(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ” ଗଙ୍ଗା ନଦୀକୁ ଚାହିଁ ପୁଅ ମୁଣ୍ଡରେ ହାତ ଥୋଇ ରାଣ ଖାଇ କୁହ, ବିଜେପିକୁ ଭୋଟ୍ ଦେଇଥିଲ। ତାହାଲେ ସାଙ୍ଗେ ସାଙ୍ଗେ ବିଜୁଳି ସଂଯୋଗ କରି ଦେବି।” ଏହି ଶବ୍ଦ ହେଉଛି ଜଣେ ବିଜେପି ବିଧାୟକଙ୍କର । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଏହି ଘଟଣା ହେଉଛି ଉତ୍ତର ପ୍ରଦେଶ ଶାହାଜହାନପୁର ଜିଲ୍ଲା କଟରା ନିର୍ବାଚନୀ ମଣ୍ଡଳୀର। ଏଠାରେ ବିଧାୟକ ଅଛନ୍ତି ବିଜେପିର ବୀର ବିକ୍ରମ ସିଂ।
ବିଧାୟକ ମହୋଦୟ ନାଗଲା ଇବ୍ରାହିମ ଗ୍ରାମରେ ବୃକ୍ଷରୋପଣ ସମାରୋହରେ ଯୋଗଦେଇଥିଲେ । ଏହି ଅବସରରେ ଜଣେ ଗ୍ରାମବାସୀ ବିଧାୟକଙ୍କୁ ଲାଇଟ୍ ଲଗାଇବାକୁ ଦାବି କରିଥିଲେ । ଏତିକି କଥାରେ ରାଗିଯାଇଥିଲେ ବିଜେପି ବିଧାୟକ । ବିଧାୟକ ବିକ୍ରମ ସିଂ ଗ୍ରାମବାସୀଙ୍କୁ ପଚାରିଥିଲେ ଯେ ଆପଣ କଣ ବିଜେପିକୁ ଭୋଟ ଦେଇଛନ୍ତି । ଯଦି ଭୋଟ ଦେଇନ ତାହାଲେ ଆମେ ଲାଇଟ୍ ଦେବୁ ନାହିଁ । ମୋ ଠାରୁ ଅଧିକ କାମ ଆଶା କରନ୍ତୁ ନାହିଁ । ଯଦି କିଛି ଦେଇଥାନ୍ତ ତେବେ କିଛି ଆଶା କରିଥାନ୍ତ । ବିଧାୟକ ଗ୍ରାମବାସୀଙ୍କୁ କହିଥିଲେ ଯେ ତୁମେ ଗଙ୍ଗା ନଦୀକୁ ଚାହିଁ ତୁମ ପୁଅ ମୁଣ୍ଡରେ ହାତ ରଖି ରାଣ ଖାଇ କହିଲ ତମେ ବିଜେପିକୁ ଭୋଟ ଦେଇଛ । ଯଦି ଭୋଟ୍ ଦେଇଛ ବୋଲି ରାଣ ଖାଇବ ତେଵେ , ମୁଁ ବର୍ତ୍ତମାନ ତୁମେ ରହୁଥିବା ସ୍ଥାନରେ ଲାଇଟ୍ ବ୍ୟବସ୍ଥା କରିବି । ଯଦି ତୁମେ ଭୋଟ୍ ଦେଇଥାନ୍ତ, ତେବେ ତୁମର ଛାତିରେ ଚଢିବାର ଅଧିକାର ପାଇବ।’
ତେବେ ବିଧାୟକ ମହୋଦୟ ଏତିକିରେ ଅଟକି ନଥିଲେ। ସେ ଗ୍ରାମବାସୀଙ୍କୁ ଆହୁରି ମଧ୍ୟ କହିଛନ୍ତି ଯେ , ‘ଆମକୁ ବୋକା ବନାଇବାକୁ ଚେଷ୍ଟା କର ନାହିଁ… ଆମ ବାପା ଚାରିଥର ବିଧାୟକ ଥିଲେ। ଆମେ ବିଧାୟକ ହେଲୁ। ଏମିତି କିଏ କେବେ ହୋଇଛି । ପ୍ରତ୍ୟେକ ବୁଥରେ କିଏ ଆମକୁ ଭୋଟ୍ ଦେଇଛନ୍ତି ତାହା ଆମେ ଜାଣିନାହୁଁ କି ? ତୁମେ ଯଦି ଆମକୁ ଭୋଟ୍ ଦେଇଥାନ୍ତ ଆଉ ଯଦି ଆମେ ତୁମକୁ ଲାଇଟ୍ ଦେଇ ନ ଥା’ନ୍ତ, ତେବେ ତୁମେ ଆମକୁ କହିଥାନ୍ତ। ‘
ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ବିଧାୟକ ବୀର ବିକ୍ରମ ସିଂ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ ଗ୍ରାମବାସୀ ତାଙ୍କ ଘରେ ଲାଇଟ୍ ଲଗାଇବାକୁ ଚାପ ପକାଉଛନ୍ତି। ସେହି ଲାଇଟର ଦାମ୍ 10 ଲକ୍ଷ ଟଙ୍କା। ଏଭଳି ପରିସ୍ଥିତିରେ ସରକାରଙ୍କ ଯୋଜନା ଅନୁଯାୟୀ ଏହି ଲାଇଟ୍ କେବଳ ସର୍ବସାଧାରଣ ସ୍ଥାନରେ ଲଗାଯିବ ।
ଏହିଘଟଣାରେ କାଟ୍ରା ନିର୍ବାଚନମଣ୍ଡଳୀର ପୂର୍ବତନ ସମାଜବାଦୀ ପାର୍ଟି ବିଧାୟକ ରାଜେଶ ଯାଦବ କହିଛନ୍ତି ଯେ ନିର୍ବାଚନରେ ଜିତିବା ପରେ ବିଧାୟକ ସମସ୍ତଙ୍କର ହୋଇଥାନ୍ତି। କିଏ ଭୋଟ୍ ଦେଇଛନ୍ତି ଏବଂ କିଏ ଦେଇନାହାଁନ୍ତି, ନିର୍ବାଚନ ଜିତିବା ପରେ ଏହା ଦେଖାଯାଏ ନାହିଁ ।