ଆବଶ୍ୟକ ପଡିଲେ ୨୦୨୪ ପର୍ଯ୍ୟନ୍ତ ଚାଲିବ ଚାଷୀ ଆନ୍ଦୋଳନ : ରାକେଶ ଟିକେୟତ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : କରୋନାର ଦ୍ବିତୀୟ ଲହର ପାଇଁ ଥଣ୍ଡା ପଡିଯାଇଥିବା ଚାଷୀ ଆନ୍ଦୋଳନ ପୁଣି ଥରେ ମୁଣ୍ଡ ଟେକିଛି। କେନ୍ଦ୍ର ସରକାରଙ୍କ ତିନି କୃଷି ଆଇନକୁ ବିରୋଧ କରୁଥିବା କୃଷକମାନେ ଗତ କାଲି ଦିଲ୍ଲୀ ସୀମାରେ ଆନ୍ଦୋଳନର ୬ ମାସ ପୂର୍ତ୍ତି ଅବସରରେ ଗତ କାଲି ଦେଶବ୍ୟାପୀ କଳା ଦିବସ ପାଳନ କରିଛନ୍ତି। ତେବେ ଭାରତୀୟ କିଷାନ ୟୁନିୟନର ନେତା ରାକେଶ ଟିକାୟତ କହିଛନ୍ତି ଯେ ଯଦି କେନ୍ଦ୍ର ସରକାର ତିନି କୃଷି ଆଇନକୁ ପ୍ରତ୍ୟାହାର ନକରନ୍ତି ତେବେ ୨୦୨୪ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ । କଳା ଦିବସ ପାଳନ ଅବସରରେ ସେ କହିଛନ୍ତି ଭାରତୀୟ କିଷାନ ୟୁନିୟନ ଲମ୍ବା ଆନ୍ଦୋଳନ ପାଇଁ ପ୍ରସ୍ତୁତ ଅଛନ୍ତି। ଏକ ସଭାରେ ସେ ଚାଷୀ ମାନଙ୍କୁ ସମ୍ବୋଧନ କରି କହିଛନ୍ତି ଯେ, “କଳା ଦିବସ” ପାଳନ କରି ଆମେ ସରକାରଙ୍କୁ ପ୍ରଥମ ଡୋଜ୍ ଟିକା ଦେଇ ଦେଇଛୁ। ଆଉ ଦ୍ୱିତୀୟ ଡୋଜ୍ ଟିକା ଦେବା ନେଇ ଆମେ ଖୁବ ଶୀଘ୍ର ଯୋଜନା ପ୍ରସ୍ତୁତ କରିବୁ ବୋଲି ସେ କହିଛନ୍ତି। କୋଭିଡ୍ ର ଦ୍ବିତୀୟ ଲହର ସମୟରେ ଦିଲ୍ଲୀ-ଏନସିଆରରେ ଦେଖାଦେଇଥିବା ମେଡିକାଲ ଅମ୍ଳଜାନ ସଙ୍କଟର ଉଦାହରଣ ଦେଇ ସେ କହିଛନ୍ତି, “ ବଡ ବଡ କର୍ପୋରେଟ ଡାକ୍ତରଖାନା ଗୁଡ଼ିକରେ ଜୀବନ ରକ୍ଷାକାରୀ ଔଷଧ ଏବଂ ଅମ୍ଳଜାନର କିପରି ଅଭାବ ଦେଖା ଦେଇଥିଲା ତାହା ଆମେ ଦେଖିଲୁ। ଆଉ ଯଦି ଆମେ କର୍ପୋରେଟରମାନଙ୍କ ହାତରେ ଚାଷ କ୍ଷେତ୍ରକୁ ଟେକି ଦେବୁ ତେବେ ସମାନ ପରିସ୍ଥିତି ଦେଖାଦେବ। ନୂଆ କୃଷି ଆଇନ ଯୋଗୁଁ ମଣ୍ଡି ବ୍ୟବସ୍ଥା ବନ୍ଦ ହୋଇଯିବ । ” ଆନ୍ଦୋଳନକାରୀ ମାନେ କଳା ପଗଡ଼ି ପିନ୍ଧି ଗାଡିରେ କଳା ପତାକା ଲଗାଇ ଗତ କାଲି ବିରୋଧ ପ୍ରଦର୍ଶନ କରିଥିଲେ । ତେବେ ସରକାରଙ୍କ ସହ ପୁଣି ଥରେ ଆଲୋଚନା କରିବା ଆମେ ସରକାରଙ୍କୁ ଚିଠି ଲେଖିଛୁ କିନ୍ତୁ ଏ ପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ପାଇନାହୁଁ ବୋଲି ଟିକାୟତ କହିଛନ୍ତି । ସେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ଯଦି ସରକାର ଭାବୁଛନ୍ତି ଯେ ଚାଷୀ ମାନେ ଆନ୍ଦୋଳନ କରି ଥକ୍କି ଯାଇଛନ୍ତି ତେବେ ଭୁଲ୍ ଭାବୁଛନ୍ତି। ଚାଷୀମାନେ ୨୦୨୪ ପର୍ଯ୍ୟନ୍ତ ବିରୋଧ ପ୍ରଦର୍ଶନ କରିବା ପାଇଁ ଯୋଜନା କରୁଛୁ। ମୌସୁମୀ ପୂର୍ବରୁ ଆମେ ସ୍ଥାୟୀ ବ୍ଯବସ୍ଥା କରିବାକୁ ଯୋଜନା କରୁଛନ୍ତି।
ତେବେ କୋଭିଡ୍ କାଳରେ ଏଭଳି ବିରୋଧ ପ୍ରଦର୍ଶନ ଆୟୋଜନ କରିବାକୁ ନେଇ ଜଣେ ପ୍ରଦର୍ଶନକାରୀ ଜଗତରା ସିଂ କହିଛନ୍ତି, “ଯଦି ସରକାର ଆମ ବିଷୟରେ ଚିନ୍ତିତ ତେବେ ସେମାନେ ତିନି କୃଷି ଆଇନକୁ ପ୍ରତ୍ୟାହାର କରନ୍ତୁ ଆମେ ଘରକୁ ଚାଲିଯିବୁ । ଏହା ବ୍ୟତୀତ କୋଭିଡ ପ୍ରୋଟୋକଲକୁ ନେଇ ସେ ପ୍ରଶ୍ନ କରିଛନ୍ତି ଯେ ଯେତେବେଳେ ବେଙ୍ଗଲ ବିଧାନସଭା ନିର୍ବାଚନ ଏବଂ ୟୁପି ପଞ୍ଚାୟତ ନିର୍ବାଚନ ସମୟରେ କଟକଣା କେଉଁଠାରେ ଥିଲା? ”

Related Posts