ଏଣିକି ଲକଡାଉନରେ ମର୍ଣ୍ଣିଂ ୱାକ୍ ଓ ସାଇକ୍ଲିଂ କରିବା ସମ୍ପୂର୍ଣ୍ଣ ମନା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ମେ ୫ ତାରିଖରୁ ରାଜ୍ୟବ୍ୟାପୀ ଲକଡାଉନ୍ ଲାଗୁ ହୋଇଛି । ଏହି ସମୟରେ କେବଳ ଜରୁରୀକାଳୀନ ସେବାକୁ ଅନୁମତି ଦିଆଯାଇଥିବା ବେଳେ ଅନ୍ୟ ସବୁ ବନ୍ଦ ରହିଛି। ଲୋକମାନଙ୍କୁ ସକାଳୁ ୧ ଘଣ୍ଟା ପାଇଁ ମର୍ଣ୍ଣିଂ ୱାକ୍ ଏବଂ ସାଇକ୍ଲିଂ କରିବା ପାଇଁ ଅନୁମତି ଦିଆଯାଇଥିଲା । କିନ୍ତୁ ଆଜି ଠାରୁ ମର୍ଣ୍ଣିଂ ୱାକ୍ ଓ ସାଇକ୍ଲିଂ କରିବା ଉପରେ ସମ୍ପୂର୍ଣ୍ଣ ରୋକ୍ ଲଗାଯାଇଛି । ଏ ନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ। ସିପି କହିଛନ୍ତି, କିଛି ଲୋକଙ୍କୁ ମର୍ଣ୍ଣିଂ ୱାର୍କ୍ ନାମରେ କୋଭିଡ୍ ଗାଇଡଲାଇନର ଉଲଙ୍ଘନ କରୁଥିବା ଦେଖିବାକୁ ମିଳିଛି। ଏହି ସମୟର ଫାଇଦା ଉଠାଇ କିଛି ଲୋକ ବାହାରେ ବୁଲୁଛନ୍ତି । ତେଣୁ ସେ ଲୋକ ମାନଙ୍କୁ ଅପିଲ୍ କରିଛନ୍ତି ଯେ, କରୋନା ଗାଇଡଲାଇନ ମାନନ୍ତୁ । ଅପରପକ୍ଷରେ ରାଜ୍ୟରେ କଳାବଜାରୀ, ଅସାଧୁ ବ୍ୟବସାୟୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ଆଇନଶୃଙ୍ଖଳା ଏଡିଜି ଯଶୋବନ୍ତ ଜେଠୱା। ସେ କହିଛନ୍ତି ଯେ , ଏଣିକି କୌଣସି ଘରୋଇ ହସ୍ପିଟାଲ ଅଧିକ ଅର୍ଥ ନେଉଥିଲେ ସେମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କଳାବଜାରୀ ରୋକିବାକୁ ଏବଂ କାର୍ଯ୍ୟାନୁଷ୍ଠାନ ନେବାକୁ ୨୨ଟି ଫ୍ଲାଇଂ ସ୍କ୍ୱାର୍ଡ ଗଠନ କରାଯାଇଥିବା ନେଇ ଏଡିଜି ଯଶୋବନ୍ତ ଜେଠୱା ସୂଚନା ଦେଇଛନ୍ତି। ରାଜ୍ୟରେ ଅମାନିଆଙ୍କଠାରୁ ୨ କୋଟି ୮୦ ଲକ୍ଷ ଜରିମାନା ଆଦାୟ ହୋଇଛି । ଏହାସହ ୭୧ଟି ମାମଲା ରୁଜୁ ହୋଇଥିବା ବେଳେ ୨୬୯ ଗିରଫ ଓ ୮୩୦୦ ଗାଡି ଜବତ କରାଯାଇଛି। ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦,୬୪୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ୭୬ ହଜାର ୨୯୭ ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୯ ଆକ୍ରାନ୍ତ କରୋନାରେ ଆଖି ବୁଜି ଥିବା ବେଳେ ମୃତ୍ୟୁ ସଂଖ୍ୟା ୨,୨୫୧କୁ ବୃଦ୍ଧି ପାଇଛି।

Related Posts