(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ବିବାଦୀୟ ରେଟ୍ରୋସ୍ପେକଟିଭ ବା ପିଛିଲା ଟିକସ ଆଇନକୁ ରଦ୍ଦ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର। ୨୦୧୨ ମସିହାରେ ପ୍ରଣୀତ ହୋଇଥିବା ଏହି ଆଇନକୁ ନେଇ ପୂର୍ବରୁ ଵହୁ ବିବାଦ ଦେଖାଯାଇଥିବା ବେଳେ ଏହି ଆଇନ ଉଚ୍ଛେଦ କରିବା ପାଇଁ ଗୁରୁବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ରେଟ୍ରୋ ଟ୍ୟାକ୍ସ ବିଲ ଆଗତ କରିଛନ୍ତି । ବିଲ୍ ଟି ପାସ୍ ହେବା ପରେ ବିଭିନ୍ନ କମ୍ପାନୀ ସହିତ ସରକାରଙ୍କର ଲାଗି ରହିଥିବା ବର୍ଷ ପୁରୁଣା ମାମଲା ମଧ୍ୟ ସମାଧାନ କରାଯିବାର ବାଟ ବାହାରିଛି ।
ଆୟକର ନିୟମ ୧୯୬୧ ସଂଶୋଧନ କରାଯାଇଥିବା ବେଳେ ଏହି ଅନ୍ତର୍ଗତ ଅତୀତରେ କରାଯାଇଥିବା କୌଣସି ଚୁକ୍ତିନାମା ପାଇଁ ଆୟକର ଆଦାୟ କରାଯିବ ନାହିଁ । ଅତୀତରେ କରାଯାଇଥିବା କୌଣସି ଚୁକ୍ତି ଉପରେ ମଧ୍ୟ ଆୟକର ଲାଗୁ କରାଯିବ ନାହିଁ । ୨୮ ମେ ୨୦୧୨ ପୂର୍ବରୁ କରାଯାଇଥିବା ବିଭିନ୍ନ ଚୁକ୍ତି ଉପରେ ଏହି ରିହାତି ପ୍ରଦାନ କରାଯିବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ।
ଅର୍ଥମନ୍ତ୍ରୀଙ୍କ ଏହି ଘୋଷଣା ପରେ ଭୋଡାଫୋନ ଓ କେର୍ଣ୍ଣସ୍ ଭଳି ୧୫ଟି କମ୍ପାନୀ ଲାଭବାନ ହେବେ। ଏଥିସହ ଆଇନ ଅନୁସାରେ ସେମାନେ ଦେଇଥିବା ଟିକସ ଟଙ୍କା ମଧ୍ୟ ବିନା ସୁଧରେ ଫେରିପାଇବେ। ଭାରତ ସରକାରଙ୍କ ଏହି ଆଇନ ଯୋଗୁ କେର୍ଣ୍ଣସ୍ ଓ ଭୋଡାଫୋନ ଭଳି ସଂସ୍ଥା ଅନ୍ତର୍ଜାତୀୟ ଅଦାଲତରେ କେସ୍ କରିଥିଲେ।
ଉଭୟ ମାମଲାରେ ଭାରତ ସରକାର ପରାସ୍ତ ହୋଇଛନ୍ତି। ମାମଲାର ରାୟରେ ନେଦରଲ୍ୟାଣ୍ଡସରେ ଥିବା ଇଣ୍ଟରନ୍ୟାଶନାଲ ଆର୍ବିଟ୍ରେସନ୍ ଟ୍ରିବ୍ୟୁନାଲ୍ କହିଥିଲେ ଯେ ଭାରତ ସରକାର କମ୍ପାନୀମାନଙ୍କ ଠାରୁ ଆଉ କୌଣସି ପ୍ରକାରର ଟିକସ, ଜୋରିମାନା କିମ୍ବା ସୁଧ ହାସଲ କରିବାକୁ ପ୍ରୟାସ କରିବେ ନାହିଁ।
