(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : କିଛି ଦିନ ପୂର୍ବରୁ ଏକ ୟୁଟ୍ୟୁବ ଚ୍ୟାନେଲ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ମହିଳାଙ୍କୁ ଅପମାନିତ କରୁଥିବାର ଘଟଣା ସାମ୍ନାକୁ ଆସିଥିଲା। ଉକ୍ତ ୟୁଟ୍ୟୁବ ଚ୍ୟାନେଲରେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ମହିଳା ମାନଙ୍କର ଲାଇଭ ନିଲାମ ଡକାଯାଉଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ ଦାଖଲ କରାଯାଇଥିଲା। କିନ୍ତୁ ପୋଲିସ ପକ୍ଷରୁ ଘଟଣାରେ କୌଣସି ପଦକ୍ଷେପ ନ ନିଆଯିବା ପରେ ଏବେ ଶିବସେନା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ କେନ୍ଦ୍ର ଆଇଟି ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି। ଉକ୍ତ ୟୁଟ୍ୟୁବ ଚ୍ୟାନେଲ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବିରେ ସେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଚିଠି ଲେଖିଛନ୍ତି।
ୟୁଟ୍ୟୁବ ଚ୍ୟାନେଲ ସମେତ ଏକ ଆପ୍ ମାଧ୍ୟମରେ ୟୁଜରଙ୍କ ବିନା ଅନୁମତିରେ ସୋସିଆଲ ମିଡିଆରୁ କିଛି ମହିଳାଙ୍କ ଫଟୋ ନିଆଯାଇ ତାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦିଆଯାଉଥିବାରୁ ସେହି ଆପ୍ ଏବଂ ୟୁଟ୍ୟୁବ୍ ଚ୍ୟାନେଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଶିବସେନା ସାଂସଦ।
ଶିବସେନା ସାଂସଦ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଲେଖିଥିବା ଏକ ଚିଠିରେ କହିଛନ୍ତି ଯେ, “ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ ଏହିପରି ଉପଦ୍ରବ ଉପରେ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ।
ମହିଳାମାନଙ୍କ ପାଇଁ ସୁରକ୍ଷିତ ସାଇବର ସ୍ପେସର ଅଭାବକୁ ନେଇ ସେ ଉଦବେଗ ପ୍ରକାଶ କରିଛନ୍ତି। ସାଂସଦ କହିଛନ୍ତି ଯେ , “ଜଣେ ମହିଳାଙ୍କୁ ଅପମାନିତ କରିବା ପାଇଁ ସୋସିଆଲ ମିଡ଼ିଆ ଏବଂ ଡିଜିଟାଲ ମିଡିଆର ଅପବ୍ୟବହାର କରାଯାଉଛି। ମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ସେ ଦର୍ଶାଇଛନ୍ତି ଯେ ଯେଉଁ ଦେଶରେ ମହିଳାମାନେ ଲିଙ୍ଗଗତ ପକ୍ଷପାତିତା ସହ ସଂଘର୍ଷ କରୁଛନ୍ତି, ଏଭଳି ପରିସ୍ଥିତିରେ ଏମିତି ଘଟଣା ସାମ୍ନାକୁ ଆସିବା ଦ୍ଵାରା ସାଇବର ସ୍ପେସରେ ମହିଳାଙ୍କ ସୁରକ୍ଷାକୁ ନେଇ ପୁଣି ଥରେ ପ୍ରଶ୍ନ ଉଠିଛି ।
ଏହି ଦୁଇଟି ମାମଲା ବିଷୟରେ ସେ କହିଛନ୍ତି, “କିଛି ମାସ ପୂର୍ବରୁ, ‘ ଲିବରାଲ୍ ଡଗ୍ ’ ନାମକ ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ରେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ମହିଳାମାନଙ୍କର ଲାଇଭ୍“ ନିଲାମ ”ଚଳାଇଥିଲା। ମହିଳାଙ୍କ ଶାରୀରିକ ରୂପକୁ ଆଧାର କରି ନିଲାମ ଡକାଯିବା ସହ ଏବଂ ଅପମାନଜନକ ମନ୍ତବ୍ୟ ଦିଆଯାଇଥିଲା । ‘ସୁଲି ଡିଲ୍ସ’ ନାମକ ଆପରେ ଅନେକ ମହିଳାଙ୍କ ଫଟୋ ଅପଲୋଡ୍ କରାଯାଇଛି। ଏଥିରେ ସୋସିଆଲ ମିଡିଆ ୱେବସାଇଟରୁ ମହିଳା ସାମ୍ବାଦିକଙ୍କ ସମେତ ବିଭିନ୍ନ ବୃତ୍ତି ସହ ଜଡିତ ଅନେକ ମହିଳାଙ୍କ ଫଟୋ ପୋଷ୍ଟ କରାଯାଇଥିବା ଦେଖାଦେଇଛି।
ପ୍ରିୟଙ୍କା ଚତୁର୍ବେଦୀ କହିଛନ୍ତି ଯେ ଏହି ଆପ ଟାର୍ଗେଟରେ ଥିବା ମହିଳାମାନଙ୍କୁ ଧମକ ଅପମାନ କରାଯାଉଥିବା ସେ ଅଭିଯୋଗ କରିଥିଲେ। ଦିଲ୍ଲୀ ଏବଂ ନୋଏଡା ପୋଲିସରେ ମାମଲା ରୁଜୁ କରିବା ସତ୍ତ୍ୱେ “ଏପର୍ଯ୍ୟନ୍ତ ମାମଲାରେ କୌଣସି ଅଗ୍ରଗତି ହୋଇନାହିଁ” ବୋଲି ସାସଂଦ ଅଭିଯୋଗ କରିଛନ୍ତି।
ସେ ଦାବି କରିଛନ୍ତି ଯେ ଏଭଳି ଚ୍ୟାନେଲ ଏବଂ ତାକୁ ଚଲାଉଥିବା ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଆବଶ୍ୟକ। ଏହାପୂର୍ବରୁ କଂଗ୍ରେସ ସାଂସଦ ଏମ ଜୱାଇଡ ମଧ୍ୟ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଏହି ମାମଲାରେ ଜଡିତ ଥିବା ଲୋକଙ୍କୁ ଆଇନ ଅନୁସାରେ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଥିଲେ।