଦଳର ନେତାଙ୍କ ଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ ଓ ୪୦ରୁ ଅଧିକ ସାମ୍ବାଦିକଙ୍କ ଫୋନ ନମ୍ବର ପେଗାସସ୍ର ଟାର୍ଗେଟ ଲିଷ୍ଟରେ ଥିବା ରିପୋର୍ଟରେ ଖୁଲାସା କରାଯାଇଥିଲା। ଏହା ପରେ ସମଗ୍ର ଦେଶରେ ଏହି ପ୍ରସଙ୍ଗରେ ଚର୍ଚ୍ଚା ଜୋର ଧରିଥିଲା। କଂଗ୍ରେସ ନେତା ରାହୁଲ ଗାନ୍ଧୀ, ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ସମେତ ଦେଶର ବହୁ ବଡ ବଡ ନେତା, ଖୋଦ୍ ମୋଦୀ ସରକାରଙ୍କ ମନ୍ତ୍ରୀଙ୍କ ସମେତ ବିଜନେସ୍ ମ୍ୟାନ୍, ସୁପ୍ରିମକୋର୍ଟର ପୂର୍ବତନ ଜଜ୍ ମଧ୍ୟ ଏହି ପେଗାସସ୍ ତାଲିକାରେ ଥିବା ନେଇ ରିପୋର୍ଟରେ ଦାବି କରାଯାଇଥିଲା ।
ଇସ୍ରାଏଲର ଏନଏସ୍ଓ ପ୍ରସ୍ତୁତ କରିଥିବା ପେଗାସସ୍ ସ୍ପାଇୱେୟାର ଉପରେ ବିଶ୍ୱର ୧୭ଟି ମିଡିଆ ହାଉସ ଅନୁସନ୍ଧାନ କରୁଥିଲେ। ଏହି ୧୭ ମିଡିଆ ହାଉସ ମଧ୍ୟରେ ଭାରତର ଦି ୱେୟାର ମଧ୍ୟ ରହିଥିଲା। ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ପେଗାସସର ହ୍ୟାକିଂ ଟାର୍ଗେଟରେ ଭାରତର ୩୦୦ରୁ ଅଧିକ ବିଶିଷ୍ଟ ବ୍ୟକ୍ତିଙ୍କ ନାଁ ରହିଛି।
ଅନ୍ୟପକ୍ଷରେ ଘଟଣାର ତଦନ୍ତ ଦାବି କରି ଏଡିଟର୍ସ ଗିଲ୍ଡ, ବରିଷ୍ଠ ସାମ୍ବାଦିକ ଏନ ରାମ, ଶଶି କୁମାର, ସିପିଏମ ସାଂସଦ ଜନ ବ୍ରିଟ୍ଟାସ , ଆଇନଜୀବୀ ଏମଏଲ ଶର୍ମା ଏବଂ ଟିଏମସି ନେତା ଯଶବନ୍ତ ସିହ୍ନା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେମାନେ ସରକାର ପେଗାସସର ଲାଇସେନ୍ସ ରଖିଛନ୍ତି କି ନାହିଁ, ତା’ର ତଥ୍ୟ ସାର୍ବଜନୀନ କରନ୍ତୁ ବୋଲି ଦାବି କରିଛନ୍ତି।
ପେଗାସସ୍ର ଟାର୍ଗେଟ ଲିଷ୍ଟରେ ଥିବା ୪ ଜଣ ସାମ୍ବାଦିକ ମଧ୍ୟ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଏହାର ବ୍ୟବହାରକୁ ବେଆଇନ ଓ ଅସାମ୍ବିଧାନିକ ଘୋଷଣା କରିବାକୁ ନିବେଦନ କରିଛନ୍ତି। ଏପଟେ ସୁପ୍ରିମକୋର୍ଟ ମଧ୍ୟ ପେଗାସସ୍ ରିପୋର୍ଟର ତଦନ୍ତ ପାଇଁ ହୋଇଥିବା ଆବେଦନ ଗୁଡ଼ିକର ଶୁଣାଣି ଆରମ୍ଭ କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଯଦି ନ୍ୟୁଜ ରିପୋର୍ଟରେ ବାହାରିଥିବା ଅଭିଯୋଗ ସତ, ତା’ହେଲେ ଏହା ସାଂଘାତିକ ବିଷୟ ।