(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଚଳିତ ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ଆଉ ଏକ ପଦକ ପକ୍କା କରିଛନ୍ତି ରେସଲର ରବି କୁମାର ଦାହିୟା। ଏବେ ତାଙ୍କର ମୁକାବିଲା ସ୍ୱର୍ଣ୍ଣ ପଦକ ପାଇଁ ହେବ। ଦାହିୟା ଦମଦାର ବିଜୟ ସହ ୫୭ କେଜି ଫ୍ରି ଷ୍ଟାଇଲ ରେସଲିଂର ଫାଇନାଲରେ ପ୍ରବେଶ କରିଛନ୍ତି।
ବର୍ତ୍ତମାନ ଫାଇନାଲରେ ତାଙ୍କର ମୁକାବିଲା ରୁଷିଆନ ଅଲିମ୍ପିକ କମିଟିର ଜାଉର ଉଗୁଉଭେଙ୍କ ସହ ହେବ। ରବି କୁମାର ପ୍ରଥମ ଦୁଇଟି ମ୍ୟାଚ୍ରେ ଦମଦାର ପ୍ରଦର୍ଶନ କରି ସେମି ଫାଇନାଲରେ ପ୍ରବେଶ କରିଥିଲେ। ସେମି ଫାଇନାଲ ତାଙ୍କର ମୁକାବିଲାରେ କାଜାଖିସ୍ତାନ ନୁରିସ୍ଲାମ ସାନାୟେଭଙ୍କ ସହ ହୋଇଥିଲା। ଏହି ମ୍ୟାଚ୍କୁ ସେ ଧାର୍ଯ୍ୟ ସମୟ ପୂର୍ବରୁ ଜିତି ନେଇଥିଲେ।
ରବି କୁମାର ୫ମ ରେସଲର ଭାବେ ଅଲିମ୍ପିକ୍ସରେ ଭାରତ ପାଇଁ ପଦକ ଜିତିବାକୁ ଯାଉଛନ୍ତି। ରବି କୁମାରଙ୍କ ପୂର୍ବରୁ କେଡି ଯାଦବ, ସୁଶୀଲ କୁମାର, ଯୋଗେଶ୍ୱର ଦତ୍ତ ଓ ସାକ୍ଷୀ ମଲ୍ଲିକ ଭାରତ ପାଇଁ ଅଲିମ୍ପିକ୍ସରେ ପଦକ ଜିତିଛନ୍ତି।
ପୁରୁଷ ୫୭ କେଜି ଫ୍ରିଷ୍ଟାଇଲ୍ ଇଭେଣ୍ଟରେ ରବି କୁମାର କ୍ୱାର୍ଟର୍ ଫାଇନାଲରେ ବୁଲଗେରିଆର ଜର୍ଜି ଭାଲେଣ୍ଟିନୋଭ୍ ଭାଙ୍ଗେଲୋଭଙ୍କୁ ୧୪-୪ ପଏଣ୍ଟରେ ହରାଇ ସେମିଫାଇନାଲରେ ପହଞ୍ଚିଥିଲେ। ଏହା ପୂର୍ବରୁ ସେ ପ୍ରି-କ୍ୱାର୍ଟର୍ ଫାଇନାଲରେ କଲମ୍ବିଆର ଓସ୍କାର ଏଡୁଆର୍ଡ ଟାଇଗ୍ରେରୋସ୍ ଅର୍ବାନୋଙ୍କୁ ୧୩-୨ ପଏଣ୍ଟରେ ହରାଇଥିଲେ।