କେଉଁଠି ଶକ୍ତି ପ୍ରଦର୍ଶନ ତ ପୁଣି କେଉଁଠି ଚାଷୀଙ୍କ ମୁଦ୍ଦା, ମହାରାଷ୍ଟ୍ରରୁ ବେଙ୍ଗଲ ପର୍ଯ୍ୟନ୍ତ ବିଜେପିର ମୁଣ୍ଡ ବିନ୍ଧା ପାଲଟିଛି ଦଳୀୟ କନ୍ଦଳ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ବିଜେପିରେ ଦଳୀୟ କନ୍ଦଳ ଏବେ ବେଙ୍ଗଲରୁ ନେଇ ମହାରାଷ୍ଟ୍ର ପର୍ଯ୍ୟନ୍ତ ଉଗ୍ର ରୂପ ନେଇଛି। ବେଙ୍ଗଲ ବିଜେପିରେ ଦଳୀୟ କର୍ମୀ ଓ ନେତା ଖୋଲା ଖୋଲି ଅସନ୍ତୋଷ ପ୍ରକାଶ କରୁଛନ୍ତି। ଏସବୁ ଦଳୀୟ ଅସନ୍ତୋଷ ମଧ୍ୟରେ ନିକଟରେ ରାଜ୍ୟ ବିଜେପି ସଭାପତି ଦିଲୀପ ଘୋଷ ଦିଲ୍ଲୀ ଗସ୍ତରେ ଯାଇ ଶୀର୍ଷ ନେତୃତ୍ୱଙ୍କୁ ଭେଟିଥିଲେ। ମିଳିଥିବା ସୂଚନା ମୁତାବକ ଘୋଷ ଶୀର୍ଷ ନେତୃତ୍ୱଙ୍କୁ ସ୍ପଷ୍ଟ କରିଦେଇଛନ୍ତି ଯେ ଅନ୍ୟ ଦଳ ଛାଡି ଭାଜପାରେ ଯୋଗଦେଉଥିବା ନେତାଙ୍କୁ ସଙ୍ଗେ ସଙ୍ଗେ ବଡ ପଦ ନଦିଆଯାଉ। ଏହା ଦ୍ବାରା ଦଳରେ ଅସନ୍ତୋଷ ବୃଦ୍ଧି ପାଉଛି। ତାଙ୍କର ନିଶାନା ଥିଲା ଟିଏମସି ଛାଡି ବିଜେପିରେ ଯୋଗ ଦେଇଥିବା ଶୁଭେନ୍ଦୁ ଅଧିକାରୀଙ୍କ ଉପରେ। ଶୁଭେନ୍ଦୁ ଏବେ ବେଙ୍ଗଲ ବିଧାନସଭାରେ ବିରୋଧୀ ଦଳର ନେତା ଅଛନ୍ତି। ତେବେ ସଙ୍କଟ ଏତିକିରେ ସମାପ୍ତ ହୋଇ ନାହିଁ । 

     ନିର୍ବାଚନ ଫଳ ପ୍ରକାଶ ପାଇବ ପରେ ଟିଏମସି ଛାଡି ବିଜେପିରେ ଯୋଗଦେଇଥିବା ରାଜୀବ ବାନାର୍ଜୀ ମଧ୍ୟ  ସ୍ବର ଆଉ ପୂର୍ବ ପରି ତୀବ୍ର ନାହିଁ ।ସେହିପରି କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ବାଦ୍ ପଡିବା ପରେ ସାସଂଦ ବାବୁଲ ସୁପ୍ରିୟୋ ମଧ୍ୟ ସୋସିଆଲ ମିଡିଆରେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏତଦ୍ ବ୍ୟତୀତ ବିଷ୍ଣୁପୁର ସାସଂଦ ସୌମିତ୍ର ଖାନ୍ ମଧ୍ୟ ଶୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ ମୋର୍ଚ୍ଚା ଖୋଲି ଦେଇଛନ୍ତି। ନିକଟରେ ସେ ଭାରତୀୟ ଜନତା ଯୁବ ମୋର୍ଚ୍ଚା ପଦରୁ ଇସ୍ତଫା ଦେଇଥିଲେ। କିନ୍ତୁ ପରେ ଶୀର୍ଷ ନେତୃତ୍ୱଙ୍କ ହସ୍ତକ୍ଷେପ ପରେ ସେ ଶାନ୍ତ ହୋଇଥିଲେ। 

