(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ରାଜ୍ଯରେ କୋଭିଡ୍ ସଂକ୍ରମଣ ବଢୁଛି କମୁଛି। କିନ୍ତୁ ଟେଷ୍ଟ ପଜିଟିଭିଟି ରେଟ୍ (ଟିପିଆର) କ୍ରମାଗତ ବୃଦ୍ଧି ପାଉଥିବାରୁ ସ୍ବାସ୍ଥ୍ୟ ଅଧିକାରୀ ମାନେ ଚିନ୍ତା ପ୍ରକଟ କରିଛନ୍ତି। ଯେହେତୁ ସରକାର ଅନଲକ୍ ପ୍ରକ୍ରିୟାରେ ବହୁତ କିଛି କଟକଣା କୋହଳ କରିଛନ୍ତି ବିଭିନ୍ନ ସ୍ଥାନରେ ଗହଳି ବଢୁଛି। ତେଣୁ ଏହା ତୃତୀୟ ଲହରର କାରଣ ହୋଇପାରେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ମାନେ ସତର୍କ କରାଇଛନ୍ତି। ରାଜ୍ୟରେ କୋଭିଡ୍ ପଜିଟିଭଙ୍କ ସଂଖ୍ୟା ଗୁରୁବାର କ୍ରମାଗତ ତୃତୀୟ ଦିନ ପାଇଁ ବୃଦ୍ଧି ପାଇଥିବା ବେଳେ ଶୁକ୍ରବାର ହ୍ରାସ ପାଇଛି। ସୋମବାର ଦିନ ଗତ ତିନି ମାସ ମଧ୍ୟରେ ସର୍ବନିମ୍ନ ୧୦୩୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ଅଗଷ୍ଟ ୪ର ରିପୋର୍ଟ ଅନୁସାରେ, ରାଜ୍ୟରେ ୧୩୪୨ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଅଗଷ୍ଟ ୫ର ରିପୋର୍ଟ ଅନୁସାରେ ୧୨୦୮ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏବଂ ଟେଷ୍ଟ ପଜିଟିଭିଟି ରେଟ୍ (ଟିପିଆର) ଦୁଇ ପ୍ରତିଶତ ଅତିକ୍ରମ କରିଛି ।
ରାଜ୍ୟ ମଙ୍ଗଳବାର ଦିନ ୧୧୨୯ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବୁଧବାର ୧୩୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ମାମଲା ବୃଦ୍ଧି ସହ ଟେଷ୍ଟ ପଜିଟିଭିଟି ରେଟ୍ (ଟିପିଆର) ବି ବୃଦ୍ଧି ପାଉଛି। ବବୁଧବାର ଦିନ ଏହା ୨.୦୧%, ମଙ୍ଗଳବାର ଦିନ ୧.୯% ଏବଂ ସୋମବାର ଦିନ ୧.୫୩% ଥିଲା।
ସ୍ୱାସ୍ଥ୍ୟସେବା ବିଶେଷଜ୍ଞ ମାନେ ଚେତାବନୀ ଦେଇଛନ୍ତି ଯେ ଏଭଳି ସମୟରେ ଯେତେବେଳେ ରାଜ୍ୟ ସରକାର ଅନଲକ୍ ପ୍ରକ୍ରିୟାକୁ କୋହଳ କରିଛନ୍ତି ରେଷ୍ଟୁରାଣ୍ଟ, ସିନେମା ହଲ୍, ସ୍କୁଲ, କଲେଜ ଏବଂ ବଜାର ଖୋଲିଛନ୍ତି ସେହି ସମୟରେ ଟେଷ୍ଟ ପଜିଟିଭିଟି ରେଟ୍ (ଟିପିଆର) ବୃଦ୍ଧି ପାଇବାଏକ ଭଲ ସଙ୍କେତ ନୁହେଁ।
ଖୋର୍ଦ୍ଧା ଜିଲ୍ଲାରେ ୪୭୭ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ TPR ୪.୭୫% ଥିଲା ।
ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀମାନେ ଚେତାବନୀ ଦେଇଛନ୍ତି ଯେ ଯେହେତୁ ପ୍ରତିବନ୍ଧକ ହଟାଯାଇଛି, ଲୋକ ମାନେ ବଜାରରେ ଗହଳି କରୁଛନ୍ତି । ଅଧିକାଂଶ ଲୋକ ମାସ୍କ ପିନ୍ଧିବା ଏବଂ ସାର୍ବଜନୀନ ସ୍ଥାନରେ ଶାରୀରିକ ଦୂରତା ବଜାୟ ରଖିବା ଭଳି କୋଭିଡ୍ କଟକଣାକୁ ପାଳନ କରୁନାହାଁନ୍ତି। ଏହି ଭଳି ଭାବେ ଅମାନିଆ ହେଲେ ରାଜ୍ୟ ତୃତୀୟ ତରଙ୍ଗର ନିକଟତର ହେବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ମାନେ ଚେତାବନୀ ଦେଇଛନ୍ତି।
ସୂଚନା ଥାଉକି ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୨୦୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ରୁ ୭୦୨ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ହେଉଛି ୫୦୬। ସେହିପରି ଆଉ ୬୬ ମୃତକଙ୍କ ସୂଚନା ଦେଲେ ରାଜ୍ୟ ସରକାର। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୩୦୨ ରେ ପହଞ୍ଚିଛି।