ପିଏସ୍ ବିରଞ୍ଚି ସାହୁଙ୍କ ବେଆଇନ୍ ଆର୍ଥିକ କାରବାରର ତଦନ୍ତ କରିବ ଇଡି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ ସଦସ୍ୟଙ୍କ ବ୍ୟକ୍ତିଗତ ସଚିବ ବିରଞ୍ଚି ସାହୁଙ୍କ ଅଡୁଆ ଦିନକୁ ଦିନ ବଢିବାରେ ଲାଗିଛି। ଏବେ ବିରଞ୍ଚି ସାହୁଙ୍କ ବେଆଇନ ଅର୍ଥ କାରବାର ମାମଲାର ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) । ମନି ଲଣ୍ଡରିଂ ଓ ଚାକିରି ଆଶାୟୀଙ୍କଠାରୁ ଲାଞ୍ଚ ମାମଲାର ଖୋଳତାଡ଼ କରିବ ଇଡି।  ପିଏସ ବିରଞ୍ଚି ସାହୁ ଏତେ ଟଙ୍କା କେଉଁଠୁ ଆଣିଲେ ତାହାର ତଦନ୍ତ କରିବାକୁ ମାମଲା ବର୍ତ୍ତମାନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଦିଆଯାଇଛି ।

ସୂଚନା ଥାଉକି କୋଟି କୋଟି ଟଙ୍କାର ଆୟବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ପିଏସ୍ ବିରଞ୍ଚି ସାହୁଙ୍କୁ ଭିଜିଲାନ୍ସ ଗିରଫ କରିଥିଲା। ବିରଞ୍ଚିଙ୍କୁ ବାଧ୍ୟତାମୂଳକ ଅବସର ଦେଇଥିଲେ  ରାଜ୍ୟ ସରକାର। ମଙ୍ଗଳବାର ଦିନ ଭିଜିଲାନ୍ସ ଟିମ୍ ଓଏସ୍ଏସସି କାର୍ଯ୍ୟାଳୟରେ ପହଞ୍ଚି ତଥ୍ୟ ସଂଗ୍ରହ କରିଥିଲା। ପରେ ତାଙ୍କୁ ୪ ଦିନିଆରା ରିମାଣ୍ଡରେ ନେଇଥିଲା ଭିଜିଲାନ୍ସ। 

ଉଲ୍ଲେଖଯୋଗ୍ୟ ଯେ ବିରଞ୍ଚି ସାହୁଙ୍କ ପାଖରୁ ସାଢ଼େ ୩ କୋଟିର ସଂପତ୍ତି ଠାବ କରିଛି ଭିଜିଲାନ୍ସ। ଜୁଲାଇ ୩୦ ତାରିଖରେ ଭିଜିଲାନ୍ସ ପକ୍ଷରୁ ତାଙ୍କ ଘର ସମେତ ପ୍ରାୟ ୬ଟି ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ। ତାଙ୍କ ଘରୁ ବିପୁଳ ପରିମାଣର ଟଙ୍କା ସୁନା ଓ ବିଦେଶୀ ମୁଦ୍ରା ଜବତ କରାଯାଇଛି। ଏତଦ୍ ବ୍ୟତୀତ ସେ ନିଯୁକ୍ତି ଦୁର୍ନୀତିରେ ସାମିଲ ଥିବା ନେଇ ମଧ୍ୟ କୁହାଯାଉଛି। 

କୁହାଯାଉଛି ଯେ ବିରଞ୍ଚି କୁଆଡ଼େ ଆଶାୟୀଙ୍କ ଠାରୁ ଲାଞ୍ଚ ନେଇ ଚାକିରି ବିକ୍ରିକରିବାର ମାଷ୍ଟରମାଇଣ୍ଡ ଥିଲେ। ସୁରେନ୍ଦ୍ର ବିଶ୍ୱାଳ ନାମକ ଜଣେ ଚାକିରି ଆଶାୟୀ ନିଯୁକ୍ତି ପ୍ରକ୍ରିୟାରେ ଅସନ୍ତୁଷ୍ଟ ହୋଇ ପୂର୍ବରୁ ଆନ୍ଦୋଳନ କରିଥିଲେ। ୨୦୦୮ରେ OSSC ଦ୍ୱାରା ପୋଲିସ ଏସ୍ଆଇ ପାଇଁ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ ଆଣି ହାଇକୋର୍ଟଙ୍କ ସେ ଦ୍ୱାରସ୍ଥ  ହୋଇଥିଲେ। ଏହି ଘଟଣାରେ ହାଇକୋର୍ଟ OSSCକୁ ନୋଟିସ ଜାରି କରିଥିଲେ । ଏମିତି ଏକାଧିକ ଆଶାୟୀ ଚାକିରିରେ ଅନିୟମିତତା ହୋଇଥିବା ଅଭିଯୋଗ ଆଣିଛନ୍ତି। 

Related Posts