ମୁମ୍ବାଇର ୩ଟି ପ୍ରମୁଖ ରେଳ ଷ୍ଟେସନ ଓ ଅମିତାଭ୍ ବଚନଙ୍କ ବଙ୍ଗଳାରେ ବମ୍ ରଖାଯାଇଥିବା ନେଇ ପୋଲିସ୍ କୁ ଆସିଲା ଫୋନ୍ କଲ୍, ବଢିଲା ସୁରକ୍ଷା ବ୍ୟବସ୍ଥା

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ମୁମ୍ବାଇର ତିନୋଟି ପ୍ରମୁଖ ରେଳ ଷ୍ଟେସନରେ ଏବଂ ବଲିଉଡ ଅଭିନେତା ଅମିତାଭ ବଚ୍ଚନଙ୍କ ବଙ୍ଗଳାରେ ବୋମା ବିସ୍ଫୋରଣ ହେବାକୁ ଯାଉଥିବା ଖବର ପାଇବା ପରେ ପୋଲିସ ଆଲର୍ଟ ହୋଇଯାଇଛି । ଯଦିଓ ପୋଲିସ ଏ ସମ୍ପର୍କରେ କୌଣସି ସନ୍ଦେହ ଜନକ ସୂଚନା ପାଇ ନାହିଁ, ତଥାପି ବି ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସୂଚନା ମୁତାବକ ମୁମ୍ବାଇର ତିନୋଟି ବଡ ରେଳ ଷ୍ଟେସନ ଏବଂ ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ବଙ୍ଗଳାକୁ ବମ୍‌ ପକେଇ ଉଡ଼ାଇଦେବା ନେଇ ପୋଲିସ୍ ଏକ ଧମକ ଭରା ଫୋନ୍ କଲ ପାଇଛି।

ତେଣୁ ପୋଲିସ ଏହିସବୁ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡାକଡି କରିଛି। ତେବେ ପୋଲିସକୁ ବର୍ତ୍ତମାନ ସୁଦ୍ଧା କୌଣସି ସନ୍ଧିଗ୍ଧ ସୂଚନା ମିଳି ନାହିଁ। ଏନେଇ ତଦନ୍ତ ଜାରି ରହିଛି। ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ ମୁମ୍ବାଇ ପୋଲିସର ମୁଖ୍ୟ ନିୟନ୍ତ୍ରଣ କକ୍ଷକୁ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଫୋନ୍ କଲ୍‌ ଆସିଥିଲା। ଜଣେ ବ୍ୟକ୍ତି କହିଥିଲେ ଯେ ଛତ୍ରପତି ଶିବାଜୀ ମହାରାଜ ଟର୍ମିନାସ (ସିଏସ୍‌ଏମ୍‌ଟି), ଭାୟଖଲା, ଦାଦର ରେଳ ଷ୍ଟେସନ ଓ ଜୁହୁସ୍ଥିତ ଅଭିନେତା ଅମିତାଭ ବଚ୍ଚନଙ୍କ ବଙ୍ଗଳା ଉପରେ ବମ୍‌ ଲଗାଯାଇଛି।

ଏହି ଫୋନ୍ କଲ ପରେ ପୋଲିସ ବିଭାଗ ତୁରନ୍ତ ସରକାରୀ ରେଳ ପୋଲିସ୍, ରେଳ ସୁରକ୍ଷା ବଳ ( ଆରପିଏଫ୍) ତଥା ବମ୍ ଡିସପୋଜାଲ୍ ସ୍କ୍ବାଡ, ଡଗ୍ ସ୍କ୍ବାଡ୍ ଏବଂ ସ୍ଥାନୀୟ ପୋଲିସର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ। ତେବେ ଅନୁସନ୍ଧାନ ସମୟରେ କୌଣସି ସନ୍ଦେହଜନକ ସନ୍ଧାନ ମିଳିନଥିବା ଜଣାପଡିଛି। କିନ୍ତୁ ସତର୍କତାମୂଳକ ପଦକ୍ଷେପ ଭାବରେ ଏହି ସ୍ଥାନଗୁଡିକରେ ସୁରକ୍ଷା ବୃଦ୍ଧି କରାଯାଇଛି ଏବଂ ଅତିରିକ୍ତ ପୋଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି।

Related Posts