(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ମଣିପୁରରେ ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ କଂଗ୍ରେସକୁ ଲାଗିଛି ଜୋରଦାର ଝଟକା । ଦଳର ପୂର୍ବତନ ପ୍ରଦେଶ ଅଧ୍ୟକ୍ଷ ଗୋବିନ୍ଦଦାସ କୋଣ୍ଠଉଜାମ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଛନ୍ତି । ଦିଲ୍ଲୀ ସ୍ଥିତ ପାର୍ଟି କାର୍ଯ୍ୟାଳୟରେ ମଣିପୁରର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହଙ୍କ ଉପସ୍ଥିତିରେ ଗୋବିନ୍ଦଦାସ ବିଜେପି ପାର୍ଟି ସଦସ୍ୟତା ଗ୍ରହଣ କରିଛନ୍ତି । ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂଙ୍କ ଉପସ୍ଥିତିରେ ସେ ଦଳରେ ଯୋଗ ଦେଇଥିଲେ। ଏହି ଅବସରରେ କୋଣ୍ଠଉଜାମ କହିଛନ୍ତି ଯେ ଆସନ୍ତା ବର୍ଷ ମଣିପୁରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି ଏବଂ ମୁଁ ସେହି ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପାଇଁ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରିବି। ଏଥି ସହିତ ଦଳର ସଦସ୍ୟତା ଗ୍ରହଣ କରିବା ପରେ ଗୋବିନ୍ଦଦାସ କୋଣ୍ଠଉଜାମ ମଧ୍ୟ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନାଡାଙ୍କୁ ଭେଟିଛନ୍ତି।ଏହି ସମୟରେ ରାଜ୍ୟସଭା ସାଂସଦ ଅନିଲ ବଲୁନି ଓ ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ଉପସ୍ଥିତ ଥିଲେ ।
ଏହା ପୂର୍ବରୁ ରବିବାର ସକାଳେ ରାଜ୍ୟସଭା ସାଂସଦ ଓ ଭାରତୀୟ ଜନତା ପାର୍ଟିର ମୁଖପାତ୍ର ଅନିଲ ବଲୁନି କହିଥିଲେ, ମଧ୍ୟାହ୍ନ ୧୨ଟାରେ ଏକ ପ୍ରତିଷ୍ଠିତ ବ୍ୟକ୍ତି ପାର୍ଟିରେ ସାମିଲ ହେବାକୁ ଯାଉଛି । କିନ୍ତୁ ସେ ନାମ ଘୋଷଣା କରିନଥିଲେ । ଏହା ପରେ କୋଣ୍ଠଉଜାମଙ୍କୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇ ଯାଇଥିଲା ।
ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ମଧ୍ୟ ଏହି ଅବସରରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକର ଫୋକସ୍ କରୁଛନ୍ତି। ଏବଂ ନିକଟରେ ଏହି ଅଞ୍ଚଳରୁ ୫ ଜଣ ମନ୍ତ୍ରୀଙ୍କୁ କେନ୍ଦ୍ର କ୍ୟାବିନେଟରେ ସାମିଲ କରାଯାଇଛି।