୧୧ ବିଶ୍ବବିଦ୍ୟାଳୟର ୧୮୩ ପ୍ରଫେସର ପଦବୀ ପାଇଁ ଆବେଦନ ଆହ୍ୱାନ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଉଚ୍ଚଶିକ୍ଷା ବିଭାଗ ନିୟନ୍ତ୍ରଣରେ ଆସୁଥିବା ୧୧ଟି ବିଶ୍ୱବିଦ୍ୟାଳୟରେ ୧୮୩ଜଣ ପ୍ରଫେସର ନିଯୁକ୍ତ ହେବେ । ଏଥିପାଇଁ ଆୟୋଗ ପକ୍ଷରୁ ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ ଆବେଦନ ଆହ୍ୱାନ କରାଯାଇଛି । ସଂଶୋଧିତ ବିଶ୍ୱବିଦ୍ୟାଳୟ ଆଇନ୍‍ ଆଧାରରେ ଗତ ମାର୍ଚ୍ଚ ମାସରୁ ରାଜ୍ୟ ସରକାର ଓଡିଶା ଲୋକସେବା ଆୟୋଗକୁ ପ୍ରଫେସର ପଦବୀ ପୂରଣ ପାଇଁ ଯୋଗ୍ୟପ୍ରାର୍ଥୀ ଚୟନ କରିବାକୁ କହିଥିଲେ ।

ଆବେଦନ କରିବାର ଶେଷ ତାରିଖ ହେଉଛି ସେପ୍ଟେମ୍ବର ୨୪। ୨୪ ତାରିଖ ସୁଦ୍ଧା ଇଚ୍ଛୁକ ଯୋଗ୍ଯ ପ୍ରାର୍ଥୀମାନେ ଏଥିପାଇଁ  ଆବେଦନ କରି ପାରିବେ । ତେବେ ଯେଉଁ ପ୍ରକ୍ରିୟା ମାଧ୍ୟମରେ ବିଭିନ୍ନ ବିଷୟ ଲାଗି ଏହି  ପ୍ରଫେସର ପ୍ରାର୍ଥୀ ଚୟନ କରାଯିବ, ଅନୁମାନ କରାଯାଉଛି ଯେ ଏହି ପ୍ରାର୍ଥୀ ଚୟନ ଶେଷ ହେବାବେଳକୁ ୨୦୨୨ ମଧ୍ୟଭାଗ ହୋଇଯାଇପାରେ। 

ତେବେ ଯେଉଁ ପ୍ରାର୍ଥୀ ମାନେ ବିଶ୍ୱବିଦ୍ୟାଳୟ କିମ୍ବା କଲେଜଗୁଡିକରେ ୧୦ବର୍ଷର ଶିକ୍ଷକତା କିମ୍ବା ଖ୍ୟାତି ସମ୍ପନ୍ନ ଗବେଷଣାଗାରରେ ଅନୁରୂପ ଅବଧିର ଗବେଷଣା ଅଭିଜ୍ଞତା ଥିବା ସେମାନେ ଏହି ପଦବୀ ପାଇଁ ଆବେଦନ କରିପାରିବେ । ତେବେ ଏହି ପଦବୀପାଇଁ ସର୍ବୋଚ୍ଚ ବୟସସୀମା ଧାର୍ଯ୍ୟ କରାଯାଇ ନାହିଁ କିନ୍ତୁ, ବିଶ୍ୱବିଦ୍ୟାଳୟ ପ୍ରଫେସରମାନଙ୍କର ବୟସ ଅବସର ଗ୍ରହଣ କରିବା ବୟସ ଠାରୁ ଆବେଦନକାରୀ ପ୍ରାର୍ଥୀଙ୍କ ବୟସ କମ୍‍ ହୋଇଥିବା ଆବଶ୍ୟକ ।

