ସାଂସଦ ପଦ ବଜାୟ ରଖିବାକୁ ପଶ୍ଚିମବଙ୍ଗ ବିଧାନସଭାରୁ ଇସ୍ତଫା ଦେଲେ ଦୁଇ ବିଜେପି ବିଧାୟକ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର କିଛିଦିନ ପରେ ଭାରତୀୟ ଜନତା ପାର୍ଟିରେ ପୁଣି ଥରେ ରାଜନୈତିକ ହଲଚଲ ଦେଖିବାକୁ ମିଳିଛି। ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିବା ଦୁଇ ବିଜେପି ନେତା ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ଏହି ଦୁଇ ବିଜେପି ନେତା ହେଉଛନ୍ତି ନିଶୀଥ ପ୍ରମାଣିକ ଏବଂ ଜଗନ୍ନାଥ ସରକାର ଯଥାକ୍ରମେ ଦିନହାଟ ଏବଂ ଶାନ୍ତିପୁରରୁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ । ସୂଚନାଯୋଗ୍ୟ, ଏହି ଦୁଇ ନେତା ସାଂସଦ ମଧ୍ୟ ଅଛନ୍ତି। ଶୁକ୍ରବାର ପଶ୍ଚିମବଙ୍ଗ ବିଧାନସଭାରେ ନବନିର୍ବାଚିତ ବିଧାୟକମାନେ ଶପଥ ନେଇଥିଲେ। କିନ୍ତୁ ଏହି ଦୁଇ ବିଧାୟକ ଶପଥ ନେଇ ନଥିଲେ। ସେମାନେ ବିଧାୟକ ପଦରୁ ଇସ୍ତଫା ଦେବେ ବୋଲି ଅନୁମାନ କରାଯାଉଥିଲା। ଆଜି ଏହି ଦୁଇ ବିଜେପି ନେତା ବିଧାନସଭାକୁ ଯାଇ ବାଚସ୍ପତି ବିମନ ବାନାର୍ଜୀଙ୍କ ନିକଟରେ ଇସ୍ତଫା ପତ୍ର ଦାଖଲ କରିଥିଲେ। ନିଶୀଥ ପ୍ରମାଣିକ କହିଛନ୍ତି ଯେ ବିଜେପି ନେତୃତ୍ୱଙ୍କ ନିର୍ଦ୍ଦେଶ ଅନୁଯାୟୀ ସେମାନେ ବିଧାୟକ ପଦ ଛାଡିଛନ୍ତି। ୨୦୨୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଚାରିଜଣ ଲୋକସଭା ସାଂସଦ ଓ ଜଣେ ରାଜ୍ୟସଭା ସାଂସଦଙ୍କୁ ବିଜେପି ପ୍ରାର୍ଥୀ କରିଥିଲା। ସେମାନଙ୍କ ମଧ୍ୟରୁ ନିଶୀଥ ପ୍ରମାଣିକ ଓ ଜଗନ୍ନାଥ ସରକାର କେବଳ ବିଜୟୀ ହୋଇଥିବା ବେଳେ କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିଓ , ସାସଂଦ ଲକେଟ୍ ଚାଟାର୍ଜୀ ଏବଂ ରାଜ୍ୟସଭା ସାଂସଦ ସୋପନ ଦାସଗୁପ୍ତ ପରାଜୟ ବରଣ କରିଥିଲେ। ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ଯେ, ” ଯଦି ଏହି ଦୁଇ ନେତା ବିଧାୟକ ପଦକୁ ରଖି ସାଂସଦ ପଦରୁ ଇସ୍ତଫା ଦେଇଥାନ୍ତେ , ତେବେ ଦୁଇଟି ଯାକ ଲୋକସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥାନ୍ତା। ଆଉ ବିଧାନସଭା ନିର୍ବାଚନରେ ଟିଏମ୍‌ସି ବିପୁଳ ଭୋଟରେ ବିଜୟ ଲାଭ କରିଥିବାରୁ ହୁଏତ ଉପନିର୍ବାଚନରେ ବିଜେପି ହାତରୁ ଏହି ଦୁଇଟି ଆସନ ଚାଲି ଯାଇଥାନ୍ତା । ସେଥିପାଇଁ ଏହି ଦୁଇ ନେତା ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ” ତେବେ ଏହା ଉପରେ ପ୍ରତିକ୍ରିୟା ରଖି ଜଗନ୍ନାଥ ସରକାର କହିଛନ୍ତି, ” ବିଜେପି ବେଙ୍ଗଲରେ ମାତ୍ର ତିନି ବିଧାୟକରୁ (2016 ନିର୍ବାଚନରେ) 77 ଜଣ ବିଧାୟକ ରେ ପହଞ୍ଚିଛି । ତେବେ ସରକାର ଚଳାଇବାରେ ଅଭିଜ୍ଞତା ପାଇଁ କିଛି ସାଂସଦଙ୍କୁ ନିର୍ବାଚନ ଲଢ଼ିବାକୁ କୁହାଯାଇଥିଲା ।” ତେବେ ଦଳ ରାଜ୍ୟରେ ସରକାର ଗଠନ କରିବାର ବିଫଳ ହୋଇଛି ବୋଲି ସେ କହିଛନ୍ତି। ସାଂସଦ ହେବା ସତ୍ତ୍ୱେ ବିଧାନସଭା ନିର୍ବାଚନରେ ​​ଲଢିବା ଏବଂ ପରେ ଜିତିବା ପରେ ଇସ୍ତଫା ଦେବା ବିଜେପିର କୌଣସି ସାଂଗଠନିକ ଦୁର୍ବଳତାକୁ ପ୍ରତିଫଳିତ କରେ ନାହିଁ ବୋଲି ଜଗନ୍ନାଥ ସରକାର କହିଛନ୍ତି। ବିଧାନସଭା ନିର୍ବାଚନରେ ନିଶୀଥ ପ୍ରମାଣିକ ଟିଏମସି ପ୍ରାର୍ଥୀ ଉଦୟାନ ଗୁହାଙ୍କ ଠାରୁ ମାତ୍ର 57 ଭୋଟ ବ୍ୟବଧାନରେ ଜିତିଥିବା ବେଳେ ଜଗନ୍ନାଥ ସରକାର 15,878 ଭୋଟ ବ୍ୟବଧାନରେ ଜିତିଥିଲେ। ଚଳିତ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀଙ୍କ ନେତୃତ୍ୱରେ ଟିଏମସି ୨୧୩ଟି ଆସନରେ ବିଜୟୀ ହୋଇ ତୃତୀୟ ଥର ପାଇଁ ସରକାର ଗଠନ କରିଥିବା ବେଳେ ବିଜେପିକୁ ୭୭ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡିଛି।

Related Posts