WHO ରୁ ଆସିଲା ଭୟଙ୍କର ଚେତାବନୀ; ଡେଲଟା ଭାରିଏଣ୍ଟ ନେବ ଭୟାନକ ରୂପ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ସାରା ବିଶ୍ୱରେ ଏବେବି କୋଭିଡ୍ ମହାମାରୀର ଆତଙ୍କ ଜାରି ରହିଛି। ଏହା ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଟେଡ୍ରୋସ ଆଡାନୋମ ଗେବ୍ରେଏସ ଚେତାବନୀ ଦେଇ କହିଛନ୍ତି ଯେ, ବିଶ୍ୱ ବର୍ତ୍ତମାନ କୋଭିଡ -19 ମହାମାରୀର ଏକ “ବିପଜ୍ଜନକ ସମୟ” ଦେଇ ଗତି କରୁଛି। ‘ହୁ’ ର ମହାନିର୍ଦ୍ଦେଶକ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଡେଲଟା ଭାରିଏଣ୍ଟ ଦିନକୁ ଦିନ ବିପଜ୍ଜନକ ହେଉଥିବା ବେଳେ ଏହା ମୁଟେଣ୍ଟ ହେବାରେ ଲାଗିଛି। ଯେଉଁ ସବୁ ଦେଶରେ ଏହା ଚିହ୍ନଟ ହୋଇଛି ସେଠାରେ ପୂର୍ବାପେକ୍ଷା ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଛି ଓ ଅଧିକରୁ ଅଧିକ ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ୁଛି। ତେଣୁ ଏହାର ନିରନ୍ତର ମୂଲ୍ୟାଙ୍କନ ସହ ଜନ ସ୍ଵାସ୍ଥ୍ୟ ସେବାରେ ସଂଶୋଧନର ଆବଶ୍ୟକତା ରହିଛି । WHO ମୁଖିଆ ଚେତାବନୀ ଦେଇଛନ୍ତି ଯେ ଭାରତରେ ପ୍ରଥମେ ଚିହ୍ନଟ ହୋଇଥିବା ଏହି ଡେଲଟା ଭାରିଏଣ୍ଟ୍ ଖୁବ୍ ଶୀଘ୍ର ବିଶ୍ବର ଅନ୍ୟ ଦେଶ ଗୁଡିକରେ ବ୍ୟାପିବାରେ ଲାଗିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ କମ୍ ଟୀକାକରଣ ହେଉଥିବା ଦେଶ ଗୁଡିକରେ ଡାକ୍ତରଖାନା ଗୁଡ଼ିକରେ ପୁଣି ଥରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। WHO, ଜୁନ୍ ୨୯ ରେ ଜାରି କରିଥିବା କୋଭିଡ୍ -19 ର ସାପ୍ତାହିକ ଏପିଡେମୋଲୋଜିକାଲ୍ ଅପଡେଟ୍ ରେ କହିଛି ଯେ ଡେଲଟା ଷ୍ଟ୍ରେନ ଅଧିକ ସଂକ୍ରାମକ ହେତୁ ଏହା ଅନ୍ୟ ଭାରିଏଣ୍ଟ ଗୁଡିକ ଠାରୁ ଅଧିକ ମାରାତ୍ମକ ବୋଲି ଆଶା କରାଯାଉଛି। ସଂକ୍ରମଣ ବିସ୍ତାରକୁ ରୋକିବା ପାଇଁ କଡା କଟକଣା ଲାଗୁ କରିବାକୁ ହୁ ପକ୍ଷରୁ ଚେତାବନୀ ଦିଆଯାଇଛି । ଜୁନ୍ 23 ରେ, ୟୁରୋପୀୟ ରୋଗ ନିରାକରଣ ଏବଂ ନିୟନ୍ତ୍ରଣ କେନ୍ଦ୍ର ସୂଚାଇ ଦେଇଛି ଯେ ଆସନ୍ତା ମାସରେ ୟୁରୋପୀୟ ୟୁନିଅନରେ ୯୦ ପ୍ରତିଶତ ନୂତନ ମାମଲା ଡେଲଟା ଭାରିଏଣ୍ଟ ହୋଇପାରେ। ତେଣୁ WHO ମୁଖ୍ୟ ଶୁକ୍ରବାର ଦିନ କହିଛନ୍ତି ଯେ ଅମ୍ଳଜାନ, ଟେଷ୍ଟିଂ, ଚିକିତ୍ସା ଏବଂ ଟିକାକାରଣର ମାତ୍ରା ବୃଦ୍ଧି କରିବା ଉଚିତ । ବିଶ୍ବର ନେତାମାନଙ୍କୁ ମିଳିତ ଭାବରେ କାର୍ଯ୍ୟ କରିବାକୁ ସେ ଅନୁରୋଧ କରିଛନ୍ତି। ଆସନ୍ତା ବର୍ଷ ସୁଦ୍ଧା ଏହି ସମୟରେ ପ୍ରତ୍ୟେକ ଦେଶର ୭୦% ଲୋକଙ୍କୁ ଟୀକାକରଣ କରାଯିବାର ଆବଶ୍ୟକତା ରହିଛି । ଏବଂ ସେପ୍ଟେମ୍ବର ଶେଷ ସୁଦ୍ଧା ଜନସଂଖ୍ୟାର ଅତିକମରେ ୧୦% ଲୋକଙ୍କୁ ଟୀକାକରଣ ନିଶ୍ଚିତ କରିବାକୁ ହୁ ମୁଖିଆ ସମସ୍ତ ଦେଶକୁ ଅନୁରୋଧ କରିଛନ୍ତି। ଗତ ୨୪ ଘଣ୍ଟାରେ ଦେଶରେ ୪୪,୧୧୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହ ଏହି ଅବଧି ମଧ୍ୟରେ ୭୩୮ ଜଣଙ୍କର ମୃତ୍ୟୁ ରିପୋର୍ଟ ଆସିଥିବା ବେଳେ ୫୭,୪୭୭ ଜଣ ଆରୋଗ୍ୟ ହୋଇଛନ୍ତି। ନୂଆ ଆରୋଗ୍ୟ ସଂଖ୍ୟାକୁ ମିଶାଇଲେ ଦେଶରେ ଏବେ ସୁଦ୍ଧା ୨,୯୬,୦୫,୭୭୯ ଜଣ ଆରୋଗ୍ୟ ହୋଇଛନ୍ତି। ତେବେ ବିଗତ ୫୧ ଦିନ ହେବ ଲଗାତର ଦୈନିକ ସଂକ୍ରମିତଙ୍କ ତୁଳନାରେ ଆରୋଗ୍ୟ ସଂଖ୍ୟା ଅଧିକ ରହିଛି। ଦେଶରେ ଏବେ ୪,୦୧,୦୫୦ ଜଣ କୋଭିଡରେ ଆଖି ବୁଜିଛନ୍ତି। ୪,୯୫,୫୩୩ ଜଣ କରୋନାରେ ସଂକ୍ରମିତ ହୋଇ ଚିକିତ୍ସାଧୀନ ରହିଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ମୁତାବକ ୯୭ ଦିନ ପରେ କରୋନାରେ ଚିକିତ୍ସାଧୀନ ସଂଖ୍ୟା ୫ ଲକ୍ଷ ତଳେ ରହିଛି। ସେହିପରି ଦେଶରେ ଏବେ ୨.୫୦ ପ୍ରତିଶତ ସାପ୍ତାହିକ ସଂକ୍ରମିତ ହାର ରହିଛି।

Related Posts