(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ମଙ୍ଗଳବାର ରାଜଧାନୀ ଭୁବନେଶ୍ବର ସ୍ଥିତ କ୍ୟାପିଟାଲ ହାଇସ୍କୁଲରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଦଶମ ଅଫଲାଇନ୍ ପରୀକ୍ଷା ଫର୍ମପୂରଣ ନହୋଇ ପାରିବାରୁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ମା’ ପୁଅ । ୟୁନିଟ ୯ ଅଞ୍ଚଳର ଛାତ୍ର ଇମ୍ରାନ୍ ଖାନ୍ ଏବଂ ତାଙ୍କ ମା’ ଜାସ୍ମିନ୍ ଯଦି ସେ ପରୀକ୍ଷା ନଦେଇ ପାରନ୍ତି ତେବେ ଉଭୟ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଥିଲେ ।
କରୋନା ପାଇଁ ଚଳିତ ବିନା ପରୀକ୍ଷାରେ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ଏଥିରେ ଇମ୍ରାନଙ୍କ ୨୭୨ ନମ୍ବର ରହିଥିଲା । କିନ୍ତୁ ରେଜଲ୍ଟକୁ ନେଇ ଇମ୍ରାନ ଓ ତାଙ୍କ ମା ’ ଜସ୍ମିନ ଅସନ୍ତୁଷ୍ଟ ଥିଲେ । ଇମ୍ରାନଙ୍କ ମା ଆଶା କରିଥିଲେ ତାଙ୍କ ପୁଅ ଆହୁରି ଅଧିକ ମାର୍କ ରଖିଥାନ୍ତା । ଆଉ ଏଥିପାଇଁ ଅଫଲାଇନ୍ ପରୀକ୍ଷା ଦେବାକୁ ସ୍ଥିର କରିଥିଲେ । ଫର୍ମ ପୂରଣ କରିବାକୁ ସ୍କୁଲକୁ ଯାଇଥିଲେ ।
ସବୁ ପିଲାଙ୍କ ଆଡମିଟ୍ କାର୍ଡ ମିଳିବା ପରେ ଇମ୍ରାନ ଆଡମିଟ୍ କାର୍ଡ ଆଣିବାକୁ ସ୍କୁଲକୁ ଯାଇଥିଲେ । କିନ୍ତୁ ଇମ୍ରାନଙ୍କର ଆଡମିଟ୍ କାର୍ଡ ନଥିଲା । ସ୍କୁଲ କର୍ତ୍ତୃପକ୍ଷଙ୍କ କହିବା କଥା ହେଉଛି ସେ ଫର୍ମ ପୂରଣ କରି ନ ଥିଲେ। ଯାହାକୁ ନେଇ ଜସ୍ମିନ ଓ ତାଙ୍କ ପୁଅ ମଙ୍ଗଳବାର ଦିନ ସ୍କୁଲ ସମ୍ମୁଖରେ ଧାରଣାରେ ବସିଥିଲେ। ବିଷ ପିଇ ଆତ୍ମହତ୍ୟା କରିବେ ବୋଲି ମଧ୍ୟ ଚେତାବନୀ ଦେଇଥିଲେ । ଜସ୍ମିନଙ୍କ ଅଭିଯୋଗ ହେଉଛି ଯେ ସ୍କୁଲର ରେପୁଟେସନ୍ ଖରାପ ହୋଇଯିବ ବୋଲି ତାଙ୍କ ପୁଅର ଫର୍ମ ପୂରଣ କରାଯାଇନାହିଁ । ସେମାନଙ୍କ ଅବହେଳା ପାଇଁ ପୁଅର ଭବିଷ୍ୟତ ଖରାପ ହେବ ବୋଲି ସେ ଅଭିଯୋଗ କରିଛନ୍ତି ।
କିନ୍ତୁ ସ୍କୁଲ୍ କର୍ତ୍ତୃପକ୍ଷ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ପ୍ରଧାନ ଶିକ୍ଷକ ଅମର କୁମାର ବେହେରା କହିଛନ୍ତି ଯେ , ଇମ୍ରାନଙ୍କ ଫଳ ବାହାରିବା ପରେ କିଛି ଅଭିଭାବକ ଅସନ୍ତୋଷ ପ୍ରକାଶ କରିଥିଲେ । ସେମାନଙ୍କ ପିଲା ଅଫଲାଇନ୍ ପରୀକ୍ଷା ଦେବେ ବୋଲି ସ୍କୁଲକୁ ଆସିଥିଲେ । ଇମ୍ରାନ ଓ ତାଙ୍କ ମା ’ ମଧ୍ୟ ସେଥିରେ ଥିଲେ । କିନ୍ତୁ ସେମାନଙ୍କ ମଧ୍ୟରୁ କେବଳ ୪ ଜଣ ଫର୍ମପୂରଣ କରିଥିଲେ ।
ଇମ୍ରାନଙ୍କ ମା ’ ଘରେ କଥାବାର୍ତ୍ତା ହୋଇ ଫର୍ମ ପୂରଣ କରିବେ ବୋଲି କହିଥିଲେ । କିନ୍ତୁ ଫର୍ମ ପୂରଣ ଶେଷ ଦିନ ପର୍ଯ୍ୟନ୍ତ ଆଉ ସ୍କୁଲ୍ ଆସିଲେ ନାହିଁ । ତେଣୁ ସ୍କୁଲ୍ କର୍ତ୍ତୃପକ୍ଷଙ୍କର କୌଣସି ଭୁଲ ନାହିଁ ବୋଲି ସେ ଯୁକ୍ତି ବାଢିଛନ୍ତି। ତାରିଖ ଶେଷ ହୋଇଥିବା କାରଣରୁ ଏବେ ଆଉ ଫର୍ମ ପୂରଣ ହୋଇପାରିବ ନାହିଁ ବୋଲି ଶ୍ରୀ ବେହେରା କହିଛନ୍ତି । ଅପରପକ୍ଷରେ ଜସ୍ମିନ ଓ ଇମ୍ରାନଙ୍କ ଆତ୍ମହତ୍ୟା ଚେତାବନୀ ଖବରପାଇ ଘଟଣାସ୍ଥଳରେ ଖାରବେଳ ନଗର ଥାନା ପୋଲିସ ପହଞ୍ଚି ଉଭୟ ମା’ ପୁଅଙ୍କୁ ବୁଝାସୁଝା କଲାପରେ ଶାନ୍ତ ପଡିଥିଲା ପରିସ୍ଥିତି ।