ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ ସଦସ୍ୟଙ୍କ ପିଏସଙ୍କ ଘରେ ଭିଜିଲାନ୍ସ ରେଡ୍ : ପୁଳା ପୁଳା ଟଙ୍କା ଜବତ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନର ସଦସ୍ୟଙ୍କ ପ୍ରାଇଭେଟ ସେକ୍ରେଟାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପିଏସ୍‌ ବିରଞ୍ଚି ସାହୁଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି ।

ନୀଳାଦ୍ରିବିହାର ବାସଭବନ ସମେତ କଟକ ଓ ଭୁବନେଶ୍ୱରରେ ମୋଟ ୬ଟି ସ୍ଥାନରେ ଏହି ରେଡ୍ କରାଯାଇଛି। ଭିଜିଲାନ୍ସ ରେଡ୍ ସମୟରେ ତାଙ୍କ ଘରୁ ପୁଳା ପୁଳା ଟଙ୍କା ଜବତ କରାଯାଇଛି । ଟଙ୍କା ସାଙ୍ଗକୁ ବିପୁଳ ପରିମାଣରେ ସୁନା ବି ଜବତ ହୋଇଛି।

୪ ଡିଏସପି, ୧୩ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କୁ ନେଇ ୩ଟି ଟିମ୍ ତାଙ୍କର ବିଭିନ୍ନ ସ୍ଥାନରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅନୁସନ୍ଧାନ କରୁଛନ୍ତି ।ଏହି ସମୟରେ ୨ଡବଲ୍ ମହଲା କୋଠା, ୯ଟି ପ୍ଲଟ୍ ଠାବ କରାଯାଇଛି। ସେହିପରି ତାଙ୍କ ଶାଳକଙ୍କ ଘରୁ ୧୩ ଲକ୍ଷ ଟଙ୍କା ଜବତ କରାଯାଇଛି। ସେ ୨ ଥର ବିଦେଶ ଗସ୍ତ କରିଥିବାର ଡକ୍ୟୁମେଣ୍ଟ ସାଙ୍ଗକୁ ଘରୁ ବିଦେଶୀ ନୋଟ୍ ମଧ୍ୟ ଠାବ କରାଯାଇଛି।

ଭିଜିଲାନ୍ସ ଏସ୍‌ପି ଆର୍‌. ପ୍ରକାଶ ସୂଚନା ଦେଇଛନ୍ତି ଯେ କଟକ ଓ ଭୁବନେଶ୍ୱରରେ ମୋଟ ୬ ସ୍ଥାନରେ ରେଡ୍ କରାଯାଇଛି। ଚଢ଼ାଉ ଜାରି ରହିଥିବା ବେଳେ ବିପୁଳ ପରିମାଣରେ ସୁନା ଓ ଟଙ୍କା ମିଳିଛି। ଏତେ ପରିମାଣର ଟଙ୍କା ଓ ସଂପତ୍ତି କେଉଁଠୁ ଆସିଲା, ସେନେଇ ତଦନ୍ତ ଏବେ ବି ଜାରି ରହିଛି। ଚାକିରି ପାଇଁ କୌଣସି ପରୀକ୍ଷାର୍ଥୀଙ୍କ ଠାରୁ ବିରଞ୍ଚି ସାହୁ ଲାଞ୍ଚ ନେଇଛନ୍ତି କି ନାହିଁ, ତା’ର ଅନୁସନ୍ଧାନ ହେବ।

Related Posts