(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଝାଡ଼ଖଣ୍ଡ ଧାନବାଦ ଜିଲ୍ଲା କୋର୍ଟର ଅତିରିକ୍ତ ଜଜ୍ ଉତ୍ତମ ଆନନ୍ଦଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ପ୍ରଥମେ ଏହାକୁ ଏକ ଦୁର୍ଘଟଣା ବୋଲି କୁହାଯାଉଥିଲା କିନ୍ତୁ ବର୍ତ୍ତମାନ ଘଟଣାର ସିସିଟିଭି ଫୁଟେଜରୁ ଜଣା ପଡ଼ିଛି ଯେ ଏହା ଏକ ହତ୍ୟା ହୋଇଥାଇ ପାରେ । ବୁଧବାର ଜଷ୍ଟିସ ଉତ୍ତମ ଆନନ୍ଦ ସକାଳୁ ଧାନବାଦରେ ମର୍ଣ୍ଣିଂ ୱାକ୍ କରୁଥିଲେ। ଏହି ସମୟରେ ପଛ ଆଡୁ ଏକ ଅଟୋ ରିକ୍ସା ଆସି ତାଙ୍କୁ ଧକ୍କା ଦେଇଥିଲା। ସେ ସେଠାରେ ରକ୍ତାକ୍ତ ହୋଇ ଖସିପଡିଥିଲେ। ତାଙ୍କୁ ସହିଦ ନିର୍ମଳ ମହତୋ ମେଡିକାଲ କଲେଜ ହସ୍ପିଟାଲ ନିଆଯାଇଥିଲା। ଏବଂ ସେଠାରେ ସେ ମୃତ୍ୟୁ ବରଣ କରିଥିଲେ।
ପରେ ଘଟଣାର ସିସିଟିଭି ଫୁଟେଜ ରୁ ସ୍ପଷ୍ଟ ହୋଇଛି ଯେ ଏହା କୌଣସି ଦୁର୍ଘଟଣା ନୁହେଁ ବରଂ ଉଦ୍ଦେଶ୍ୟମୂଳକ ଭାବେ ଅଟୋ ତାଙ୍କୁ ଧକ୍କା ଦେଇଥିଲା। ମିଳିଥିବା ସୂଚନା ମୁତାବକ ଧକ୍କା ହୋଇଥିବା ଅଟୋଟି ପୂର୍ବ ରାତିରେ ଚୋରି ହୋଇଯାଇଥିଲା ଏବଂ ଚୋରି ହେବାର ମାତ୍ର ତିନି ଘଣ୍ଟା ପରେ ଏହି ଘଟଣା ଘଟିଛି।
ସିସିଟିଭି ଫୁଟେଜରେ ସ୍ପଷ୍ଟ ଦେଖାଯାଉଛି ଯେ ଜଜ୍ ରାସ୍ତା କଡ଼ରେ ଚାଲି ଚାଲି ଯାଉଥିଲେ। ଏହି ସମୟରେ ପଛରୁ ଆସୁଥିବା ଅଟୋ ଟି ଖାଲି ରାସ୍ତା ଥିବା ସତ୍ତ୍ୱେ ଜଜ୍ ଙ୍କ ଆଡକୁ ଆସି ସଙ୍ଗେ ସଙ୍ଗେ ତାଙ୍କୁ ଧକ୍କା ଦେଇଥିଲା। ପୁରା ଘଟଣା ମାତ୍ର ଚାରି ସେକେଣ୍ଡ ମଧ୍ୟରେ ଘଟିଥିଲା । ବିଚାରପତିଙ୍କୁ ଧକ୍କା ଦେବା ପରେ ଅଟୋ ସେଠାରୁ ପଳାଇଥିବାବେଳେ ଜଜ୍ ସେଠାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଯାଇଥିଲେ। ଜଜ୍ ଆନନ୍ଦ ମୂଳତଃ ହରିବାଗ ଜିଲ୍ଲାର ବାସିନ୍ଦା ଥିଲେ।
ତାଙ୍କର ଧାନବାଦ୍ ସହରରେ ପୋଷ୍ଟିଂ ହୋଇଥିଲା। ଗ୍ୟାଙ୍ଗଷ୍ଟର ଅମନ ସିଂଙ୍କ ସମେତ 15 ରୁ ଅଧିକ ମାଫିଆଙ୍କ ମାମଲାର ଶୁଣାଣି ବିଚାରପତି ଉତ୍ତମ ଆନନ୍ଦ କରୁଥିଲେ । ଏବଂ ନିକଟରେ ସେ ଅନେକ ଗ୍ୟାଙ୍ଗଷ୍ଟରଙ୍କ ଜାମିନ ଆବେଦନ ଖାରଜ କରିଦେଇଥିଲେ। ଏହି ଘଟଣାରେ ତାଙ୍କ ପତ୍ନୀ ଅଜ୍ଞାତ ଲୋକଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛନ୍ତି।
ପୁଲିସ ମଧ୍ୟ ଏହି ଘଟଣାର କାରଣ ଜାଣିବା ପାଇଁ ଏକ ସ୍ପେଶାଲ ଇନଭେଷ୍ଟିକେସନ ଟିମ୍ ଗଠନ କରିଛି।ଏହି ପ୍ରସଙ୍ଗରେ ହାଇକୋର୍ଟର ମୁଖ୍ୟ ବିଚାରପତି ଜିଲ୍ଲା ପ୍ରଶାସନ ଏବଂ ପୁଲିସ ଅଧିକାରୀଙ୍କୁ ସମନ ଜାରି କରିଥିବା ସୂଚନା ମିଳିଛି। ଏହାର ସ୍ବର ଏବେ ସୁପ୍ରିମକୋର୍ଟରେ ମଧ୍ୟ ଉଠିଛି। ଆଇନଜୀବୀ ତଥା ପୂର୍ବତନ ସଲିସିଟର ଜେନେରାଲ ବିକାଶ ସିଂ ଏହି ପ୍ରସଙ୍ଗକୁ ସୁପ୍ରିମକୋର୍ଟରେ ଉଠାଇଛନ୍ତି।ପ୍ରଧାନ ବିଚାରପତି ଏନ ଭି ରମନ୍ନା କହିଛନ୍ତି, ସେ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସହ ଆଜି ସକାଳେ କଥା ହୋଇଛନ୍ତି। ହାଇକୋର୍ଟ ନିଜ ଆଡୁ ମାମଲା ରୁଜୁ କରି ସାରିଛି। ତେଣୁ ସୁପ୍ରିମକୋର୍ଟ ଏହି ମାମଲାରେ ଏବେ ହସ୍ତକ୍ଷେପ କରିବେ ନାହିଁ।