 ଆବେଦନକାରୀଙ୍କ ଶିକ୍ଷାଗତ ଯୋଗ୍ଯତା ଅତି କମ୍‍ରେ ପି.ଏଚ୍‍ଡି ହୋଇ ଥିବା ଆବଶ୍ୟକ । ଏହା ବ୍ୟତୀତ ଉକ୍ତ ପ୍ରାର୍ଥୀଙ୍କର ୧୦ କିମ୍ବା ଅଧିକ ଗବେଷଣା ନିବନ୍ଧ ପ୍ରକାଶ ପାଇଥିବା ଦରକାର। ଏବଂ ଗବେଷଣା ସ୍କୋର ଅତି କମ୍‍ରେ ୧୨୦ ଥିବା ଦରକାର । ବିଭିନ୍ନ ବିଶ୍ୱବିଦ୍ୟାଳୟରେ ପୂରଣ ହେବାକୁ ଥିବା ଏହି ୧୮୩ଟି ପ୍ରଫେସର ପଦବୀ ମଧ୍ୟରୁ ମହିଳାଙ୍କ ପାଇଁ ୨୪ଟି ପଦବୀ ସଂରକ୍ଷିତ ରଖାଯାଇଛି।  ବିଭାଗୀୟ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଅନ୍ୟ ବର୍ଗଗୁଡିକ ଲାଗି ରୋଷ୍ଟର ପଏଣ୍ଟ ଭାକେନ୍ସି ଆଧାରରେ ମଧ୍ୟ ସଂରକ୍ଷଣ ରଖାଯାଇଛି  ।

ବିଭିନ୍ନ ବିଷୟରେ ସର୍ବାଧିକ ୩୬ଟି ପ୍ରଫେସର ପଦବୀ ଉତ୍କଳ ବିଶ୍ୱବିଦ୍ୟାଳୟରେ ଭାକେନ୍ସି ବାହାରିଥିବା ବେଳେ  ରେଭେନ୍ସା ବିଶ୍ୱବିଦ୍ୟାଳୟରେ ୨୬, ଗଙ୍ଗାଧରମେହେର ବିଶ୍ୱବିଦ୍ୟାଳୟରେ ୧୯, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ୧୮, କଳାହାଣ୍ଡି ବିଶ୍ୱବିଦ୍ୟାଳୟରେ ୧୬ ଓ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ୧୫ଟି ପ୍ରଫେସର ପଦବୀ ପୂରଣ ପାଇଁ ଭାକେନ୍ସି ବାହାରିଛି। ସେହିପରି ସମ୍ବଲପୁର ବିଶ୍ୱବିଦ୍ୟାଳୟର ୧୩, ବ୍ରହ୍ମପୁର ଓ ଫକୀରମୋହ ବିଶ୍ୱବିଦ୍ୟାଳୟର ୧୨, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ୯ଟି ଓ ପୁରୀ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ୭ଟି ପ୍ରଫେସର ପଦବୀ ପୂରଣ ଲାଗି ପ୍ରକ୍ରିୟା ଚାଲିଛି ।

ଏତଦ୍ ବ୍ୟତୀତ ବିଭିନ୍ନ ବିଶ୍ୱବିଦ୍ୟାଳୟର ଆସୋସିଏଟ ପ୍ରଫେସର ଓ ଆସିଷ୍ଟାଣ୍ଟ ପ୍ରଫେସର ପଦବୀରେ ନିଯୁକ୍ତି ଲାଗି ଓଡିଶା ଲୋକସେବା ଆୟୋଗ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏଠାରେ ସୂଚନାଯୋଗ୍ୟ ଯେ ପୂର୍ବରୁ ମିତବ୍ୟୟିତା ଆଳରେ ସରକାର ପଦବୀ ଉଚ୍ଛେଦ ସହ ନିଯୁକ୍ତି ଉପରେ କଟକଣା ଜାରି କରାଯାଇଥିଲା ।

 ପରବର୍ତ୍ତୀ ସମୟରେ ବିଶ୍ୱବିଦ୍ୟାଳୟଗୁଡିକୁ ନିର୍ଦ୍ଦିଷ୍ଟ ସଂଖ୍ୟକ ଶିକ୍ଷକ ପଦବୀ ପୂରଣପାଇଁ ଅନୁମତି ଦିଆଯାଇଥିଲେ ମଧ୍ୟ ତ୍ରୁଟିପୂର୍ଣ୍ଣ ପଦ୍ଧତି ଯୋଗୁଁ ଆଇନ ପ୍ରକ୍ରିୟା ଚାଲିବାରୁ କେତେକ କ୍ଷେତ୍ରରେ ନିଯୁକ୍ତି ହୋଇପାରି ନାହିଁ । ଏବେ ଆୟୋଗର ସୁପାରିଶ ଭିତ୍ତିରେ ବିଶ୍ୱବିଦ୍ୟାଳୟଗୁଡିକ ପ୍ରଫେସର ପଦବୀ ପୂରଣ କରିବାକୁ ଯାଉଛନ୍ତି। 

Related Posts