ଡ୍ରାଇଭ ଇନ୍ ଓ ଘରେ ଯାଇ ଟିକାକରଣକୁ ରାଜ୍ୟ ସରକାରଙ୍କ ନା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବନ୍ଦ ହେବ ଡ୍ରାଇଭ୍-ଇନ୍ ଡୋର୍-ଷ୍ଟେପ ଟିକାକରଣ । ଅତିରିକ୍ତ ମୁଖ୍ୟ ଶାସନ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସମସ୍ତ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନରଙ୍କୁ ଚିଠି ଲେଖିଛନ୍ତି। ବିଏମସି, ସିଏମସି ସହ ଅନ୍ୟ କିଛି ଜିଲ୍ଲା ବରିଷ୍ଠ ନାଗରିକଙ୍କ ପାଇଁ ଏଭଳି ପଦକ୍ଷେପ ନେଇଥିଲେ। କିନ୍ତୁ ରାଜ୍ୟ ସରକାର ଆଜି ଏହା ଉପରେ ସମ୍ପୂର୍ଣ୍ଣ ରୋକ୍ ଲଗାଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନ୍ ରେ ଏ ନେଇ କିଛି ବି ଉଲ୍ଲେଖ ନଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ତେଣୁ ଏହା ଉପରେ ତୁରନ୍ତ ରୋକ୍ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହା ଦ୍ୱାରା ଅଧିକ ଟିକା ନଷ୍ଟ ହୋଇପାରେ ବୋଲି ଏସିଏସ୍ କହିଛନ୍ତି । କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁଯାୟୀ ଟିକାକରଣ ସ୍ଥାନରେ ପ୍ରତୀକ୍ଷା ସ୍ଥଳ , ଟିକାକରଣ କକ୍ଷ ସହ ପର୍ଯ୍ୟବେକ୍ଷଣ କକ୍ଷ ରହିବା ଆବଶ୍ୟକ। ଟିକା ନେଉଥିବା ବ୍ୟକ୍ତିଙ୍କୁ ପ୍ରାୟ ୩୦ ମିନିଟ ପର୍ଯ୍ୟନ୍ତ ଅବଜରଭେସନରେ ରଖା ଯିବାର ନିୟମ ରହିଛି । ତେବେ ଡ୍ରାଇଭ-ଇନ୍ ଓ ଡୋର-ଷ୍ଟେପ୍ ଟିକାକରଣ ଦ୍ୱାରା ଏସବୁ ନିୟମ ପାଳନ କରିବା ଅସମ୍ଭବ । ତେଣୁ ନିବୃତ୍ତ ରହିବା ଲାଗି ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି । ସୂଚନାଯୋଗ୍ୟ ଯେ ଗତ ସୋମବାରଠାରୁ ଭୁବନେଶ୍ୱର ମହାନଗର ନିଗମ ଓ ବ୍ରହ୍ମପୁର ପ୍ରଶାସନ ପକ୍ଷରୁ ଘରକୁ ଯାଇ ଟିକା ଦେବାର ବ୍ୟବସ୍ଥା କରାଯାଇଥିଲା । ସେହିପରି ବିଏମସି ପକ୍ଷରୁ ମଧ୍ୟ ଗର୍ଭବତୀ ଓ ଦିବ୍ୟାଙ୍ଗଙ୍କ ପାଇଁ ମଧ୍ୟ ଡୋରଷ୍ଟେପ୍ ବ୍ୟବସ୍ଥା କରାଯାଇଥିଲା।

Related Posts