(ସତ୍ୟପାଠ ବ୍ୟୁରେ) ଭୁବନେଶ୍ୱର : ଦେଶର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଭାରତ ସରକାର ନୂତନ ଜାତୀୟ ଶିକ୍ଷା ନୀତି (New Education Policy) ଆଣିଛନ୍ତି। ଦେଶରେ ଗବେଷଣା ପରିସଂସ୍ଥାନକୁ ଅଧିକ କ୍ରିୟାଶୀଳ ନୂଆ ଶିକ୍ଷା ନୀତି ଅନ୍ତର୍ଗତ ରାଷ୍ଟ୍ରୀୟ ଗବେଷଣା ଅନୁଷ୍ଠାନ(ଏନଆରଏଫ) ଗଠନ କରିବା ସହ ଆଗାମୀ ୫ ବର୍ଷ ମଧ୍ୟରେ ୫୦ ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରିବାର ଭାରତ ସରକାର ଲକ୍ଷ୍ୟ ରଖିଛନ୍ତି। ଏ ସମ୍ପର୍କରେ ଲୋକସଭାରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।
ମନ୍ତ୍ରୀ କହିଛନ୍ତି ଯେ ଦେଶରେ ଗବେଷଣା ପରିସଂସ୍ଥାନକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଭାରତ ସରକାର ଏକ ରାଷ୍ଟ୍ରୀୟ ଗବେଷଣା ଅନୁଷ୍ଠାନ ଗଠନ କରିବାକୁ ପ୍ରସ୍ତାବ ଦେଇଛନ୍ତି । ଏହି ଅନୁଷ୍ଠାନ ଗବେଷଣା ଏବଂ ବିକାଶ (Research and Development ), ଶିକ୍ଷାନୁଷ୍ଠାନ ଏବଂ ଶିଳ୍ପ ମଧ୍ୟରେ ଯୋଗସୂତ୍ର ରକ୍ଷା କରିବ । ଲୋକସଭାରେ କେନ୍ଦ୍ର ସରକାର ଦେଇଥିବା ସୂଚନା ମୁତାବକ ଆଗାମୀ ୫ ବର୍ଷ ମଧ୍ୟରେ ରାଷ୍ଟ୍ରୀୟ ଅନୁସନ୍ଧାନ ଫାଉଣ୍ଡେସନ ମାଧ୍ୟମରେ ୫୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାର ପ୍ରସ୍ତାବ ରହିଛି ।
ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଶିକ୍ଷାନୁଷ୍ଠାନ ବିଶେଷ ଭାବରେ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଗବେଷଣାକୁ ପ୍ରୋତ୍ସାହନ ଦେବା। ଏତଦ୍ ବ୍ୟତୀତ ଦେଶରେ ଗବେଷଣା ବ୍ୟବସ୍ଥାକୁ ଆହୁରି ଅଧିକ ସଦୃଢ଼ କରିବା । ରାଷ୍ଟ୍ରୀୟ ଗବେଷଣା ଅନୁଷ୍ଠାନ ସଂପୃକ୍ତ ମନ୍ତ୍ରଣାଳୟ, ବିଭାଗ ଏବଂ ସରକାରୀ ତଥା ଅଣସରକାରୀ ସଂସ୍ଥା ସହ ମିଳିତ ଭାବେ ଅଧିକ ପ୍ରଭାବୀ, ବୃହତ ଆକାରର ଏକାଧିକ ଗବେଷକ, ଏକାଧିକ ଅନୁଷ୍ଠାନ, ଅନ୍ତଃବିଷୟ ଗବେଷଣାକୁ ଅନୁଦାନ ଦେବା ସହ ସହଯୋଗ କରିବ ।
