(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ନିକଟରେ ଶେଷ ହୋଇଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଟିଏମସି ପ୍ରଚଣ୍ଡ ଜନାଦେଶ ସହ ଶାସନ କ୍ଷମତାକୁ ଫେରିଛି। କିନ୍ତୁ ବେଙ୍ଗଲ ନିର୍ବାଚନରେ କଂଗ୍ରେସ ପାର୍ଟିର ପ୍ରଦର୍ଶନ ସମ୍ପୂର୍ଣ୍ଣ ନୈରାଶ୍ୟଜନକ ଥିଲା। ଏହାକୁ ନେଇ ଦଳର ଶୀର୍ଷ ନେତା ମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ବରିଷ୍ଠ କଂଗ୍ରେସ ନେତା ଏମ ବିରପ୍ପା ମୋଇଲି କହିଛନ୍ତି ଯେ ପଶ୍ଚିମବଙ୍ଗ ନିର୍ବାଚନରେ କଂଗ୍ରେସକୁ ଟିଏମସି ସହ ଗଠବନ୍ଧନ କରିବାର ଆବଶ୍ୟକତା ଥିଲା। ଏଥର ବିଧାନସଭା ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ପାଇଁ ସେ ପଶ୍ଚିମବଙ୍ଗ କଂଗ୍ରେସ କମିଟି ସଭାପତି ଅଧୀର ରଂଜନ ଚୌଧୁରୀଙ୍କୁ ଦାୟୀ କରିଛନ୍ତି। ସେ ଚୌଧୁରୀଙ୍କୁ ଜଣେ ଦୁର୍ବଳ ନେତା କହିବା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ବେଙ୍ଗଲ ବିଧାନସଭା ନିର୍ବାଚନରେ ବାମ ଦଳ ଓ ଇଣ୍ଡିଆନ୍ ସେଲୁଲାର ଫ୍ରଣ୍ଟ୍ (ISF) ସହ ଦଳର ଗଠବନ୍ଧନ ଦ୍ବାରା ଦଳ ଏହି କ୍ଷତି ସହିଥିବା ସେ କହିଛନ୍ତି। ସେ ମମତା ବାନାର୍ଜୀଙ୍କୁ ନିଜର ଲୋକ ବୋଲି କହିଛନ୍ତି। କାରଣ ଟିଏମସି ଗଠନ କରିବା ପୂର୍ବରୁ ସେ କଂଗ୍ରେସରେ ଥିଲେ। ତେବେ କଂଗ୍ରେସ ପାର୍ଟି ମମତା ବାନାର୍ଜୀଙ୍କ ସହ ବହୁତ ଭଲ ସମ୍ପର୍କ ରଖି ନିର୍ବାଚନ ଲଢିପାରି ଥାଆନ୍ତା ବୋଲି ସେ କହିଛନ୍ତି। ଯେତେବେଳେ ବିଜେପି ସହ ଲଢିବାକୁ ହେବ ସେତେବେଳେ ମମତା ବାନାର୍ଜୀ ସଠିକ୍ ସହଯୋଗୀ ବୋଲି ମୋଇଲ କହିଛନ୍ତି। ଅଧୀର ରଂଜନ ଚୌଧୁରୀଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେ,” ତାଙ୍କର ତୃଣମୂଳ ସ୍ତରରେ କୌଣସି ଅଭିଜ୍ଞତା ନାହିଁ। ସେ କେବଳ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେବା ପାଇଁ ତାଙ୍କୁ ଶ୍ରେୟ ଦିଆଯାଇ ପାରେ। ” ପଶ୍ଚିମବଙ୍ଗ କଂଗ୍ରେସ ସଭାପତି ଅଧୀର ରଂଜନ ଚୌଧୁରୀଙ୍କ ଯୋଗୁଁ ପୂର୍ବରୁ କଂଗ୍ରେସର ଗଡ କୁହାଯାଉଥିବା ଅଞ୍ଚଳରେ ବି ଦଳକୁ ନିରାଶ ହେବାକୁ ପଡିଛି ବୋଲି ସେ କହିଛନ୍ତି। କଂଗ୍ରେସର କ୍ୟାଡର ଓ ପାର୍ଟି