ମ୍ୟୁଜିକ୍ କମ୍ପାନୀ ଟି-ସିରିଜର ମୁଖ୍ୟ ଭୂଷଣ କୁମାରଙ୍କ ବିରୋଧରେ ଦୁଷ୍କର୍ମ ମାମଲା : ରିପୋର୍ଟ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଟି-ସିରିଜ୍ କମ୍ପାନୀର ମ୍ୟାନେଜିଂ ଡାଇରେକ୍ଟର ଭୂଷଣ କୁମାରଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ କଲା ମୁମ୍ବାଇ ପୋଲିସ । ଅଭିଯୋଗ ହୋଇଛି ଯେ, ଭୁଷଣ ଟି-ସିରିଜ୍‌ର ପ୍ରୋଜେକ୍ଟରେ କାମ ଦେବା ବାହାନାରେ ଜଣେ ୩୦ ବର୍ଷୀୟ ଯୁବତୀଙ୍କୁ ଦୁଷ୍କର୍ମ କରିଛନ୍ତି। କାମ ଦେବା ବାହାନାରେ ଭୂଷଣ କୁମାର ଶାରିରୀକ ଶୋଷଣ କରିଥିବା ନେଇ ମହିଳା ଜଣକ ଅଭିଯୋଗ କରିଛନ୍ତି। ମହିଳାଙ୍କ ଅଭିଯୋଗ ଆଧାରରେ ଆନ୍ଧେରି (ପଶ୍ଚିମ) ର ଡିଏନ୍ ନାଗର ପୋଲିସ୍ ଷ୍ଟେସନରେ ଏହି ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି । ତେବେ ଏହି କଥିତ ଅପରାଧ କେବେ ଘଟିଲା ସେ ସମ୍ପର୍କରେ ପୋଲିସ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। 

 ଅଭିଯୋଗ ଅନୁଯାୟୀ ଭୂଷଣ କୁମାର ନିଜ କମ୍ପାନୀର କିଛି ପ୍ରୋଜେକ୍ଟରେ ତାଙ୍କୁ ଚାକିରି ଯୋଗାଇଦେବା ଆଳରେ  ମହିଳାଙ୍କୁ ବଳାତ୍କାର କରିଥିଲେ ବୋଲି ପୋଲିସ ନ୍ୟୁଜ୍ ଏଜେନ୍ସି ପିଟିଆଇକୁ କହିଛନ୍ତି। ମହିଳା ଜଣକ କହିଛନ୍ତି ଯେ ତାଙ୍କୁ ପ୍ରତାରଣା କରାଯାଇଛି ତେଣୁ ସେ ପୋଲିସ ନିକଟକୁ ଯାଇଥିଲେ।

 ସୂଚନା ଅନୁଯାୟୀ ଭୂଷଣ କୁମାରଙ୍କ ବିରୋଧରେ ଭାରତୀୟ ଦଣ୍ଡ ସଂହିତା ଧାରା 376 (ବଳାତ୍କାର), 420 (ପ୍ରତାରଣା), 506 (ଅପରାଧିକ ଧମକ) ଆଧାରରେ ମାମଲା ରୁଜୁ ହୋଇଛି।

ଭୂଷଣ କୁମାର ଟି-ସିରିଜର ମ୍ୟାନେଜିଂ ଡାଇରେକ୍ଟର ସାଙ୍ଗକୁ ବହୁ ବଡ ବଡ ଫିଲ୍ମ ପ୍ରଡକ୍ସନ ହାଉସର କାମ ମଧ୍ୟ ଦେଖନ୍ତି। ସେ ଭୂଲ ଭୁଲେୟା, ଆଶିକି-୨, ସନମରେ, ଅଲ୍ ଇଜ୍ ଓ୍ବେଲ, ସରବଜିତ୍, ବାଦଶାହ, ତୁମହାରୀ ସୁଲୁ, ଭାରତ ଓ ସତ୍ୟମେବ ଜୟତେ ଭଳି ବହୁ ଫିଲ୍ମର ପ୍ରଡକ୍ସନ କରିଛନ୍ତି। 

ଟି-ସିରିଜ୍ ହେଉଛି ଏକ ମ୍ୟୁଜିକ୍ ରେକର୍ଡ ଲେବଲ୍ ଏବଂ ଫିଲ୍ମ ପ୍ରଡକ୍ସନ କମ୍ପାନୀ ଯାହା ଗୁଲଶାନ୍ କୁମାରଙ୍କ ଦ୍ବାରା ପ୍ରତିଷ୍ଠିତ। ଗୁଲସନ କୁମାର ‘କ୍ୟାସେଟ୍ କିଙ୍ଗ’ ଭାବରେ ମଧ୍ୟ ଜଣାଶୁଣା। 1997 ମସିହାରେ ମୁମ୍ବାଇର ଆନ୍ଧେରୀରେ ତାଙ୍କୁ ହତ୍ୟା କରାଯାଇଥିଲା।

Related Posts