ଭାରତର ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ପାଇଁ ଦୀର୍ଘ ୩୪ ବର୍ଷ ପରେ ୨୯ ଜୁଲାଇ ୨୦୨୦ରେ କେନ୍ଦ୍ର ସରକାର ଜାତୀୟ ଶିକ୍ଷା ନୀତି,୨୦୨୦ ଘୋଷଣା କରିଥିଲେ । ଏହି ନୂତନ ଜାତୀୟ ଶିକ୍ଷା ନୀତିର ଲକ୍ଷ୍ୟ ଥିଲା ଦେଶର ଶିକ୍ଷା କ୍ଷେତ୍ରରେ ଏକ ବ୍ୟାପକ ପରିବର୍ତନ ଆଣିବା। ନୂତନ ଶିକ୍ଷା ନୀତିରେ ଶିକ୍ଷା କ୍ଷେତ୍ରରେ ଆଂଚଳିକ ଭାଷାକୁ ଅଗ୍ରାଧିକାର ଦେବାର ପ୍ରାବଧାନ ରହିଛି । ନୂତନ ଶିକ୍ଷା ନୀତି ଅନୁଯାୟୀ ମେଡ଼ିକାଲ ପ୍ରବେଶିକା ପାଇଁ ଅନୁଷ୍ଠିତ ନିଟ୍ ପରୀକ୍ଷା ୧୧ଟି ଭାଷାରେ ହେଉଥିବା ବେଳେ ଏବେ ଛାତ୍ରଛାତ୍ରୀମାନେ ୧୩ଟି ଭାଷାରେ ପରୀକ୍ଷା ଦେବେ । ସେହିପରି ପୂର୍ବରୁ ୩ଟି ଭାଷାରେ ଅନୁଷ୍ଠିତ ହେଉଥିବା ଜେଇଇ(ମେନ୍) ପରୀକ୍ଷା ବର୍ତମାନ ୧୩ଟି ଭାଷାରେ କରାଯିବ । ଯାହା ଦ୍ବାରାକି ଆଞ୍ଚଳିକ ଭାଷାର ଗୁରୁତ୍ବ ବଢିବ ।
ସେହିପରି ୨୦୨୧-୨୨ ଶିକ୍ଷା ବର୍ଷରେ ଏଆଇସିଟିଇ ସ୍ୱୀକୃତି ପ୍ରାପ୍ତ ଅନୁଷ୍ଠାନ ଗୁଡ଼ିକରେ ପରୀକ୍ଷାମୂଳକ ଭାବେ ୮ଟି ଆଂଚଳିକ ଭାଷାରେ ବୈଷୟିକ ଶିକ୍ଷା ପ୍ରଦାନ କରାଯିବାର ଲକ୍ଷ୍ୟ ରଖାଯାଇଛି । ସ୍ୱୟମ୍ ପ୍ଲାଟଫର୍ମ ଜରିଆରେ ଇଞ୍ଜିନିୟରିଂ ପାଠ୍ୟକ୍ରମ ପାଇଁ ଆଂଚଳିକ ଭାଷାରେ ଅନୁବାଦିତ ବିଷୟବସ୍ତୁ ପ୍ରସ୍ତୁତ କରାଯିବ । ଏହା ବିଜ୍ଞାନ, ଇଞ୍ଜିନିୟରିଂ ଏବଂ ପ୍ରଯୁକ୍ତିବିଦ୍ୟା, ମାନବିକ ଓ ସମାଜିକ ବିଜ୍ଞାନ, ଆଇନ, ମ୍ୟାନେଜମେଂଟ୍ ଭଳି ବିଷୟରେ ଏହି ପ୍ଲାଟଫର୍ମ ଅନଲାଇନ ପାଠ୍ୟକ୍ରମ ପ୍ରଦାନ କରିଆସୁଛି ।
ଅନ୍ୟ ପକ୍ଷରେ ଆଂଚଳିକ ଭାଷାରେ ଶିକ୍ଷାଦାନ କରିବାକୁ ଚାହୁଁଥିବା ଶିକ୍ଷାନୁଷ୍ଠାନ ଗୁଡ଼ିକ ପାଇଁ ଏଆଇସିଟିଇ ହ୍ୟାଣ୍ଡବୁକ୍ ପ୍ରସ୍ତୁତ କରିଛି । “ଏଆଇସିଟିଇ ଟ୍ରାନ୍ସଲେସନ ଅଟୋମେସନ ଆଟିଫିସେଲ ଇଂଟେଲିଜେନ୍ସ ଟୁଲ୍” ଗ୍ରାମାଂଚଳର ଛାତ୍ରଛାତ୍ରୀଙ୍କୁ ଇଂରାଜୀ ଭାଷାର ଅନଲାଇନ ପାଠ୍ୟକ୍ରମକୁ ଆଞ୍ଚଳିକ ଭାଷା ଯେପରିକି ହିନ୍ଦୀ, ବଙ୍ଗାଳୀ, ମରାଠି, ତେଲୁଗୁ, ତାମିଲ, ଗୁଜୁରାଟୀ, କନ୍ନଡ଼, ମାଲାୟାଲାମ, ପଞ୍ଜାବୀ, ଆସାମୀ, ଓଡ଼ିଆ ଭାଷାରେ ଅନୁବାଦ କରୁଛି ।
ସୂଚନାଯୋଗ୍ୟ ଯେ, ହରିୟାଣା ସରକାର ଏବଂ ଏଆଇସିଟିଇ ମଧ୍ୟରେ ହିନ୍ଦୀରେ ୧ ହଜାର ପୁସ୍ତକ ପ୍ରକାଶ କରିବା ପାଇଁ ଏମଓୟୁ ସ୍ୱାକ୍ଷରିତ କରାଯାଇଛି । ପ୍ରଥମ ବର୍ଷର ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କ ପାଇଁ ଥିବା ଷ୍ଟୁଡେଂଟ୍ ଇଣ୍ଡକ୍ସନ ପ୍ରୋଗ୍ରାମ(ଏସଆଇପି)କୁ ଆଂଚଳିକ ଭାଷାରେ ଉପଲବ୍ଧ କରାଯାଇଛି ବୋଲି ସଂସଦରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।