ପଞ୍ଜାବ :-

ପଞ୍ଜାବରେ ବିଜେପିକୁ ଶକ୍ତ ଧକ୍କା ଲାଗିଛି। କୃଷି ଆଇନକୁ ନେଇ ଦଳ ସେଠାରେ ବହୁତ ବଡ ବିରୋଧର ସମ୍ମୁଖୀନ ହେଉଛି। ପ୍ରଥମେ ଅକାଳୀ ଦଳ ଗଠବନ୍ଧନ ଛାଡି ଦେଲା। ପରେ ଦଳର ବହୁ ବଡ ବଡ ନେତା ଖୋଲା ଖୋଲି କୃଷି ଆଇନର ବିରୋଧ କଲେ। ଚାଷୀ ମାନେ ବିଜେପିକୁ ପଞ୍ଜାବରେ ବୟକଟ କରି ଦେଇଛନ୍ତି। ଦଳରେ ବିରୋଧ ଚରମ ସୀମାରେ ପହଞ୍ଚିଛି।

     ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଅନିଲ ଯୋଶୀ କୃଷି ଆଇନ ବିରୋଧରେ ବୟାନ ଦେବାରୁ ତାଙ୍କୁ ୬ ବର୍ଷ ପର୍ଯ୍ୟନ୍ତ ଦଳରୁ ନିଲମ୍ବିତ କରାଯାଇଛି। ସେପଟେ ଗତ ବର୍ଷ ଭାଜପା ଛାଡି ଆପ୍ ରେ ଯୋଗଦେଇଥିବା ମଲବିନ୍ଦର ସିଂ କହିଛନ୍ତି ଯେ ଆଗାମୀ ବିଧାନସଭା ନିର୍ବାଚନରେ ଦଳକୁ ଶକ୍ତ ଧକ୍କା ଲାଗିବ। 

କର୍ଣ୍ଣାଟକ :- 

    ପଞ୍ଜାବ ଏବଂ ବେଙ୍ଗଲ ପରି କର୍ଣ୍ଣାଟକ ବିଜେପିରେ ଦଳୀୟ କନ୍ଦଳ ବାଟରେ ପଡି ହାଟରେ ଗଡୁଛି । ମୁଖ୍ୟମନ୍ତ୍ରୀ ବି ଏସ ୟେଦୁରପ୍ପାଙ୍କ ବିରୋଧରେ ଦଳର ମନ୍ତ୍ରୀ ଏବଂ ସାସଂଦ ଖୋଲା ଖୋଲି ଚ୍ୟାଲେଞ୍ଜ କରୁଛନ୍ତି। ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଶୀର୍ଷ ନେତୃତ୍ୱ ଉପରେ ଦଳର ନେତା ଚାପ ପକାଉଛନ୍ତି। 

     ନିକଟରେ ଜଣେ ବିଜେପି ବିଧାୟକ ଅଭିଯୋଗ କରିଥିଲେ ଯେ ମୁଖ୍ୟମନ୍ତ୍ରୀ ତାଙ୍କ ଫୋନ୍ ଟ୍ୟାପିଂ କରୁଛନ୍ତି। ଅନେକ ନେତା ୟେଦ୍ୟୁରପ୍ପା ମୁଖ୍ୟମନ୍ତ୍ରୀ ହୋଇ ଠିକ୍ ଭାବରେ ଦାୟିତ୍ୱ ନିର୍ବାହ କରିପାରୁ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି। ଏବଂ ଦୁର୍ନୀତି ଏବଂ ପ୍ରଶାସନରେ ତାଙ୍କ ପରିବାରର ହସ୍ତକ୍ଷେପ ଅଭିଯୋଗରେ ଟାର୍ଗେଟ କରିଛନ୍ତି। 