ପ୍ରତି ଆସ୍ଥା ରଖିଥିବା କର୍ମୀ ମାନେ ଏଥର ନିର୍ବାଚନରେ ମମତା ବାନାର୍ଜୀଙ୍କ ଟିଏମସିକୁ ଭୋଟ ଦେଇଥିବା ସେ କହିଛନ୍ତି। ଅଧୀର ରଂଜନ ଏବେ ପଶ୍ଚିମବଙ୍ଗ କଂଗ୍ରେସର ସଭାପତି ସଙ୍ଗେ ସଙ୍ଗେ ଲୋକସଭାରେ କଂଗ୍ରେସ ଦଳର ନେତା ଅଛନ୍ତି। ଯଦି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନନିଆଯାଏ ତେବେ ନିର୍ବାଚନ ପରାଜୟର ଉତ୍ତରଦାୟିତ୍ୱ କିଏ ନେବ ବୋଲି ସେ ପ୍ରଶ୍ନ କରିଛନ୍ତି। କେରଳ ଏବଂ ଆସାମରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ନକରିବା ଦଳ ପାଇଁ ମହଙ୍ଗା ପଡିଲା ବୋଲି ସେ କହିଛନ୍ତି। ପ୍ରାର୍ଥୀ ଚୟନକୁ ନେଇ ମଧ୍ୟ ସେ ତାଙ୍କର ଅସନ୍ତୋଷ ଜାହିର କରିଛନ୍ତି। ତାଙ୍କ ମତରେ ପ୍ରାର୍ଥୀ ଚୟନ ସମ୍ବଳ ଓ ଜାତି ଆଧାରରେ ହେଉଛି ଯାହା ଦ୍ବାରା କଂଗ୍ରେସ ଦଳ ନିର୍ବାଚନ ଜିତି ପାରିବ ନାହିଁ ବୋଲି ସେ କହିଛନ୍ତି। ମୋଇଲିଙ୍କ ମତରେ ଲୋକ ଆଉ କେନ୍ଦ୍ରୀୟ ନେତୃତ୍ୱ ଆଧାରରେ ଭୋଟ ଦେଉ ନାହାନ୍ତି। ଭୋଟର ସେମାନଙ୍କ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଦେଖିବାକୁ ଚାହୁଁଛନ୍ତି। ସେ କେରଳ ଓ ଆସାମର ଉଦାହରଣ ଦେଇଥିଲେ ଯେଉଁଠାରେ କଂଗ୍ରେସ ପାର୍ଟି ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା ନକରି ନିର୍ବାଚନ ଲଢିଥିଲା । ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ, କେରଳ ଏବଂ ପୁଡୁଚେରୀରେ ବିଧାନସଭା ନିର୍ବାଚନରେ ଦଳର ପରାଜୟକୁ ନେଇ ଏଆଇସିସି ଏବଂ ରାଜ୍ୟ ସ୍ତରର ନେତା ମାନଙ୍କୁ ଉତ୍ତରଦାୟୀ କରାଯିବା ଉଚିତ ବୋଲି ମୋଇଲ କହିଛନ୍ତି। ତେବେ ଦଳକୁ ଏହି ନିର୍ବାଚନରୁ ଶିଖିବାକୁ ହେବ ବୋଲି ସେ କହିଛନ୍ତି। ଦଳକୁ ବୁଥ୍ ସ୍ତରରୁ ଶୀର୍ଷ ସ୍ତର ପର୍ଯ୍ୟନ୍ତ ସୁଧାର ଆଣିବାକୁ ପଡିବ। ଆଉ ବିଜେପି ଭଳି ଶକ୍ତିଶାଳୀ ଦଳ ସହ ଲଢିବାକୁ ହେଲେ କ୍ଷେତ୍ରୀୟ ନେତୃତ୍ୱଙ୍କୁ ମଜବୁତ୍ କରିବାକୁ ହେବ ବୋଲି ସେ କହିଛନ୍ତି। ସେହିପରି କିଛିଦିନ ପୂର୍ବେ ବରିଷ୍ଠ କଂଗ୍ରେସ ନେତା ସଲମାନ ଖୁର୍ସିଦ୍ କହିଥିଲେ ଯେ ବିଜେପି ଭଳି କଂଗ୍ରେସକୁ ମଧ୍ୟ ବଡ ସ୍ବପ୍ନ ଦେଖିବାକୁ ହେବ।
Related Posts
-
Copyright © SatyaPatha2021