ଭାରତ ସରକାର ଭୋଡାଫୋନ ଠାରୁ ୧୧ ହଜାର କୋଟି ଟଙ୍କାର ଟିକସ ଚାହିଁଥିଲେ। ୨୦୦୭ରେ କମ୍ପାନୀ ୧୧୦୦ କୋଟି ଡଲାରର ଭାରତୀୟ ମୋବାଇଲ ଆସେସଟ୍ସ Hutchison Whampoa କମ୍ପାନୀ ଠାରୁ ଆଣିଥିବାରୁ ଭାରିତ ସରକାର ଏପରି ଟିକସ ଲାଗୁ କରିଥିଲେ। କଂପାନୀ ସରକାରଙ୍କ ଏହି ନିଷ୍ପତିକୁ ବିରୋଧ କରି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଭାରତ ଓ ନେଦରଲ୍ୟାଣ୍ଡ ମଧ୍ୟରେ ହୋଇଥିବା ବ୍ୟବସାୟିକ ଚୁକ୍ତି ଅନୁସାରେ ସରକାର କମ୍ପାନୀ ଉପରେ କୌଣସି ଟିକସ, ସୁଧ କିମ୍ବା ଜୋରିମାନା ଲାଗୁ କରିପାରିବେ ନାହିଁ ବୋଲି ଟ୍ରିବ୍ୟୁନାଲ କହିଥିଲେ।
ଏଥିସହ ଆଇନଗତ ଲଢ଼େଇ ପାଇଁ ଭାରତ ସରକାର କମ୍ପାନୀକୁ ୪୦ କୋଟିରୁ ଅଧିକ ଟଙ୍କା କ୍ଷତି ପୂରଣ ଦେବେ ବୋଲି ଟ୍ରିବ୍ୟୁନାଲ କହିଥିଲେ । ଯେହେତୁ ଦେଶରେ କରୋନା ଯୋଗୁଁ ଅର୍ଥ ବ୍ୟବସ୍ଥା ଭୁଷୁଡି ପଡିଛି । ତେଣୁ ବିଦେଶୀ ନିବେଶକଙ୍କୁ ଆକୃଷ୍ଟ କରିବା ପାଇଁ ଏହି ବ୍ୟବସ୍ଥା କରାଯାଇଛି ବୋଲି ସୀତାରମଣ କହିଛନ୍ତି ।
ଏହି ନିୟମ ଦ୍ୱାରା ସବୁଠାରୁ ଅଧିକ ଲାଭବାନ ହେବେ ଭୋଡାଫୋନ ଓ କେର୍ଣ୍ଣସ । ଭାରତ ସରକାରଙ୍କ ଠାରୁ ଏହି ଦୁଇ କମ୍ପାନୀ ପ୍ରାୟ ୧.୨ ବିଲିୟନ ଡଲାର(୮ ହଜାର କୋଟି) କ୍ଷତିପୂରଣ ହାସଲ କରିବ । ଏହି ଆଇନ ଉଚ୍ଛେଦ ହେବା ପରେ ପ୍ରାୟ ୧୭ଟି କମ୍ପାନୀ ଲାଭବାନ ହେବେ ।
ଅର୍ଥ ସଚିବ ଟି ଭି ସୋମନାଥନ କହିଛନ୍ତି ଏହି ନିୟମରେ ସମୁଦାୟ ୮୧୦୦ କୋଟି ଟଙ୍କା ଆଦାୟ କରାଯାଇଥିବା ବେଳେ କେବଳ କେର୍ଣ୍ଣ ଏନର୍ଜି ୭୯୦୦ କୋଟି ଟଙ୍କା ପ୍ରଦାନ କରିଛି । ଏହି ଅର୍ଥ ଫେରସ୍ତ କରାଯିବ । ୨୦୧୪ ପରଠାରୁ ସରକାର ନିବେଶକଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରୟାସ କରୁଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତି ନିବେଶକଙ୍କୁ ଆକୃଷ୍ଟ କରିବା ପାଇଁ ଏକ ବୃହତ୍ତର ପଦକ୍ଷେପ ବୋଲି ଅର୍ଥ ସଚିବ ତରୁଣ ବଜାଜ ମତ ଦେଇଛନ୍ତି ।