(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ପଶ୍ଚିମବଙ୍ଗର ବହୁଚର୍ଚ୍ଚିତ ନନ୍ଦିଗ୍ରାମ ବିଧାନସଭା ଆସନର ଫଳାଫଳକୁ ଚ୍ୟାଲେଞ୍ଜ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତରଫରୁ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା। ଏଥିରେ ନନ୍ଦିଗ୍ରାମ ଭୋଟ୍ ଗଣତିକୁ ନେଇ ପ୍ରଶ୍ନ ଉଠାଇବା ସହ ପୁନଃ ଗଣତି ପାଇଁ ଦାବି କରାଯାଇଥିଲା। ଏହି ପିଟିସନର ଶୁଣାଣି କରି ହାଇକୋର୍ଟ ବିଜେପି ବିଧାୟକ ଶୁଭେନ୍ଦୁ ଆଦିକାରୀଙ୍କୁ ନୋଟିସ ଜାରି କରିଛନ୍ତି। ବର୍ତ୍ତମାନ ଏହି ମାମଲାର ପରବର୍ତ୍ତୀ ଶୁଣାଣି ୧୨ ଅଗଷ୍ଟ ୨୦୨୧ ରେ ହେବ।
ନିର୍ବାଚନ ସହ ଜଡିତ ସମସ୍ତ ଡକ୍ୟୁମେଣ୍ଟକୁ ସୁରକ୍ଷିତ ରଖିବା ପାଇଁ ନିର୍ଦ୍ଦେଶ
ମମତା ବାନାର୍ଜୀ ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଆସନରୁ ନିର୍ବାଚନ ଲଢିଥିଲେ, କିନ୍ତୁ ନିର୍ବାଚନ ପୂର୍ବରୁ ଟିଏମସି ଛାଡି ବିଜେପିକୁ ଯାଇଥିବା ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ପରାସ୍ତ ହୋଇଥିଲେ। ତେବେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ମମତା ବାନାର୍ଜୀ ଭୋଟ୍ ଗଣତିକୁ ନେଇ ପ୍ରଶ୍ନ ଉଠାଇବା ସହ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ନିର୍ବାଚନରେ ବ୍ୟବହୃତ ଇଭିଏମ, ବାଲେଟ ପେପର ଓ ଏହା ସହ ଜଡ଼ିତ ସମସ୍ତ ଦସ୍ତାବିଜ ଏବଂ ଭିଡିଓ ରେକର୍ଡିଂକୁ ସଂରକ୍ଷିତ ରଖିବାକୁ ଆଜି କୋଲକାତା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତ। ଏଥିସହ ବିଜେପି ବିଧାୟକ ଶୁଭେନ୍ଦୁ ଅଧିକାରୀଙ୍କୁ ମଧ୍ୟ କୋର୍ଟ ନୋଟିସ ଜାରି କରିଛନ୍ତି।
ମମତା ବାନାର୍ଜୀ କୋର୍ଟରେ ହାଜର ହୋଇପାରନ୍ତି – ଓକିଲ
ଏହି ସମୟରେ ମମତା ବାନାର୍ଜୀଙ୍କ ପକ୍ଷରୁ କୋର୍ଟରେ ହାଜର ହୋଇଥିବା ଓକିଲ କହିଛନ୍ତି ଯେ ସେ କେଉଁ ଆଧାରରେ ଏହି ଆବେଦନ କରିଛନ୍ତି। ସେ କୋର୍ଟଙ୍କୁ ଏହା ମଧ୍ୟ କହିଛନ୍ତି ଯେ ଆବେଦନକାରୀ ନିଜେ କୋର୍ଟରେ ହାଜର ହୋଇପାରନ୍ତି। ଗତ ଶୁଣାଣି ସମୟରେ ଆବେଦନକାରୀ କୋର୍ଟରେ ଉପସ୍ଥିତ ଥିଲେ କି ନାହିଁ ବୋଲି ଯେତେବେଳେ ଜଜ୍ ପଚାରିଥିଲେ, ମମତାଙ୍କ ଓକିଲ କହିଛନ୍ତି ଯେ ହଁ, ସେ ଗତ ଶୁଣାଣିରେ କୋର୍ଟରେ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ମମତାଙ୍କ ଏହି ଆବେଦନର ଶୁଣାଣି ଜଷ୍ଟିସ କୌଶିକ ଚନ୍ଦ୍ରାଙ୍କ ଖଣ୍ଡପୀଠରେ ହେବାର ଥିଲା। କିନ୍ତୁ ବିଜେପି ସହ ଜଷ୍ଟିସ କୌଶିକଙ୍କ ଲିଙ୍କ୍ ରହିଛି ବୋଲି ମମତା ଅଭିଯୋଗ କରିଥିଲେ। ଏହାପରେ ସେ ନିଜ ଆଡ଼ୁ ଶୁଣାଣିରୁ ଓହରି ଯାଇଥିଲେ। ଏହି ମାମଲାରେ ମମତାଙ୍କ ଉପରେ ୫ ଲକ୍ଷ ଟଙ୍କାର ଜୋରିମାନା ଲାଗୁ ହୋଇଥିଲା। ଜଷ୍ଟିସ କୌଶିକ ଶୁଣାଣିରୁ ଓହରି ଯିବାରୁ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ରାଜେଶ ବିନ୍ଦଲଙ୍କ ନିର୍ଦ୍ଦେଶକ୍ରମେ ଜଷ୍ଟିସ ଶମ୍ପା ସରକାର ଏହି ମାମଲାର ଶୁଣାଣି କରିଛନ୍ତି।