ସଂସଦରେ ଆଲୋଚନା ପାଇଁ ପେଗାସସ୍ ସେଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନୁହଁ , କୋଭିଡ ବାବଦରେ ଉପରେ ବିତର୍କ ପାଇଁ ସରକାର ପ୍ରସ୍ତୁତ ଅଛନ୍ତି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ପେଗାସସ୍‌ ଜାସୁସିକୁ ନେଇ ଏବେ ସାରା ଦେଶ ପଡୁଛି ଉଠୁଛି। ସଂସଦର ଉଭୟ ଗୃହରେ ବିରୋଧୀ ଜୋରଦାର ହଙ୍ଗାମା କରୁଛନ୍ତି। ଗୃହ କାର୍ଯ୍ୟ ଏକ ପ୍ରକାର ଅଚଳ ହୋଇପଡିଛି। ଏପରି ପରିସ୍ଥିତିରେ ସମସ୍ତଙ୍କ ନଜର ଥିଲା ସରକାରଙ୍କ ଉପରେ। କିନ୍ତୁ କେନ୍ଦ୍ର ସରକାର ଶୁକ୍ରବାର ଦିନ ଏମିତି ଏକ ବୟାନ ଦେଇଛନ୍ତି ଯାହାକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି। ସରକାର ହାଲୁକା ଭାବେ କହି ଦେଇଛନ୍ତି ଯେ, ” ପେଗାସସ୍‌ ଗୋଟିଏ ପ୍ରସଙ୍ଗ ନୁହେଁ। ” ତେଣୁ ଏହା ଉପରେ ସଂସଦରେ ଆଲୋଚନା କରିବାର ଆବଶ୍ୟକତା ନାହିଁ, ସରକାର କେବଳ ସାଧାରଣ ଜନତାଙ୍କ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି। ସଂସଦର ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା କାରଣରୁ ସେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି। ବିରୋଧୀ ଦଳର ଆଚରଣକୁ ମନ୍ତ୍ରୀ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। 

ପେଗାସସ୍‌ ମାମଲା ସାମ୍ନାକୁ ଆସିବା ପରେ ବିରୋଧୀ ତଦନ୍ତ ଦାବି କରୁଛନ୍ତି ଏବଂ ଏହି ପ୍ରସଙ୍ଗରେ ସରକାରଙ୍କ ଠାରୁ ଜବାବ ମାଗୁଛନ୍ତି। ଏଥିଯୋଗୁ ଉଭୟ ଲୋକସଭା ଓ ରାଜ୍ୟସଭାରେ ହଟ୍ଟଗୋଳ ଦେଖାଯାଉଛି। ଚଳିତ ମୌସୁମୀ ଅଧିବେଶନର ଗୋଟିଏ ଦିନ ବି ଗୃହ କାର୍ଯ୍ୟ ସଠିକ୍‌ ଭାବେ ଚାଲି ପାରିନାହିଁ। ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଉଭୟ ଗୃହରେ ବିବୃତି ଉପସ୍ଥାପନ କରିଥିଲେ ହେଁ ବିରୋଧୀ କିନ୍ତୁ ଏଥିରେ ସନ୍ତୁଷ୍ଟ ହୋଇନାହାନ୍ତି।

ମନ୍ତ୍ରୀ କହିଛନ୍ତି ଯେ, ” ଆଇଟି ମନ୍ତ୍ରୀ ଉଭୟ ଗୃହରେ ପୂର୍ବରୁ ଏକ ବିସ୍ତୃତ ବିବରଣୀ ଦେଇଛନ୍ତି। ତେଣୁ ଏହି ପ୍ରସଙ୍ଗରେ ହଙ୍ଗାମା କରିବାର ଆବଶ୍ୟକତା ନାହିଁ। ନ୍ୟୁଜ ଏଜେନ୍ସି ପିଟିଆଇକୁ ସୂଚନା ଦେଇ ସେ କହିଛନ୍ତି “ଆମେ ଆଲୋଚନା ବିନା ବିଲ୍ ପାସ୍ କରିବାକୁ ଚାହୁଁ ନାହୁଁ।” ସଂସଦ କାର୍ଯ୍ୟ ସୁରୁଖୁରୁରେ ଚଳାଇବା ପାଇଁ ସରକାର ଚାହୁଁଛନ୍ତି ବୋଲି ସେ କହିଛନ୍ତି। ସଦନର ଉଭୟ ଗୃହରେ ଅଚଳାବସ୍ଥା ଜାରି ରହିବାରୁ ଗୃହ କାର୍ଯ୍ୟକୁ ସୋମବାର ଯାଏ ମୁଲତବୀ ଘୋଷଣା କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ ବରିଷ୍ଠ ସାମ୍ବାଦିକ ଏନ୍ ରାମଙ୍କ ଦ୍ୱାରା ଦାଖଲ କରାଯାଇଥିବା ଯାଚିକାକୁ ଶୁକ୍ରବାର ଦିନ ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି ଏନ.ବି ରମନ୍ନା ବେଞ୍ଚରେ ଦାଖଲ କରାଯାଇଥିଲା । ସୁପ୍ରିମ କୋର୍ଟର ବରିଷ୍ଠ ଓକିଲ ତଥା କଂଗ୍ରେସର ବରିଷ୍ଠ ନେତା କପିଲ ଶିବଲ ଶୁକ୍ରବାର ଦିନ ଏହି ମାମଲାକୁ ପ୍ରଧାନ  ବିଚାରପତିଙ୍କ ସାମ୍ନାରେ ରଖିଥିଲେ । ସୁପ୍ରିମକୋର୍ଟ ଆବେଦନ ସ୍ବୀକାର କରିଛନ୍ତି। ଏବଂ ଆଗାମୀ ସପ୍ତାହରେ ଏହି ମାମଲାର ଶୁଣାଣି ହେବ ବୋଲି କହିଛନ୍ତି ।

   ପ୍ରକାଶ ଥାଉକି ଅର୍ନ୍ତରାଷ୍ଟ୍ରୀୟ ଗଣମାଧ୍ୟମ ଦ୍ୱାରା ଏହି ମାମଲାର ଖୁଲାସା କରାଯାଇଥିଲା । ଏଥିରେ କୁହାଯାଇଥିଲା କି ଇସ୍ରାଏଲ ସଫ୍ଟୱେୟାର ପେଗାସସ୍ କୁ ବ୍ୟବହାର କରି ଭାରତ ସମେତ ବିଶ୍ୱର ଅନେକ ଦେଶର ପତ୍ରକାର, ନେତା ଓ ଅନ୍ୟ ବରିଷ୍ଠ ବ୍ୟକ୍ତିମାନଙ୍କୁ ଟାର୍ଗେଟ କରାଯାଉଛି  । ଏହି କ୍ରମରେ ଫୋନ ଟ୍ୟାପିଂ ମାମଲା ବି ସାମ୍ନାକୁ ଆସିଥିଲା ।

ଏହି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ଅନେକ ବିରୋଧୀଦଳ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଇସ୍ତଫା ଦାବି କରିଛନ୍ତି।

Related Posts