(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଟୋକିଓ ଅଲିମ୍ପିକ୍ସରେ ଇତିହାସ ରଚିଲା ଭାରତୀୟ ମହିଳା ହକି ଟିମ୍ । ମହିଳା ଟିମ୍ ପ୍ରଥମଥର ପାଇଁ କ୍ୱାର୍ଟର ଫାଇନାଲରେ ଅଷ୍ଟ୍ରେଲିଆକୁ ୧-୦ରେ ହରାଇ ଟୋକିଓ ଅଲିମ୍ପିକ୍ସରେ ସେମିଫାଇନାଲରେ ପ୍ରବେଶ କରିଛି । ଭାରତ ପକ୍ଷରୁ ଗୁରଜିତ୍ କୌର ଦେଇଛନ୍ତି ଗୋଲ୍ । ମହିଳା ଟିମ୍ ତୃତୀୟ ଥର ପାଇଁ ଅଲିମ୍ପିକ୍ସରେ ପ୍ରବେଶ କରିଛନ୍ତି । ପୁଲ ମ୍ୟାଚ୍ ପ୍ରଦର୍ଶନ ଆଧାରରେ ଟପ୍-୩ ଦଳ ନିଷ୍ପତ୍ତି ହୋଇଥିଲା । ପ୍ରଥମ କ୍ୱାର୍ଟରରେ ଉଭୟ ଭାରତ ଏବଂ ଅଷ୍ଟ୍ରେଲିଆ ସ୍କୋର କରିପାରି ନଥିଲେ । ପରେ ଭାରତର ଗୁରୁଜିତ କୌର ଏକ ପେନାଲ୍ଟି କର୍ନର ସ୍କୋର କରି ଭାରତକୁ ୧-୦ରେ ଆଗୁଆ କରାଇଦେଇଥିଲେ ।
ତୃତୀୟ କ୍ୱାର୍ଟରରେ କୌଣସି ଗୋଲ୍ ହୋଇପାରିନଥିଲା ଏବଂ ଭାରତୀୟ ମହିଳା ହକି ଟିମ୍ ୧-୦ରେ ଆଗୁଆ ଥିଲା । ଚତୁର୍ଥ କ୍ୱାର୍ଟରରେ ଅଷ୍ଟ୍ରେଲିଆର ଦଳ ଜୋରଦାର ଆକ୍ରମଣ କରିଥିଲା ଏବଂ ଲଗାତାର ଦୁଇଟି କର୍ଣ୍ଣର ପାଇଲା । ଏହି ମ୍ୟାଚରେ ଅଷ୍ଟ୍ରେଲିଆ ୭ ଟି ପେନାଲ୍ଟି କର୍ଣ୍ଣର ପାଇଥିଲା କିନ୍ତୁ ଭାରତ ପକ୍ଷରୁ ଗୋଲକିପର ସବିତା ଆନନ୍ଦ ଏବଂ ବାକି ଖେଳାଳିମାନେ ଗୋଲ୍ କରିବାକୁ ବାଧା ଦେଇଥିଲେ। ମାତ୍ର ଚାରି ମିନିଟରେ ଅଷ୍ଟ୍ରେଲିଆ ଦଳ ଦୁଇଟି ପେନାଲ୍ଟି କର୍ନର ପାଇଥିଲା କିନ୍ତୁ ଭାରତ ଗୋଲ୍ କରିବାକୁ ସୁଯୋଗ ଦେଇନଥିଲା।
୨୨ ମିନିଟରେ ଗୁରୁଜିତ କୌର ଏକ ପେନାଲ୍ଟି କର୍ଣ୍ଣରରୁ ଏକ ଗୁରୁତ୍ୱପୂର୍ଣ୍ଣ ଗୋଲ ଦେଇ ଭାରତକୁ ଅଗ୍ରଣୀ କରାଇଥିଲେ, ଯାହା ଭାରତର ବିଜୟ ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହୋଇଥିଲା । ସେ ମ୍ୟାଚରେ ମୋଟ ୯ ପେନାଲ୍ଟି କର୍ଣ୍ଣର ପାଇଥିଲେ, କିନ୍ତୁ ସେମାନେ ଏଥିରେ ସ୍କୋର କରିପାରିନଥିଲେ । ଭାରତୀୟ ଦଳ ମାତ୍ର ଗୋଟିଏ କର୍ଣ୍ଣର ପାଇ ଏଥିରେ ଗୋଲ ସ୍କୋର କରି ବିଜୟ ସୁନିଶ୍ଚିତ କରିଥିଲା ।୨୦୧୬ ରିଓ ଅଲିମ୍ପିକ୍ସରେ ଟିମ୍ ୧୨ ନମ୍ବରରେ ରହିଥିଲା । ଏହା ବ୍ୟତୀତ ୧୯୮୦ ମସିହାରେ ଟିମ୍ ଚତୁର୍ଥ ସ୍ଥାନରେ ଥିଲା । କିନ୍ତୁ ସେହି ସମୟରେ ସେମିଫାଇନାଲର ମ୍ୟାଚ ନଥିଲା ।
ସୂଚନାଥାଉ କି, ପ୍ରଥମଥର ପାଇଁ ଭାରତୀୟ ମହିଳା ହକି ଟିମ୍ ଅଲିମ୍ପିକ୍ସ ସେମିରେ ପ୍ରବେଶ କରିଛି। ଅଲିମ୍ପିକ୍ସରେ ସେମିରେ ପ୍ରବେଶ ପରେ ମହିଳା ହକି ଟିମ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ କେନ୍ଦ୍ର ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଅନୁରାଗ ଠାକୁର ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି।
ଅନ୍ୟପକ୍ଷେ, ଟୋକିଓ ଅଲିମ୍ପିକ୍ସ ପୁରୁଷ ହକି ସେମି ଫାଇନାଲରେ ଭାରତ ପହଞ୍ଚିଛି। କ୍ୱାର୍ଟର ଫାଇନାଲରେ ବ୍ରିଟେନକୁ ୩-୧ ଗୋଲରେ ହରାଇ ସେମିରେ ପହଞ୍ଚିଛି ଟିମ୍ ଇଣ୍ଡିଆ। ୪ ଦଶନ୍ଧି ପରେ ଅଲିମ୍ପିକ୍ସ ସେମିରେ ପହଞ୍ଚିଛି ଭାରତୀୟ ପୁରୁଷ ହକି ଟିମ୍। ଅପରପକ୍ଷରେ ସିଜିନରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ସତ୍ତ୍ୱେ ଦୂତି ଚାନ୍ଦ ଟୋକିଓ ଅଲିମ୍ପିକ୍ସରେ ଯୋଗ୍ୟତା ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ ହେବାରେ ବିଫଳ ହୋଇଛନ୍ତି। ସେ ଉଭୟ ଶହେ ଏବଂ ଦୁଇ ଶହ ମିଟର ରେସ୍ ରେ ବିଫଳ ହୋଇଛନ୍ତି।