ଏବେ ବିରୋଧୀ ନୁହେଁ ବିଜେପି ନେତା ଓ ଏନଡିଏ ସହଯୋଗୀମାନେ ବି କଲେ ପେଗାସସ୍‌ ଜାସୁସି ମାମଲାର ତଦନ୍ତ ଦାବି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ପେଗାସସ୍‌ ଜାସୁସି ମାମଲାରେ ବିରୋଧୀ ଦଳଗୁଡ଼ିକ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଉପରେ ଜୋରଦାର ହମଲା କରୁଛନ୍ତି । ଜାସୁସି ମାମଲାରେ ସୁପ୍ରିମକୋର୍ଟର ବିଚାରପତିଙ୍କ ନେତୃତ୍ୱରେ ମାମଲାର ତଦନ୍ତ ଦାବି କରୁଛନ୍ତି। କିନ୍ତୁ କେନ୍ଦ୍ର ସରକାର ତଦନ୍ତ ଦାବିକୁ ଏଡ଼ାଇ ଚାଲିଛନ୍ତି। ଏସବୁ ଭିତରେ ଏବେ ବିଜେପିର ସହଯୋଗୀ ଦଳ ମାନେ ପେଗାସସ୍‌ ବିବାଦର ନିରପେକ୍ଷ ତଦନ୍ତ ଦାବି କରିଛି।

ବିହାରରେ ଏବେ ଏନଡିଏ ଶାସନ କ୍ଷମତାରେ ଅଛି। ବିଜେପି ଓ ଜେଡିୟୁ ମିଳିତ ଭାବେ ସରକାର ଗଠନ କରିଛନ୍ତି। ପ୍ରଥମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଜେପିକୁ ପେଗାସସ୍‌ ମାମଲାରେ ଶକ୍ତ ଝଟକା ଦେଇଛନ୍ତି। ସେ ବିରୋଧୀଙ୍କ ସହ ସ୍ୱର ମିଶାଇ ପେଗାସସ୍‌ ରିପୋର୍ଟର ତଦନ୍ତ ଦାବି କରିଛନ୍ତି। ନିତୀଶ କୁମାର କହିଛନ୍ତି, “ଲୋକଙ୍କୁ ହଇରାଣ ଓ ସେମାନଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରିବା ପାଇଁ ଏପରି ଜିନିଷର ବ୍ୟବହାର କରିବା ଠିକ୍‌ ନୁହେଁ। ପେଗାସସ୍ ରିପୋର୍ଟ ବିଷୟରେ ମୁଁ ଜାଣେ। ଟେଲିଫୋନ ଟ୍ୟାପିଂକୁ ନେଇ ବେଶ କିଛି ଦିନ ହେବ ଆଲୋଚନା ହେଉଛି। ବିରୋଧୀ ଏହି ପ୍ରସଙ୍ଗକୁ ଉଠାଇଛନ୍ତି। ଏହି ପ୍ରସଙ୍ଗ ସଂସଦରେ ମଧ୍ୟ ଉଠିଛି ।

ତେଣୁ ଏହି ପ୍ରସଙ୍ଗରେ ଆଲୋଚନା ହେବା ସହ ଏହାର ତଦନ୍ତ କରାଯିବା ଉଚିତ। ପୂରା ଘଟଣାର ତଥ୍ୟ ବିସ୍ତୃତ ଭାବେ ସାର୍ବଜନୀନ ହେବା ଉଚିତ।

