(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିବା OSSC ସଦସ୍ୟଙ୍କ ପିଏସ୍ ବିରଞ୍ଚି ସାହୁଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର। ଦୁର୍ନୀତି ମାମଲାରେ ଗିରଫ ପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହା ପୂର୍ବରୁ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିଲା ଏବଂ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କୁ ସୁପାରିଶ କରାଯାଇଥିଲା ।
ବିରଞ୍ଚିଙ୍କୁ ନିଲମ୍ବନ କରି ଥିଲେ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ। ପିଏସ ବିରଞ୍ଚି ସାହୁଙ୍କ ଠାରୁ ସାଢ଼େ ୩ କୋଟିର ସଂପତ୍ତି ଠାବ କରିଛି ଭିଜିଲାନ୍ସ। ଜୁଲାଇ ୩୦ ତାରିଖରେ ଭିଜିଲାନ୍ସ ପକ୍ଷରୁ ତାଙ୍କ ଘର ସମେତ ପ୍ରାୟ ୬ଟି ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ।
ତାଙ୍କ ଘରୁ ବିପୁଳ ପରିମାଣର ଟଙ୍କା ସୁନା ଓ ବିଦେଶୀ ମୁଦ୍ରା ଜବତ କରାଯାଇଛି। ଏତଦ୍ ବ୍ୟତୀତ ସେ ନିଯୁକ୍ତି ଦୁର୍ନୀତିରେ ସାମିଲ ଥିବା ନେଇ ମଧ୍ୟ କୁହାଯାଉଛି।
ସୁରେନ୍ଦ୍ର ବିଶ୍ୱାଳ ନାମକ ଜଣେ ଆଶାୟୀ ୨୦୦୮ରେ OSSC ଦ୍ୱାରା ପୋଲିସ ଏସ୍ଆଇ ପାଇଁ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ ଆଣି ହାଇକୋର୍ଟଙ୍କ ଦ୍ୱାରସ୍ଥ ମଧ୍ୟ ହୋଇଥିଲେ। ଯେଉଁଥିରେ ଉଚ୍ଚ ନ୍ୟାୟାଳୟ OSSCକୁ ନୋଟିସ ବି କରିଥିଲେ ।
ଚାକିରୀ ଆଶାୟୀ ମାନେ ଏକାଧିକ ଥର ଏ ସମ୍ପର୍କରେ ଅଭିଯୋଗ କରିଛନ୍ତି । ଏବେ ଭିଜିଲାନ୍ସ ଜାଲରେ ବିରଞ୍ଚି ନାରାୟଣ ସାହୁ ଛନ୍ଦି ହେବା ପରେ ନିଯୁକ୍ତି ପ୍ରକ୍ରିୟାରେ କେଳେଙ୍କାରୀ ପଛର ସତ୍ୟ ସାମ୍ନାକୁ ଆସିବ ବୋଲି ସମସ୍ତେ ଆଶାବାଦୀ ଅଛନ୍ତି।