    ଏହାବାଦ ବିଭିନ୍ନ କାମ ବିନା ଟେଣ୍ଡରରେ ଚିହ୍ନା ପରିଚୟ ଲୋକଙ୍କୁ ଦିଆଯାଉଛି ବୋଲି ଦଳୀୟ ନେତା ଅଭିଯୋଗ କରିଥିଲେ। ଦଳର ଅନ୍ୟ ଏକ ଗୋଷ୍ଠୀ ୭୯ ବର୍ଷିୟ ୟେଦୁରୁପ୍ପାଙ୍କୁ ତାଙ୍କ ବୟସ ତଥା ୨୦୨୩ ବିଧାନସଭା ନିର୍ବାଚନରେ ​​ଏକ ନୂତନ ମୁଖ୍ୟମନ୍ତ୍ରୀ ପ୍ରୋଜେକ୍ଟ କରିବାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ହଟାଇବାକୁ ଦାବି କରିଛନ୍ତି।

      ଏସବୁ ସଙ୍କଟ ମଧ୍ୟରେ ୟେଦୁରପ୍ପା ଦିଲ୍ଲୀ ଗସ୍ତରେ ଆସି ଶୀର୍ଷ ନେତୃତ୍ୱଙ୍କୁ ଭେଟିଥିଲେ ସୁଦ୍ଧା କୌଣସି ସମାଧାନର ବାଟ ବାହାରି ନାହିଁ। ତାଙ୍କର ଇସ୍ତଫା ଦେବା ନେଇ ଚର୍ଚ୍ଚା ଜୋର ଧରିଥିଲା। କିନ୍ତୁ  ଇସ୍ତଫା ଦେବା ଖବରର କୌଣସି ସତ୍ୟତା ନାହିଁ ବୋଲି ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରପ୍ପା କହିଛନ୍ତି। 

ମହାରାଷ୍ଟ୍ର :- 

ମୋଦୀ ୨.୦ରେ ହୋଇଥିବା ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପରେ ମହାରାଷ୍ଟ୍ର ବିଜେପିରେ ଆଭ୍ୟନ୍ତରିଣ ଅସନ୍ତୋଷ ଦେଖାଦେଇଛି। ଦିବଙ୍ଗତ ବିଜେପି ନେତା ଗୋପୀନାଥ ମୁଣ୍ଡେଙ୍କ ଝିଅ ତଥା ମହାରାଷ୍ଟ୍ରର ଜଣେ ବଡ ଓବିସି ଚେହେରା ପଙ୍କଜା ମୁଣ୍ଡେ ମଧ୍ୟ ନାରାଜ ଥିବା ଜଣାପଡିଛି। ତାଙ୍କ ଭଉଣୀ ତଥା ବିଡ଼ ଜିଲ୍ଲାରୁ ନିର୍ବାଚିତ ସାଂସଦ ପ୍ରିତମ ମୁଣ୍ଡେ ଖଡେଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ନମିଳିବା ପରେ ତାଙ୍କ ସମର୍ଥକ ମାନେ ଦଳ ବିରୋଧରେ ପ୍ରଦର୍ଶନ କରିଥିଲେ। ପରେ ମୁଣ୍ଡେ ତାଙ୍କୁ ବୁଝାଇ ଶାନ୍ତ କରିଦେଇଥିଲେ। 

 ପୂର୍ବରୁ ଦଳର ଅସନ୍ତୁଷ୍ଟ ପଦାଧିକାରୀଙ୍କ ମଧ୍ୟରେ ବିଡ଼ ଜିଲ୍ଲା ପରିଷଦ, ପଞ୍ଚାୟତ ସମିତି ଓ ଜଣେ କର୍ପୋରେଟର ମଧ୍ୟ ଇସ୍ତଫା ପ୍ରଦାନ ଲାଗି ଧମକ ଦେଇଥିଲେ।  ତେବେ ବିଜେପି ଜାତୀୟ ସାଧାରଣ ସମ୍ପାଦକ ପଙ୍କଜା ମୁଣ୍ଡେ ତାଙ୍କ ଭଉଣୀ ଓ ପ୍ରିତମଙ୍କୁ ମନ୍ତ୍ରୀ ପରିଷଦରେ ସାମିଲ କରା ନଯିବାରୁ ଅସନ୍ତୁଷ୍ଟଥିବା ଖବରକୁ ଖଣ୍ଡନ କରିଛନ୍ତି। 

Related Posts