(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କୋଭିଡ୍ ଭାକ୍ସିନ୍ କୁ ନେଇ ପଛଘୁଞ୍ଚା ଦେଇଛନ୍ତି କେନ୍ଦ୍ର ସରକାର । ଡିସେମ୍ବର ସୁଦ୍ଧା ୨୧୬ କୋଟି ନୁହେଁ ବରଂ ୧୩୫କୋଟି ଟିକା କିଣିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି । ଏ ନେଇ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। ଅଗଷ୍ଟ ମାସରୁ ଡିସେମ୍ବର ମଧ୍ୟରେ ପ୍ରାୟ ୨୧୬ କୋଟି ଟିକା ଉପଲବ୍ଧ ହେବ ବୋଲି ମେ ମାସରେ ଦାବି କରୁଥିବା ମୋଦୀ ସରକାର ଏବେ ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି ଯେ ବର୍ତ୍ତମାନ କେବଳ ୧୩୫ କୋଟି ଟିକା ଉପଲବ୍ଧ ହେବ। କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଦାଖଲ କରିଥିବା ସତ୍ୟପାଠ ଅନୁଯାୟୀ ପୂର୍ବ ଲକ୍ଷ୍ୟ ଠାରୁ ୮୧ କୋଟି ଟିକାର ଅଭାବ ରହିଛି। କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି ଯେ ୨୦୨୧ ଅଗଷ୍ଟରୁ ଡିସେମ୍ବର ପର୍ଯ୍ୟନ୍ତ ମୋଟ୍ ୧୩୫ କୋଟି କୋଭିଡ୍ ଟିକା ଉପଲବ୍ଧ କରାଯିବ। ଏଥିରେ କୋଭିସିଲ୍ଡର ୫୦ କୋଟି, କୋଭାକ୍ସିନର ୪୦ କୋଟି, ବାୟୋ ଇ ସବ ୟୁନିଟ୍ ଭ୍ୟାକ୍ସିନର ୩୦ କୋଟି, ଜାଇଡସ କାଡିଲା ଭ୍ୟାକ୍ସିନର ୫ କୋଟି ଓ ସ୍ପୁଟନିକ-ଭିର ୧୦ କୋଟି ଟିକା ଅନ୍ତର୍ଭୁକ୍ତ । ତେବେ ସରକାରଙ୍କ ଏହି ସୂଚନା ଟିକା ମାମଲାରେ ଏକ ପ୍ରକାରର ୟୁ-ଟର୍ଣ୍ଣ । କାରଣ ମେ ମାସରେ କେନ୍ଦ୍ର ସରକାର କହିଥିଲେ ଯେ ଡିସେମ୍ବର ସୁଦ୍ଧା ୨୧୬ କୋଟି କରୋନା ଟିକା ଉପଲବ୍ଧ ହୋଇଯିବ।
ସୁପ୍ରିମକୋର୍ଟରେ ଦାଖଲ ଏହି ସତ୍ୟପାଠ ଅନୁଯାୟୀ ଜୁଲାଇ ୩୧ ସୁଦ୍ଧା କୋଭିଡ୍ ଟିକାର ମୋଟ୍ ୫୧.୬ କୋଟି ଡୋଜ୍ ଯୋଗାଇ ଦିଆଯିବ। ଏଥିରୁ ୩୫.୬ କୋଟି ଭ୍ୟାକ୍ସିନର ପ୍ରଥମ ଡୋଜ୍ ପୂର୍ବରୁ ଉପଲବ୍ଧ କରାଯାଇଛି। ଶିଶୁଙ୍କ ଟିକାକରଣ ସମ୍ପର୍କରେ ସୂଚନା ଦେଇ ସରକାର କହିଛନ୍ତି, ଭାରତ ଔଷଧ ନିୟାମକ ମେ ୧୨ରେ ଭାରତ ବାୟୋଟେକୁ କୋଭାକ୍ସିନର କ୍ଲିନିକଲ ଟ୍ରାଏଲ ଆରମ୍ଭ କରିବାକୁ ଅନୁମତି ଦେଇଥିଲେ। ଏହି ପରୀକ୍ଷଣ ପାଇଁ ପଞ୍ଜୀକରଣ ଆରମ୍ଭ ହୋଇ ଯାଇଛି। କେନ୍ଦ୍ର ସରକାର କହିଛନ୍ତି , ଯଦି ସଂକ୍ରମଣ ବୃଦ୍ଧି ଘଟେ, ତେବେ ସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ଶାସିତ ଅଞ୍ଚଳ ଆନୁସଙ୍ଗିକ ସ୍ଵାସ୍ଥ୍ୟସେବା ମଜବୁତ କରିବା ଦିଗରେ କାମ କରୁଛନ୍ତି। ଏବେଠୁ କହି ହେବ ନାହିଁ ଯେ, ଦେଶରେ ତୃତୀୟ ଲହର ଆସିବ ଏବଂ ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଘଟିବ। କାରଣ ଏହା ଲୋକ ମାନଙ୍କ ବ୍ୟବହାର ଏବଂ କରୋନା ସଚେତନ ଉପରେ ନିର୍ଭର କରେ। ଯଦି ଲୋକେ କୋଭିଡ୍ ନିୟମ ପାଳନ କରିବେ ତେବେ ତୃତୀୟ ଲହରକୁ କାବୁ କରାଯାଇ ପାରିବ।