ସ୍ବର ଉଠାଇଲେ ବିଜେପି ନେତା :-

ପୂର୍ବତନ ରାଜ୍ୟପାଳ ତଥା ବରିଷ୍ଠ ବିଜେପି ନେତା କପ୍ତାନ ସିଂ ସୋଲାଙ୍କି ମଧ୍ୟ ଏହି ଜାସୁସି ମାମଲାର ଯାଞ୍ଚ ଦାବିକୁ ସମର୍ଥନ କରିଛନ୍ତି। ସେ କହିଛନ୍ତି, ” ଗଣତନ୍ତ୍ର ସର୍ବଦା ବିଶ୍ୱାସ ଏବଂ ବ୍ୟକ୍ତିର ସ୍ବତନ୍ତ୍ରତା ଓ ଗୋପନୀୟତା ଉପରେ ନିର୍ଭର କରେ। ଏହି ପେଗାସସ୍ ପ୍ରସଙ୍ଗ ବିଦେଶୀ ଏଜେନ୍ସି ଦ୍ୱାରା ଉଠାଯାଇଛି। ଉଭୟ ଦଳର ସାଂସଦ (ଶାସକ ଏବଂ ବିରୋଧୀ), ସାମ୍ବାଦିକ ଏବଂ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କ ସମେତ ଅନେକ ନାମ ଏହି ତାଲିକାରେ ଅଛି। ଏହାଦ୍ୱାରା ଅବିଶ୍ୱାସର ବାତାବରଣ ସୃଷ୍ଟି ହୋଇଛି । ତେଣୁ ଏହି ମାମଲାର ଯାଞ୍ଚ କରାଯିବା ଉଚିତ ବୋଲି ସେ କହିଛନ୍ତି।

ସୂଚନା ଥାଉକି ମୌସୁମୀ ଅଧିବେଶନର ଗୋଟିଏ ଦିନ ପୂର୍ବରୁ ୧୭ଟି ମିଡିଆ ପ୍ରତିଷ୍ଠିତ ସଂସ୍ଥା ସମୂହ ପେଗାସସ୍‌ ସ୍ପାଇୱେୟାର ସମ୍ପର୍କିତ ଏକ ରିପୋର୍ଟ ପ୍ରକାଶ କରିଥିଲେ। ଇସ୍ରାଏଲର ଏନଏସ୍‌ଓ ତିଆରି କରିଥିବା ଏହି ପେଗାସସ୍‌ ଜରିଆରେ ଭାରତ ସମେତ ଏକାଧିକ ରାଷ୍ଟ୍ର ବିଶିଷ୍ଟ ବ୍ୟକ୍ତିଙ୍କ ଉପରେ ଗୁଇନ୍ଦାଗିରି କରିଥିବା ରିପୋର୍ଟରେ କୁହାଯାଇଥିଲା।

ଭାରତର ୩୦୦ରୁ ଅଧିକ ବ୍ୟକ୍ତିଙ୍କ ଫୋନ ନମ୍ବର ପେଗାସସ୍‌ ଟାର୍ଗେଟ ଲିଷ୍ଟରେ ଥିବା ଜଣାପଡ଼ିବା ପରେ ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଛି। ଏହି ତାଲିକାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଖୋଦ୍ କେନ୍ଦ୍ର ସରକାରଙ୍କ ଦୁଇ ମନ୍ତ୍ରୀ ସମେତ ବହୁ ବଡ଼ ବଡ଼ ସାମ୍ବାଦିକ, ଆଇନଜୀବୀ ଓ ଆକ୍ଟିଭିଷ୍ଟଙ୍କ ମୋବାଇଲ ଫୋନ ଟ୍ୟାପିଂ ହୋଇଥିବା ରିପୋର୍ଟରେ କୁହାଯାଇଥିଲା। ଘଟଣା ଉପରେ ସଂସଦରେ ଆଲୋଚନା କରିବା ପାଇଁ ବିରୋଧୀ ଦଳଗୁଡ଼ିକ ଦାବି କରିବାରେ ଲାଗିଛନ୍ତି। ହେଲେ ସରକାର ପେଗାସସ୍‌କୁ ଗୁରୁତ୍ୱହୀନ ପ୍ରସଙ୍ଗ କହି ଆଲୋଚନାକୁ ଏଡ଼ାଇ ଚାଲିଛନ୍ତି। ଅନ୍ୟପକ୍ଷରେ ଆସନ୍ତା ଗୁରୁବାର ସୁପ୍ରିମକୋର୍ଟ ପେଗାସସ୍‌ ରିପୋର୍ଟର ତଦନ୍ତ ପାଇଁ ହୋଇଥିବା ଦାବି ସଂକ୍ରାନ୍ତ ଏକାଧିକ ଆବେଦନର ଶୁଣାଣି କରିବେ।

Related Posts